/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746529841.jpg)
ଆକାଶ ସୀମା ବନ୍ଦ
ଧର୍ମକୁ ଦ୍ୱାହି ଦେଇ ନୀରିହଙ୍କ ଜୀବନ ନେବା ପରେ ଭାରତୀୟଙ୍କ ରକ୍ତ ଟକଟକ୍ ହୋଇ ଫୁଟୁଛି । ପୃଥିବୀର ଭୂସ୍ୱର୍ଗର ସେହି ସବୁଜିମା ଭିତରୁ ଏବେ ବି କରୁଣ ଚିତ୍କାର ଶୁଭୁଛି । ରକ୍ତ ବଦଳରେ ରକ୍ତ ମାଗୁଛି କାଶ୍ମୀରର ହିମ ଆଚ୍ଛାଦିତ ପାହାଡ଼ । ପ୍ରତିଶୋଧର ନିଆଁରେ ଜଳୁଥିବା ପ୍ରତିଟି ଭାରତୀୟ ଏବେ ପାକିସ୍ତାନ ବିରୋଧରେ ଯୁଦ୍ଧ ଚାହୁଁଛି । ହେଲେ ସମସ୍ତେ ଜାଣନ୍ତି ମଣିଷ ସମାଜ ପାଇଁ କେବେ ବି ହିତକର ନୁହେଁ ଯୁଦ୍ଧ, ଇତିହାସ ସାକ୍ଷୀ ଅଛି ଯୁଦ୍ଧ କେବଳ ପ୍ରାଣୀ ଜଗତକୁ କଷ୍ଟ ଦେଇଆସିଛି । ଜାତି ଆଉ ଧର୍ମ ନାମରେ ଆଉ କେତେ ଦିନ ମଣିଷର ଖୋଳପା ପିନ୍ଧା ସଇତାନମାନେ ଆପଣା ଲୋକଙ୍କ ରକ୍ତରେ ହୋଲି ଖେଳିବ .. ।
ସମୟ ଆସିଲେ ଭାରତ ସରକାର ଯୁଦ୍ଧ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି, କିମ୍ବା ପାକିସ୍ତାନକୁ ପାନେ ଚଖେଇବା ପାଇଁ ଅନ୍ୟ ରାସ୍ତା ବାହାର କରପାରନ୍ତି । ପ୍ରତ୍ୟେକ୍ଷ ଯୁଦ୍ଧ କଥା ଛାଡ଼ନ୍ତୁ, ପରୋକ୍ଷ ଯୁଦ୍ଧରେ ଭାରତ ଏବେ ପାକିସ୍ତାନର ଗୋଟି ଗୋଟି କରି ଅଙ୍ଗଛେଦନ କରି ଚାଲିଛି । ସ୍ଥିତି ଏପରି ହେଲାଣି ଯେ ପଡ଼ୋଶୀ ଦେଶ ନା ସହିପାରୁଛି ନା କାହାକୁ କିଛି କହିପାରୁଛି । ଗତ ସପ୍ତାହରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବହୁତ ଗମ୍ଭୀର ହୋଇପଡ଼ିଛି ।
ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବନ୍ଦ ହୋଇଯାଇଛି। ଉଭୟ ପରସ୍ପରର ଆକାଶପଥକୁ ମଧ୍ୟ ବନ୍ଦ କରିଦେଇଛନ୍ତି । ଏହା ଯୋଗୁଁ ଉଭୟ ଦେଶ କ୍ଷତି ସହୁଛନ୍ତି । ପାକିସ୍ତାନ ବିରୋଧରେ ସିନ୍ଧୁଜଳ ସନ୍ଧି ବାତିଲ, ଡିଜିଟାଲ ଷ୍ଟାଇକ ଏବଂ ଆକାଶମାର୍ଗ ବନ୍ଦ ପରି ପଦକ୍ଷେପ ନେଇଛି । ଭାରତର ହାତରେ ନମାରି ଭାତରେ ମାରିବା ପରି ନିଷ୍ପତ୍ତି ଦେଖି ପାକିସ୍ତାନ ସରକାରଙ୍କ ମୁଣ୍ଡ ଆଉ କାମ କରୁନି । ଏହି ନିଷ୍ପତ୍ତିରେ ସିଧାସଳଖ କିଛି କରିପାରୁ ନଥିଲେ ସୁଦ୍ଧା ପାକିସ୍ତାନର ସ୍ଥିତି ଏବେଠାରୁ ବେହାଲ ହୋଇଗଲାଣି । ପାକିସ୍ତାନୀ ମନ୍ତ୍ରୀମାନେ ବାରମ୍ବାର ଭାରତ ସରକାର ଓ ଭାରତୀୟଙ୍କୁ ନାଲି ଆଖି ଦେଖାଉଛନ୍ତି । କଥା କଥାକେ ପରମାଣୁ ଧମକ ଦେଉଛନ୍ତି ।
ପାକିସ୍ତାନ ପାଇଁ ଭାରତର ଏୟାରସ୍ପେସ ବନ୍ଦ
ଉଭୟ ଦେଶର ଉତ୍ତେଜନା ବୃଦ୍ଧି ମଧ୍ୟରେ କିଛି ଦିନ ପୂର୍ବରୁ ଭାରତ ପାଇଁ ଏୟାରସ୍ପେସ ବା ଆକାଶ ମାର୍ଗ ବନ୍ଦ କରିଥିଲା ପାକିସ୍ତାନ । ଏହାର ଜବାବରେ ଶତ୍ରୁ ଦେଶର ବିମାନ ମଧ୍ୟ ଭାରତର ଆକାଶ ମାର୍ଗ ଦେଇ ଉଡ଼ି ପାରିବ ନାହିଁ ବୋଲି ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଭାରତ-ପାକ୍ ବାଣିଜ୍ୟ କାରବାର ଛିନ୍ନ ହୋଇଥିବାବେଳେ ଆକାଶ ମାର୍ଗ ବନ୍ଦ ହେବା ପାକିସ୍ତାନ ଉପରେ ଭାରତର କୂଟନୈତିକ ଓ ଆର୍ଥିକ ପ୍ରହାର ବୋଲି କୁହାଯାଉଛି । ମେ' ୨୩ ତାରିଖ ଯାଏଁ ପାକ୍ ପାଇଁ ଏୟାରସ୍ପେସ୍ ବନ୍ଦ କରିଛି ଇଣ୍ଡିଆ । ପାକିସ୍ତାନରେ ପଞ୍ଜୀକୃତ ଏବଂ ପାକ୍ ପରିଚାଳିତ ବିମାନ ପାଇଁ କଟକଣା ଜାରି କରାଯାଇଛି । ଭାରତର ଏହି ପଦକ୍ଷେପ ପାକିସ୍ତାନକୁ ଆର୍ଥିକ ଭାବରେ କ୍ଷତି ପହଞ୍ଚାଇବ । ଭାରତୀୟ ବାୟୁସୀମାକୁ ଏଡାଇବା ପାଇଁ ପାକିସ୍ତାନୀ ବିମାନଗୁଡ଼ିକୁ ଏବେ ଲମ୍ବା ରାସ୍ତା ବ୍ୟବହାର କରିବାକୁ ପଡିବ ।
ପାକିସ୍ତାନୀ ଏୟାରଲାଇନ ଗୁଡ଼ିକୁ କୁଆଲାଲମ୍ପୁର ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରେ ପହଞ୍ଚିବା ପାଇଁ ଚୀନ୍ କିମ୍ବା ଶ୍ରୀଲଙ୍କା ଭଳି ଦେଶ ଦେଇ ଲମ୍ବା ପଥ ଅତିକ୍ରମ କରିବାକୁ ହେବ । ଏହି ବିମାନ ଯାତ୍ରା ବହୁତ ମହଙ୍ଗା ହେବ । ଯଦି ଏହା ଘଟେ, ତେବେ ବିମାନ ଯାତ୍ରାର ଅଧିକ ସମୟ ଏବଂ ଅଧିକ ଭଡ଼ା ହେତୁ ଲୋକମାନେ ଯାତ୍ରା କରିବାରୁ ଦୂରେଇ ରହିବାର ସମ୍ଭାବନା ରହିଛି ଏବଂ ଏହା ପାକିସ୍ତାନୀ ବିମାନ କମ୍ପାନୀଗୁଡ଼ିକର ରାଜସ୍ୱ ଉପରେ ପ୍ରଭାବ ପକାଇବ।
ପାକିସ୍ତାନର ଆର୍ଥିକ ସ୍ଥିତି ଅସମ୍ଭାଳ
