• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଭାବ-ଅନାଟନ ଓ ରୋଗ ଯନ୍ତ୍ରଣା ପାଇଁ ୪ ବର୍ଷର ପୁଅ ଓ ମାଆକୁ ବିଷ ଦେବା ପରେ ନିଜେ ପିଇ ଚିରନିଦ୍ରାରେ ଶୋଇଗଲା ମାଆ । ଗତକାଲି ବଲାଙ୍ଗିର ଜିଲ୍ଲାରୁ ଆସିଥିବା ଏ ଖବରକୁ ନେଇ ଚର୍ଚ୍ଚା ଆଲୋଚନା । ଗରିବଙ୍କ ପାଇଁ ହଜାରେ ଯୋଜନା ଓ ଚିକିତ୍ସା ପାଇଁ ଏତେ ସବୁ ସରକାରୀ ସୁବିଧା ପରେ ବି କେଉଁ ପରିସ୍ଥିତିରେ ଜୀବନ ହାରିଦେଲେ ଖପ୍ରାଖୋଲ ପିଟାମାଲ ଗାଁର ଗୋଟିଏ ପରିବାର ? ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଘଟଣାର ତନାଘନା କରୁଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ତେଣେ ଏ ସାମୁହିକ ମୃତ୍ୟୁ ବଳୟରୁ ବଞ୍ଚିଯାଇଥିବା ୪ ବର୍ଷର ଶିଶୁ ଏକା ହୋଇଯାଇଥିବାରୁ ତାର ଚିକିତ୍ସା ଓ ଲାଳନପାଳନ ଦାୟିତ୍ୱ ନେଇଛି CWC ।

ଉତ୍କଟ ଦାରିଦ୍ର୍ୟ, ଋଣ ଭାର ଏବଂ ରୋଗର ଯନ୍ତ୍ରଣା ସହି ନପାରି ସମୁହ ଜୀବନ ହାରିଦେବାର ଚରମ ପଦକ୍ଷେପ । ମୁହୂର୍ତ୍ତକ ଭିତରେ ନିଆଯାଇଥିବା ନିଷ୍ପତ୍ତି ଫଳରେ ଏକ ସୁନ୍ଦର ପିଢ଼ିର ଭବିଷ୍ୟତ ଅନ୍ଧକାରମୟ । ବଲାଙ୍ଗିର ଖପ୍ରାଖୋଲ ବ୍ଲକ୍ ପାଟିମାଲ ଗାଁର ୭୦ ବର୍ଷୀୟ କଳାବତୀ ସାହୁ ଓ ତାଙ୍କ ବିଧବା ଝିଅ ସନ୍ତୋଷିନୀ ସାହୁ । ଚାଷ-ବାସ କରି ଜୀବନ ନିର୍ବାହ କରୁଥିଲେ ।

