ମାର୍କଣ୍ଡେୟ ଋଷି ପାଣ୍ଡବମାନଙ୍କ ପାଖରୁ ବିଦାୟ ନେଇ ଯିବାପରେ ବ୍ୟାସମୁନି ଆସି ପହଞ୍ଚିଲେ । ହସ୍ତିନାପୁରରେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନଙ୍କୁ ବୁଝାଇ ବି କିଛି ଫଳ ନହେବାରୁ ସେ ବଡ ଦୁଃଖି ଥାଆନ୍ତି । ବ୍ୟାସମୁନିଙ୍କୁ ପାଖରେ ପାଇ ପାଣ୍ଡବମାନେ ଯଥାରୀତି ସମ୍ମାନ ଜଣେଇ ସତ୍କାର କଲେ । ବ୍ୟାସଦେବ ତାଙ୍କ ହସ୍ତିନାପୁର ଯିବା କଥା କହିଲେ ଓ ପାଣ୍ଡବମାନଙ୍କ ମାନସିକ ଦ୍ୱନ୍ଦ ବିଷୟରେ ଅବଗତ ହେଲେ । ଭୀମ ତାଙ୍କର ଅଭିଯୋଗ ପୁଣି ଥରେ ଦୋହରାଇଲେ । ଯୁଧିଷ୍ଠିର କହିଲେ କୌଣସି ପୂର୍ବ ପ୍ରସ୍ତୁତି ବିନା କୌରବମାନଙ୍କୁ ଆକ୍ରମଣ କରିବା ଏବେ ବୁଦ୍ଧିମାନର କାର୍ଯ୍ୟ ନୁହେଁ । ଆମେ ବନବାସରେ ଆସିଲା ପରେ ଦୁର୍ଯ୍ୟୋଧନ ତା'ର ଶକ୍ତିବୃଦ୍ଧି କରୁଛି। ରାଜସୂୟ ଯଜ୍ଞ ସମୟରେ ଆମ ଅଧିନକୁ ଆସିଥିବା ଅନେକ ରାଜା ଏବେ ଦୁର୍ଯ୍ୟୋଧନର ସପକ୍ଷରେ। ତାପରେ ଯୁଦ୍ଧ ହେଲେ ହସ୍ତିନାପୁରର ଅନ୍ନରେ ପାଳିତ ଦ୍ରୋଣ, ଅଶ୍ଵତ୍ଥାମା, କୃପ ଆଦି ଇଚ୍ଛା ନଥିଲେ ବି ଦୁର୍ଯ୍ୟୋଧନଙ୍କ ସପକ୍ଷରେ ଲଢେଇ କରିବେ । ମହାବଳୀ ଅଙ୍ଗ ରାଜା କର୍ଣ୍ଣ ତ କୌରବଙ୍କର ପରମ ମିତ୍ର । ପିତାମହ ଭୀଷ୍ମ ହସ୍ତିନା ରାଜ ସିଂହାସନକୁ ରକ୍ଷା କରିବାକୁ ବଚନବଦ୍ଧ । ଆମ ପାଖରେ ଏବେ କୌରବମାନଙ୍କୁ ସାମ୍ନା କରିବାକୁ ଜନ ବଳ ଅଛି ନା ଧନ ବଳ ଅଛି ।
ଯୁଧିଷ୍ଠିରଙ୍କ କଥା ଶୁଣି ସମସ୍ତେ ଚୁପ ରହିଲେ । ବ୍ୟାସଦେବ କହିଲେ, ହଁ ଯୁଧିଷ୍ଠିର ଠିକ କଥା କହୁଛନ୍ତି । ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଆଚାର୍ଯ୍ୟ କୃପ ଓ ଅଶ୍ୱଥାମାଙ୍କ ପରି ବୀର ଯୋଦ୍ଧାମାନଙ୍କ ସହ ସମ୍ମୁଖ ଯୁଦ୍ଧରେ ଲଢିବାକୁ ତୁମମାନଙ୍କୁ ଦିବ୍ୟ ଅସ୍ତ୍ରମାନଙ୍କର ଆବଶ୍ୟକତା ରହିଛି । ଗୋଟେ କାମ କରାଯାଉ। ଅର୍ଜୁନ ଏବେ ଇନ୍ଦ୍ର ଓ ମହାଦେବଙ୍କୁ ସନ୍ତୁଷ୍ଟ କରି ସେ ଦିବ୍ୟ ଅସ୍ତ୍ରମାନ ହାସଲ କରନ୍ତୁ । ଅତୀତରେ ବୃତ୍ତାସୁର ଭୟରେ ଦେବତାମାନେ ସେମାନଙ୍କ ସମସ୍ତ ଅସ୍ତ୍ର ଇନ୍ଦ୍ରଙ୍କ ପାଖରେ ରଖିଛନ୍ତି । ଅର୍ଜୁନ ସେ ଅସ୍ତ୍ର ସବୁ ଇନ୍ଦ୍ରଙ୍କ ପାଖରୁ ହାସଲ କରନ୍ତୁ ।
ବ୍ୟାସଦେବଙ୍କ କଥା ମାନି ଅର୍ଜୁନ ଇନ୍ଦ୍ରଙ୍କ ପାଖକୁ ଯିବା ପାଇଁ ପ୍ରସ୍ତୁତ ହେଲେ । ବ୍ରାହ୍ମଣମାନେ ଅର୍ଜୁନଙ୍କୁ ଆଶୀର୍ବାଦ ଦେଲେ । ଅନ୍ୟ ଭାଇମାନେ କହିଲେ ତୁମେ ସଫଳ ହେଇ ଭଲରେ ଭଲରେ ଫେରିଆସ । ଦ୍ରୌପଦୀ କହିଲେ, ହେ ପାର୍ଥ ଆମମାନଙ୍କ ମାନ, ସମ୍ମାନ, ଶାନ୍ତି ଓ ସମୃଦ୍ଧି ଏବେ ତୁମ ହାତରେ । ମୁଁ ପ୍ରାର୍ଥନା କରୁଛି ତୁମେ ମଙ୍ଗଳରେ ଫେରିଆସ । ମନେରଖିଥିବ, ତୁମ ଫେରିବା ରାସ୍ତା ମୁଁ ଚାହିଁ ବସିଛି ।
ତାପରେ ବୀର ଧନଞ୍ଜୟ ସମସ୍ତଙ୍କ ପାଖରୁ ବିଦାୟ ନେଇ ହିମାଳୟ ଦିଗରେ ତାଙ୍କ ଯାତ୍ରା ଆରମ୍ଭ କଲେ । ବଣ, ଜଙ୍ଗଲ ଓ ନଦ-ନଦୀ ଅତିକ୍ରମ କରି ଅନେକ ରାସ୍ତା ଯିବା ପରେ ଅର୍ଜୁନ ଇନ୍ଦ୍ରନୀଳ ନାମକ ପର୍ବତ ପାଖରେ ପହଞ୍ଚିଲେ । ସେଠି ପହଞ୍ଚି ଦେଖିଲେ ଜଣେ ବୁଢା ତପସ୍ୱୀ ଗୋଟେ ଗଛ ତଳେ ବସିଛନ୍ତି । ଅର୍ଜୁନଙ୍କୁ ଦେଖି ସେ ବୃଦ୍ଧ ତପସ୍ୱୀ କହିଲେ, ହେ ଯୁବକ ! ଧନୁ, ତୀର ଓ ତୁଣୀର ଧରି କୁଆଡେ ଯାଉଛ? ଏ ଅଞ୍ଚଳରେ ତପସ୍ୱୀମାନେ ତପ ଆଚରଣ କରନ୍ତି । ଏ ସବୁ ମାରଣାସ୍ତ୍ରର ଏଠି କିଛି ଆବଶ୍ୟକତା ନାହିଁ । ସେସବୁ ପରିତ୍ୟାଗ କର ।
ଅର୍ଜୁନ ସେ ତପସ୍ୱୀଙ୍କ କଥା ଚୁପ ଚାପ ହେଇ କେବଳ ଶୁଣିଲେ । କିଛି ବି ବିଚଳିତ ହେଲେନି । ସ୍ଥିର ଦୃଷ୍ଟିରେ ଚାହିଁ ରହିବାରୁ ଇନ୍ଦ୍ର ନିଜର ପରିଚୟ ଦେଇ କହିଲେ, ହେ ପୁତ୍ର ମୁଁ ଦେବରାଜ ଇନ୍ଦ୍ର। ତୁମେ ମୋତେ ସାକ୍ଷାତ କରିବାକୁ ଆସୁଛ ଜାଣି