• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । କିନ୍ତୁ ଚାଷ କରି ଏବେ କାନ୍ଦୁଛି ଚାଷୀ । ଠିକ୍‌ ଅମଳ ବେଳକୁ ଏମିତି ବର୍ଷା ଗାଜିଲା ଯେ ବର୍ଷ ଯାକର ଅମଳ ସବୁ ନଷ୍ଟ ହୋଇଗଲା । କିଣିବାକୁ ବେପାରୀ ଆସୁନାହାନ୍ତି । ଜମିରେ ଗଡୁଛି ବର୍ଷସାରା ପରିଶ୍ରମର ଫଳ ।

ବେଲପଡା ବ୍ଲକ ଧୁମାଭଟା ଗାଁରେ କାନ୍ଦୁଛି ଚାଷୀ । ଯୁଆଡେ ଦେଖିବେ କେବଳ ତରଭୁଜ ହିଁ ତରଭୁଜ। ପ୍ରଚୁର ପରିମାଣରେ ଫଳ ବି ଫଳିଛି । ହେଲେ ଠିକ୍‌ରେ ଟାଇମରେ ବିକ୍ରି ନହେବାରୁ ସବୁ ଫାଟି ଆଁ କଲାଣି । ଗୋଟିଏ କି ଦୁଇଟି ଜମିରେ ନୁହେଁ ବରଂ ସବୁ ଜମିରେ ଏକାଅବସ୍ଥା । ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବାରୁ ସବୁ ତରଭୁଜ ନଷ୍ଟ ହୋଇଯାଇଛି । ଅମଳ ହୋଇଥିବା ଫଳକୁ ନେବା ତ ଦୂରର କଥା ଚାଷୀଙ୍କ ସହ ଥରେ ବି କଥା ହେଉନାହାନ୍ତି ବେପାରୀ । ଆଉ ଏମିତି ସ୍ଥିତିରେ ଚଷା ପୁଅ କାନ୍ଦିବ ନାହିଁ ତ କରିବ କଣ?

୪ ରୁ ୫ ମାସ ଭିତରେ ଚାଷକରି ଭଲ ଦୁଇ ପଇସା ଲାଭ ହେଉଥିବାରୁ ଧୁମାଭଟା ଗାଁ ସହ ଆଖପାଖ ଅଚଂଳର ଶହଶହ ଚାଷୀ ୨୫ ରୁ ୩୦ ହେକ୍ଟର ଜମିରେ ତରଭୁଜ ଚାଷ କରିଥିଲେ । ଇଏ ଆଜିକି କାଲିର ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ତରଭୁଜ ଚାଷ କରୁଥିଲେ ଚାଷୀ । କିନ୍ତୁ ଏସନ ଅଦିନିଆ ବର୍ଷା ସବୁ ଛାରଖାର କରିଦେଲା । ଭଲ ଲାଭ ଆଶାରେ ଧାରଉଧାର କରି ଚାଷ କରିଥିବା ଚାଷୀ ଏବେ କେମିତି ଋଣ ପରିଶୋଧ କରିବ ସେଇ କଥା ଭାବିଭାବି ରାତିରେ ଶୋଇ ବି ପାରୁନି ।

ଆଖି ସାମ୍ନାରେ ଚାଷ ନଷ୍ଟ ହେଲା, ସେପଟେ ଋଣ ଟଙ୍କା କେମିତି ସୁଝିବେ? ପରିବାର କେମିତି ଚଳିବ ସେଇ ଚିନ୍ତା କରୁଥିବା ବେଳେ ପ୍ରଶାସନର ଉଦାସନୀୟତା ମନୋଭାବ ଚାଷୀଙ୍କୁ ମର୍ମାହତ କରିଛି । ଯଦି ଏଇ ସମୟରେ ସରକାରଙ୍କ ପକ୍ଷରୁ ସହାୟତା ମିଳନ୍ତା ତେବେ ଋଣ ଟଙ୍କା ସୁଝିବା ସହିତ ଶାନ୍ତିରେ ବଞ୍ଚିପାରନ୍ତେ ବୋଲି କହିଛନ୍ତି ଚାଷୀ । ସେପଟେ ଚାଷୀଙ୍କର କ୍ଷୟକ୍ଷତି ପାଇଁ ଏକ ଟିମ୍‌ କରାଯିବ ଏବଂ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଉଦ୍ୟାନ ଅଧିକାରୀ ।

(ପାଟଣାଗଡ଼ରୁ କରୁଣାକର ବୁଡ଼େକଙ୍କ ରିପୋର୍ଟ)