• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇଟାଲୀ ଫେରିବ ୩ ଅଗଷ୍ଟା ହେଲିକପ୍ଟର । ଏକ ଦଶନ୍ଧି ଧରି ଦିଲ୍ଲୀ ପାଲାମ୍ ଏୟାରଫୋର୍ସ ଷ୍ଟେସନରେ ପଡ଼ି ରହିବା ପରେ ଏହାକୁ ଫେରାଇ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କାରଣ ୧୦ ବର୍ଷ ଧରି ଉଡ଼ାଣ କରିନଥିବାରୁ ଏହାକୁ ବ୍ୟବହାର କରାଯିବା ସମ୍ଭାବନା ନାହିଁ । ୨୦୧୨ରେ ୩ଟି ହେଲିକପଟର ଭାରତରେ ପହଞ୍ଚିଥିଲେ ମଧ୍ୟ ଏହାକୁ VVIPଙ୍କ ଯାଆସ ଲାଗି ବ୍ୟବହାର କରାଯିବା ଆଗରୁ ସାମ୍ନାକୁ ଆସିଥିଲା ଡିଲରେ ହୋଇଥିବା ଲାଞ୍ଚ କାରବାର । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଓ ଏହାର ମୂଳ କଂପାନି ଲିୟୋନାର୍ଡୋକୁ ବ୍ୟାନ୍ କରିବା ପରେ ପାଲାମ୍ ଏୟାରଫୋର୍ସ ଷ୍ଟେସନ ପାଲଟି ଥିଲା ଏହାର ଆଶ୍ରୟସ୍ଥଳ ।

ଅଗଷ୍ଟା ହେଲିକପଟର ଡିଲରେ ଲାଞ୍ଚ କାରବାର ଅଭିଯୋଗ ସାମ୍ନାକୁ ଆସିବା ପରେ ଏହାକୁ ବ୍ୟବହାର କରାଯାଇନଥିଲା । ତେବେ ଭାରତୀୟ ବାୟୁସେନା ଏହାର ପରୀକ୍ଷାମୂଳକ ଉଡ଼ାଣ କରିଥିଲା ସେବେଠାରୁ ଏହା ଭାରତୀୟ ବାୟୁସେନା ତତ୍ତ୍ୱାବଧାନରେ ରହିଆସିଛି । ଲାଞ୍ଚ କାରବାରରେ ସଂପୃକ୍ତ ଅଗଷ୍ଟାର ସହଯୋଗୀ କଂପାନୀ ଲିୟୋନାର୍ଡୋ ଉପରୁ କେନ୍ଦ୍ର ସରକାର ପ୍ରତିବନ୍ଧକ ହଟାଇ ଦେଇଥିବାରୁ ହେଲିକପ୍ଟର ଫେରାଇ ଦେବାରେ ଆଉ କିଛି ପ୍ରତିବନ୍ଧକ ନାହିଁ ।

ତେବେ କେମିତି ଫେରାଯିବ ହେଲିକପ୍ଟର? କେଉଁ ଉପାୟରେ ଏହାକୁ ଭାରତରୁ ଇଟାଲୀ ସ୍ଥାନାନ୍ତର କରାଯିବ ପୂରା ପ୍ରକ୍ରିୟାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଅନ୍ୟପକ୍ଷରେ ଅଗ୍ରୀମ ବାବଦକୁ ଭାରତ ଦେଇଥିବା ୧୦୬ ମିଲିୟନ ୟୁରୋ ଅଗଷ୍ଟା ଏଯାଏଁ ଭାରତକୁ ଫେରାଇ ନାହିଁ । ଏହାସତ୍ତ୍ୱେ ବି ହେଲିକପ୍ଟରକୁ ରଖିବାର କୌଣସି ଔଚିତ୍ୟ ନାହିଁ । କାରଣ ୧୦ ବର୍ଷରୁ ଅଧିକ ସମୟ ହେଲା ଏଗୁଡିକ ବ୍ୟବହାର ହୋଇନାହିଁ । ତେଣୁ ଭିଭିଆଇପିଙ୍କ ଲାଗି ଏହାକୁ ବ୍ୟବହାର କରିବା ଠିକ୍ ହେବନି ।

ଯଦିଓ ଭାରତୀୟ ବାୟୁସେନା ଏହାକୁ ପରିବହନ ଲାଗି ବ୍ୟବହାର କରିପାରନ୍ତା, ମାତ୍ର ମୁଖ୍ୟ ପ୍ରତିବନ୍ଧକ ହେବାକୁ ଯାଉଛି ସ୍ପେୟାର୍ । ଅଗଷ୍ଟା ଠାରୁ ହେଲିକପ୍ଟର ସ୍ପେୟାର୍ ପାଇବାକୁ ହେଲେ ସ୍ୱତନ୍ତ୍ର ଡିଲ୍ କରିବାକୁ ପଡିବ । ତେବେ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି କଂପାନିଙ୍କୁ ବ୍ୟାନ୍ ଘୋଷଣା କରିଥିବା ହେତୁ ନୂଆ ରାଜିନାମା ବି ସମ୍ଭବ ହେବନି । ତେଣୁ ଅଗଷ୍ଟା ହେଲକପଟରକୁ ଫେରାଇ ଦେବା ବ୍ୟତୀତ ଅନ୍ୟ ବାଟ ନାହିଁ ।

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ମହାଦୁର୍ନୀତି କ୩ଣ ?