ଅନ୍ୟ ପକ୍ଷରେ ଭାରତୀୟ ବିମାନ ସେବା ପାଇଁ ପାକିସ୍ତାନ ତାର ଆକାଶ ସୀମା ବନ୍ଦ କରି ବିପୁଳ ଆର୍ଥିକ କ୍ଷତି ସହୁଛି। ରାଜସ୍ୱର ଏକ ପ୍ରମୁଖ ଉତ୍ସ ଓଭରଫ୍ଲାଇଟ୍ ଫିସ୍ ପ୍ରଭାବିତ ହୋଇଛି। ଫାଇନାନ୍ସିଆଲ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, କେବଳ ବୋଇଂ ୭୩୭ ଭଳି ଛୋଟ ବିମାନରୁ ଦୈନିକ ଅତି କମରେ ୫୮,୦୦୦ ଡଲାରର କ୍ଷତି ସହୁଛି ପାକିସ୍ତାନ । ଏହି ବିମାନଗୁଡ଼ିକୁ ବ୍ୟବହାର କରେ ଇଣ୍ଡିଆନ୍ ଏୟାରଲାଇନ୍ସ , ଆଉ ଏଗୁଡ଼ିକର ଶୁଳ୍କ ପ୍ରାୟ ୫୮୦ ଡଲାର । ଶୁଳ୍କ ବିମାନର ଓଜନ ଏବଂ ଯାତ୍ରା କରିଥିବା ଦୂରତା ଉପରେ ନିର୍ଭର କରେ।
ପାକିସ୍ତାନ ଦେଇ ଭାରତର ବୋଇଂ ୭୭୭ ଭଳି ବଡ଼ ବିମାନ ମଧ୍ୟ ଚଳାଚଳ ହୋଇଥାଏ । ଏହି ବିମାନଗୁଡ଼ିକର ଶୁଳ୍କ ୧,୨୦୦ ଡଲାରରୁ ରୁ ୧,୭୦୦ ଡଲାର ପର୍ଯ୍ୟନ୍ତ ହୋଇଥାଏ, କାରଣ ଏଗୁଡ଼ିକର ଓଜନ ଅଧିକ । ଛୋଟ ଏବଂ ବଡ଼ ବିମାନକୁ ମିଶାଇ ଭାରତୀୟ ବିମାନ ଯୋଗୁଁ ପାକିସ୍ତାନ ପ୍ରତିଦିନ ପ୍ରାୟ ୧,୨୦,୦୦୦ ଡଲାରର କ୍ଷତି ସହୁଛି ।
ଅଧିକ କ୍ଷତି ସହିବ ପାକିସ୍ତାନ
ଏବେ ପାକିସ୍ତାନ ଭାରତୀୟ ବାୟୁସୀମାକୁ ଏଡାଇବା ପାଇଁ ଚୀନ ଉପରେ ବିମାନ ଉଡ଼ାଣ କରୁଛି। ଏହା ଇନ୍ଧନ ଖର୍ଚ୍ଚ ବୃଦ୍ଧି କରିବ, ଯାହା ଫଳରେ ଆହୁରି ଆର୍ଥିକ କ୍ଷତି ସହିବେ ଶେହବାଜ ସରକାର । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପ୍ରତି ସପ୍ତାହରେ ଇସଲାମାବାଦ ଏବଂ ଲାହୋରରୁ କୁଆଲାଲମ୍ପୁରକୁ ଛଅଟି ବିମାନ ଉଡ଼ାଣ କରେ । ଏବେ ଏହି ବିମାନଗୁଡ଼ିକୁ ଭାରତୀୟ ଅଞ୍ଚଳକୁ ଏଡାଇବା ପାଇଁ ଚୀନ୍ ଆକାଶ ସୀମା ଦେଇ ଯିବାକୁ ପଡିବ। ଏହି କାରଣରୁ ଯାତ୍ରା ସମୟ ବହୁତ ବୃଦ୍ଧି ପାଇଛି । ଖରାପ ପାଗ ଏବଂ କଷ୍ଟକର ଭୂମି ଯୋଗୁଁ ବିମାନଗୁଡ଼ିକୁ ତିବ୍ଦତୀୟ ମାଳଭୂମି ଚାରିପାଖରେ ଗତି କରିବାକୁ ପଡ଼ିଥାଏ। ଏହି ନୂତନ ରୁଟ୍ ପ୍ରତ୍ୟେକ ଯାତ୍ରା ପାଇଁ ପ୍ରାୟ ତିନି ଘଣ୍ଟା ଅଧିକ ସମୟ ନେବ।
ଭାରତ ଉପରେ ପ୍ରଭାବ କ’ଣ?