ପରିବାରରେ ଆର୍ଥିକ ଅନଟନ ଲାଗି ନିଜ ୪ ସନ୍ତାନଙ୍କ ମଧ୍ୟରୁ ୩ ଜଣଙ୍କୁ ଅନାଥ ଆଶ୍ରମରେ ରଖି ୪ ବର୍ଷର ସାନ ପୁଅକୁ ପାଖରେ ରଖୁଥିଲେ ସନ୍ତୋଷିନୀ । ତେବେ ଗତକାଲି ସନ୍ଧ୍ୟାରେ ସନ୍ତୋଷିନୀ ଓ ମାଆ କଳାବତୀ କୋଲଡ୍ରିଙ୍କ୍‌ସରେ କୀଟନାଶକ ମିଶାଇ ପିଇ ଦେଇଥିଲେ । ପରେ ପୁଅକୁ ବି ଧରାଇ ଦେଇଥିଲେ ବିଷ ବୋତଲ । ପାଖ ପଡ଼ୋଶୀ ଘଟଣା ଜାଣି ପୋଲିସକୁ ଖବର ଦେଲେ । ପୋଲିସ ପହଞ୍ଚିବା ବେଳକୁ ପ୍ରାଣ ହରାଇ ସାରିଥିଲେ ମାଆ ଓ ଝିଅ । ଗୁରୁତର ଅବସ୍ଥାରେ ଶିଶୁପୁତ୍ରକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏ ସାମୂହିକ ଆତ୍ମହତ୍ୟା ପଛର ପ୍ରକୃତ କାରଣ କଣ ? କାହିଁକି ନିଜ ବୃଦ୍ଧା ମାଆ ଓ ଜନ୍ମକଲା ପୁଅ ପାଟିରେ ବିଷ ବୋତଲ ଧରାଇ ଦେବାକୁ ବାଧ୍ୟ ହେଲେ ସନ୍ତୋଷିନୀ ? ଛତିଶଗଡ଼ରେ ବିବାହ କରିଥିବା ସନ୍ତୋଷିନୀ ସ୍ୱାମୀଙ୍କ ମୃତ୍ୟୁ ପରେ ୪ ପିଲାଙ୍କୁ ଧରି ବାପଘର ପାଟିମାଲକୁ ଚାଲି ଆସିଥିଲେ । ମାଆଙ୍କ ପାଖରେ ରହି ଚାଷବାସ କରି ଦୁଃଖେ କଷ୍ଟେ ଚଳୁଥିଲେ । ୟା ଭିତରେ ସେ ମାରାତ୍ମକ କର୍କଟ ରୋଗର ଶିକାର ହୋଇଥିଲେ । ଚିକିତ୍ସା ପାଇଁ ବହୁ ଧାର କରଜ ବି କରିଥିଲେ । ଏପଟେ କେବଳ କିଛି ଚାଷ ଜମି ଛ଼ଡା ରୋଜଗାରର ଆଉ କିଛି ମାଧ୍ୟମ ନଥିବାରୁ ଘରର ଆର୍ଥିକ ସ୍ଥିତି ଠିକ୍ ନଥିଲା । ମରୁଡ଼ି ପରେ ଚାଷରୁ କିଛି ମିଳିବା ଆଶା ନଥିଲା । ପରିବାର ଉପରେ ଋଣ ଭାର ବଢି ଚାଲିଥିବାରୁ ଏଥିରୁ ମୁକ୍ତି ପାଇଁ ସନ୍ତୋଷିନୀ ଏଭଳି କଠୋର ପଦକ୍ଷେପ ନେଇଥିବା ପୂର୍ବରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମାଜିକ କର୍ମୀ କହିଛନ୍ତି ।

ସନ୍ତୋଷିନୀ ଓ ତାଙ୍କ ମାଙ୍କ ମୃତ୍ୟୁ ପରେ ଏକା ହୋଇଯାଇଛି ୪ ବର୍ଷର ଅନାଥ ଶିଶୁ ରାମ । ମେଡିକାଲ ବେଡରେ ଥାଇ ଏବେ ମାଆକୁ ଖୋଜୁଥିଲେ ବି ମାଆ ଯେ ଆଉ ନାହିଁ, ସେ କଥା ବୁଝିବାକୁ ତାର ଯୁ ନାହିଁ । ତେଣୁ ତାର ଲାଳନପାଳନ ଓ ସମସ୍ତ ଦାୟିତ୍ୱ ନେବ ବୋଲି କିହଛି CWC । ତେଣେ ଏହି ପରିବାର ଋଣ ଯନ୍ତାରେ ଥିଲେ କି ନାହିଁ, ଚାଷରେ କ୍ଷୟକ୍ଷତିର ପରିମାଣ କେତେ ଏବଂ କେଉଁ କାରଣ ପାଇଁ ଏ ନିଷ୍ପତ୍ତି ନେଲେ, ସେ ସମ୍ପର୍କରେ ତଦନ୍ତ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

OTV is now on Whatsapp

Join and get latest news update delivered to you via whatsapp

Join Now