ଇଟାଲୀର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ କଂପାନୀ ଠାରୁ ୧୨ଟି ହେଲକପ୍ଟର କିଣିବା ଲାଗି ତତ୍କାଳୀନ ମନମୋହନ ସିଂହ ସରକାର ରାଜିନାମା କରିଥିଲା । ତେବେ ପୂରା ଡିଲରେ ମଧ୍ୟସ୍ଥିଙ୍କ ଜରିଆରେ ୨୨୬ କୋଟିର ଲାଞ୍ଚ କରାବର ଅଭିଯୋଗ ଆସିଥିଲା । ଫଳରେ ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନୀ ଡିଲ୍ ରଦ୍ଦ କରିଦେବା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପିଙ୍କ ଯିବାଆସିବା ଲାଗି କିଣାଯାଇଥିଲା ୧୨ଟି ହେଲିକପ୍ଟର । ୨୦୧୦ରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ମୂଳ କଂପାନୀ ଫିନ୍ମେକାନିକା ସହ ହୋଇଥିଲା ୩ ହଜାର ୬ଶହ କୋଟିର ଡିଲ୍ । ଏହି କଂପାନି ବର୍ତ୍ତମାନ ଲିଓନାର୍ଡୋ ନାଁରେ ନାମିତ ହୋଇଥିବା ବେଳେ ଡିଲରେ ମଧ୍ୟସ୍ଥିଙ୍କ ଜରିଆରେ ବିପୁଳ ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା ।

ଡିଲ୍ ଚୂଡ଼ାନ୍ତ ଲାଗି ରାଜନେତାମାନଙ୍କୁ ଲାଞ୍ଚ ଦିଆଯାଇଥିବ ୨୦୧୨ରେ ଅଭିଯୋଗ ଉଠିଥିଲା । ୨୦୧୩ ଫେବ୍ରୁଆରୀରେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ସିଇଓ ବ୍ରୁନୋ ସ୍ପାଗ୍ନୋଲିନିଙ୍କୁ ଇଟାଲୀ କର୍ତ୍ତୃପକ୍ଷ ଗିରଫ କରିଥିଲେ । ଟଙ୍କା କାରବାରର ମୁଖ୍ୟ ମଧ୍ୟସ୍ଥି ଖ୍ରୀଷ୍ଟିଆନ ମାଇକେଲ୍ ଓ ଆଇନଜୀବୀ ଗୌତମ ଖୈତାନଙ୍କୁ ଗିରଫ କରାଯାଇଥିଲା । ସେହିପରି ୨୦୧୬ରେ ପୂର୍ବତନ ବାୟୁସେନା ମୁଖ୍ୟ ଏସପି ତ୍ୟାଗୀଙ୍କୁ ବି ଗିରଫ କରିଥିଲା ସିବିଆଇ । ବାୟୁସେନାର ବିରୋଧ ସତ୍ତ୍ୱେ ତ୍ୟାଗି କଂପାନୀ ଲାଗି ଅନେକ ନିୟମ କୋହଳ କରିଥିଲେ । ସେହିପରି ୨୦୧୮ରେ ମଧ୍ୟସ୍ଥି ଖ୍ରୀଷ୍ଟିଆନ ମାଇକେଲଙ୍କୁ ୟୁଏଇରୁ ଭାରତ ଅଣାଯାଇଥିଲା ।

୨୦୧୩ରେ ପାର୍ଲାମେଣ୍ଟରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୦୬ରେ ଅଗଷ୍ଟା ସହ କରିଥିବା ଡିଲ୍ ଅନୁସାରେ ୧୨ଟି ହେଲିକପ୍ଟର ଲାଗି ୭୯୩ କୋଟି ଅର୍ଥ ମଂଜୁର କରିଥିଲା । ତେବେ କଣ୍ଟ୍ରାକ୍ଟ ନିଗୋସିଏସନ୍ କମିଟି ବା ଡିଲ୍ ଚୁଡ଼ାନ୍ତ କରିବା ଲାଗି ଗଠିତ କମିଟି ଏହାକୁ ୪୮୭୭.୫ କୋଟିକୁ ବଢାଇ ଦେଇଥିଲା । ଯାହାକି ମୂଳ ଦାମର ପ୍ରାୟ ୬ ଗୁଣା ଥିଲା ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂପାନୀ ୧୨ଟି ହେଲିକପ୍ଟର ଲାଗି ୩ ହଜାର ୯୬୬ କୋଟି ଧାର୍ଯ୍ୟ କରିଥିବା ବେଳେ, ନିଗୋସିଏସନ କମିଟି ଏହାକୁ ୪ହଜାର ୮୭୭.୫ କୋଟି କରିଥିଲା । ଯାହାକି କଂପାନି ଦାମ୍ ଠାରୁ ୨୨.୮ ପ୍ରତିଶତ ଅଧିକ । ଡିଲରେ ମଧ୍ୟସ୍ଥିଙ୍କ ଦ୍ୱାରା ୩୦ ମିଲିୟନ ୟୁରୋ ଅର୍ଥାତ୍ ୨୨୬ କୋଟି ଟଙ୍କାର ଲାଞ୍ଚ କାରବାର କରାଯାଇଥିବା ଇଟାଲୀ ପକ୍ଷରୁ କୁହାଯାଇଥିଲା । ତେବେ କଂପାନି ସିଇଓଙ୍କୁ ଇଟାଲୀ କର୍ତ୍ତୃପକ୍ଷ ଗିରଫ କରିବା ପରେ, ୨୦୧୪ରେ ପ୍ରତିରକ୍ଷାମନ୍ତ୍ରୀ ଏ.କେ. ଆଣ୍ଟୋନୀ ଡିଲ୍ ରଦ୍ଦ କରିଦେବା ସହ, ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।