କେବଳ ପାକିସ୍ତାନ ଯେ କ୍ଷତି ସହୁଛି,ତା’ ନୁହେଁ, ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ରହିଛି । ଭାରତ ପାଇଁ ପାକିସ୍ତାନର ଆକାଶ ମାର୍ଗ ଯଦି ପ୍ରତିବନ୍ଧକ ବର୍ଷେ ପର୍ଯ୍ୟନ୍ତ ଜାରି ରହେ, ଏୟାର ଇଣ୍ଡିଆ ପ୍ରାୟ ୬୦୦ ମିଲିୟନ ଡଲାର କ୍ଷତି ସହିବ ବୋଲି ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆର୍ଥିକ କ୍ଷତିପୂରଣ ପାଇଁ ଏକ ସବସିଡି ମଡେଲ କାର୍ଯ୍ୟକାରୀ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି ଏୟାରଲାଇନ୍ସ । ଯେଉଁଥିରେ ଅଧିକ ଇନ୍ଧନ ଖର୍ଚ୍ଚ, ଲମ୍ବା ରୁଟ୍ ଏବଂ ଅତିରିକ୍ତ କର୍ମଚାରୀଙ୍କ ଆବଶ୍ୟକତା ଆଦି ସାମିଲ ରହିଛି ।
ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ସମେତ ଅନେକ ଏୟାରଲାଇନ୍ସ ଏପ୍ରିଲ ୨୨ ତାରିଖରେ ପାକିସ୍ତାନ ଏୟାରସ୍ପେସ ବନ୍ଦ ପ୍ରଭାବ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସେମାନଙ୍କର ମତାମତ ଏବଂ ପରାମର୍ଶ ଦେଇଛନ୍ତି। ମନ୍ତ୍ରଣାଳୟ ପରିସ୍ଥିତିର ମୂଲ୍ୟାଙ୍କନ କରୁଛି ଏବଂ ସମସ୍ୟାର ସମାଧାନ ପାଇଁ ସମ୍ଭାବ୍ୟ ସମାଧାନ ବିଷୟରେ ବିଚାର କରୁଛି । ନିକଟରେ ପାକିସ୍ତାନ ଏୟାରସ୍ପେସ୍ ବନ୍ଦ କରିବା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଅନେକ ଏୟାରଲାଇନ୍ସ ସହିତ ମନ୍ତ୍ରଣାଳୟ ଏକ ବୈଠକ କରିଥିଲା ଏବଂ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ପରାମର୍ଶ ଲୋଡ଼ିଥିଲା। ପାକିସ୍ତାନ ଏପ୍ରିଲ ୨୪ ତାରିଖରେ ଭାରତୀୟ ବିମାନ ସେବା ପାଇଁ ତାର ଆକାଶ ସୀମା ବନ୍ଦ କରିଦେଇଥିଲା।
ଆକାଶପଥ ବନ୍ଦ କରିବାର ପ୍ରଭାବ କ'ଣ ହେବ?
ଉତ୍ତର ଭାରତୀୟ ସହରଗୁଡ଼ିକରୁ ପରିଚାଳିତ ଅନ୍ତର୍ଜାତୀୟ ବିମାନ ପାଇଁ ସପ୍ତାହକୁ ୭୭ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବାର ସମ୍ଭାବନା ରହିଛି, କାରଣ ଇନ୍ଧନ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଆକାଶ ମାର୍ଗ ପ୍ରତିବନ୍ଧକ ଯୋଗୁଁ ଉଡ଼ାଣ ଅବଧି ମଧ୍ୟ ବୃଦ୍ଧି ପାଇବ। ଆନ୍ତର୍ଜାତୀୟ ବିମାନ ଉଡ଼ାଣ ସଂଖ୍ୟା ଏବଂ ବର୍ଦ୍ଧିତ ଉଡ଼ାଣ ଅବଧି ଏବଂ ଆନୁମାନିକ ଖର୍ଚ୍ଚ ଉପରେ ଆଧାର କରି ପିଟିଆଇ ଦ୍ୱାରା କରାଯାଇଥିବା ଗଣନାର ବିଶ୍ଳେଷଣରୁ ଜଣାପଡିଛି ଯେ ଭାରତୀୟ ବିମାନ ସେବା ପାଇଁ ଅତିରିକ୍ତ ମାସିକ ପରିଚାଳନା ଖର୍ଚ୍ଚ ୩୦୬ କୋଟି ଟଙ୍କାରୁ ଅଧିକ ହୋଇପାରେ।
ସାହାଯ୍ୟ କରିବାକୁ ଆଗେଇ ଆସିଲେ ସରକାର
ଏଥିପାଇଁ ବିମାନ କମ୍ପାନୀଗୁଡ଼ିକ ସହ କଥାବାର୍ତ୍ତା କରୁଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । କ୍ଷୟକ୍ଷତିର ଆକଳନ କରି ରିଲିଫ୍ ଯୋଗାଇବା ପାଇଁ ଉପାୟ ଖୋଜୁଛନ୍ତି। ସରକାର ଟିକସ ଛାଡ଼ କରିବାର ଅନେକ ସମ୍ଭାବନା ରହିଛି। ଏହା ସହିତ ଚୀନ୍ ଆକାଶ ସୀମା ନିକଟରେ ବିକଳ୍ପ ରାସ୍ତା ବିଷୟରେ ମଧ୍ୟ ବିଚାର କରାଯାଉଛି। ଚୀନର ଆକାଶପଥ ବ୍ୟବହାର ପାଇଁ ଅନୁମତି ଆଣିବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛି ଏୟାର ଇଣ୍ଡିଆ ।
ଆକାଶପଥ କ'ଣ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ?
ଯେତେବେଳେ ଏକ ଅନ୍ତର୍ଜାତୀୟ ବିମାନ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଯାଏ, ଏହା ଅନେକ ଦେଶ ଉପରେ ଦେଇ ଯାଏ, ଯାହାକୁ ସେହି ଦେଶର ଏୟାରସ୍ପେସ୍ କୁହାଯାଏ। ବିମାନ ଗୁଡ଼ିକ ସବୁଠାରୁ ଛୋଟ ରୁଟ୍ ଖୋଜନ୍ତି ଏବଂ ମଝିରେ ଥିବା ଦେଶ ଗୁଡ଼ିକର ଆକାଶମାର୍ଗ ଦେଇ ଯିବା ପାଇଁ ସମ୍ପୃକ୍ତ ଦେଶକୁ ଓଭରଫ୍ଲାଇଟ୍ ଫି ଦିଅନ୍ତି। ଯେତେବେଳେ କୌଣସି ଦେଶ ଅନ୍ୟ ଦେଶ ପାଇଁ ଆକାଶପଥ ବନ୍ଦ କରିଦିଅନ୍ତି, ସେତେବେଳେ ବିମାନ ସେହି ଦେଶ ଉପରେ ଉଡ଼ିପାରେ ନାହିଁ ଏବଂ ଏହାକୁ ଏକ ଲମ୍ବା ରୁଟକୁ ସ୍ଥାନାନ୍ତର କରିବାକୁ ପଡ଼ିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)