ତୁମ ବାଟ ଚାହିଁ ବସିଥିଲି । ଏବେ ତୁମେ କ'ଣ କହୁଛ କୁହ । ଅର୍ଜୁନ କହିଲେ, ଆପଣଙ୍କ ପାଖକୁ ଦିବ୍ୟ ଅସ୍ତ୍ର ମାଗିବାକୁ ମୁଁ ଆସିଛି । ସେ ସବୁ ଦିବ୍ୟ ଅସ୍ତ୍ରର ବ୍ୟବହାର ବି ଆପଣଙ୍କ ପାଖରୁ ଶିକ୍ଷା କରିବାକୁ ଚାହୁଁଛି ।
ଇନ୍ଦ୍ର କହିଲେ ଦିବ୍ୟ ଅସ୍ତ୍ରର କାମନା କାହିଁକି? ତୁମେ ଚାହିଁଲେ ଅମରାବତୀରେ ରହିପାରିବ । ସ୍ୱର୍ଗର ସମସ୍ତ ସୁଖ ଶାନ୍ତି ଲାଭ କରି ଆନନ୍ଦରେ ସେଠି ରହିପାରିବ । କୁହ କ'ଣ ଚାହଁ? ଇନ୍ଦ୍ରଙ୍କ ପ୍ରସ୍ତାବ ଶୁଣି ଅର୍ଜୁନ କହିଲେ, ମୁଁ କୌଣସି ଅମରତ୍ୱ ସନ୍ଧାନରେ ଏଠାକୁ ଆସିନି । ଘୋର ଜଙ୍ଗଲ ଭିତରେ ପତ୍ନୀ ଓ ଭାଇମାନଙ୍କୁ ଛାଡିଦେଇ ଆସିଛି । ମୋର ଲକ୍ଷ୍ୟ ଶତ୍ରୁ ଜୟ କରିବା । ଆପଣଙ୍କ ପାଖରୁ ଦିବ୍ୟ ଅସ୍ତ୍ର ପ୍ରାପ୍ତ ହେଲେ ସହଜରେ ଶତ୍ରୁମାନଙ୍କୁ ପରାଜୟ କରିପାରିବି ।
ଇନ୍ଦ୍ର କହିଲେ, ତୁମକୁ ସେଥିପାଇଁ ପ୍ରଥମେ ମହାଦେବଙ୍କୁ ସନ୍ତୁଷ୍ଟ କରିବାକୁ ହେବ । ଅର୍ଜୁନ ତାପରେ ତପସ୍ୟା କରି ମହାଦେବଙ୍କୁ ସନ୍ତୁଷ୍ଟ କଲେ । ତାପରେ ଇନ୍ଦ୍ରଙ୍କ ରଥ ଆସି ଅର୍ଜୁନଙ୍କ ପାଖରେ ପହଞ୍ଚିଲା ଓ ସେ ଇନ୍ଦ୍ରଙ୍କ ରଥର ସାରଥି ମାତଳିଙ୍କ ସହ ସ୍ୱର୍ଗ ରାଜ୍ୟରେ ପ୍ରବେଶ କଲେ ।
ସ୍ୱର୍ଗର ସୁଷମା ଅଲଗା ଥିଲା । ଅର୍ଜୁନ ଐରାବତ ହାତୀ ଓ ଉଚେଶ୍ରବା ଘୋଡା ଦେଖିଲେ । ଗନ୍ଧର୍ବ ଓ ଅପସରୀମାନଙ୍କୁ ଦେଖିଲେ । ନନ୍ଦନକାନନ ବୁଲି ଅପୂର୍ବ ଫୁଲଫଳ ସବୁ ଦେଖିଲେ। ସୁଗନ୍ଧ ପାରିଜାତ ପୁଷ୍ପର ମହକ ଆଘ୍ରାଣ କଲେ । ଇନ୍ଦ୍ରଙ୍କ ଇନ୍ଦ୍ରପୁରୀର ସୌନ୍ଦର୍ଯ୍ୟ ଦେଖି ଅର୍ଜୁନ ପୁରା ପୁରି ମୋହିତ ହେଇଗଲେ । ଇନ୍ଦ୍ରଦେବ ଅର୍ଜୁନଙ୍କୁ ତାଙ୍କ ସଭାରେ ତାଙ୍କ ପାଖ ଆସନରେ ବସାଇଲେ ।
ସମସ୍ତ ଖୁସି ଓ ଆନନ୍ଦମୟ ପରିବେଶ ଥିଲେ ବି ଅର୍ଜୁନ ସେ ସବୁକୁ ଏତେ ଉପଭୋଗ କରିପାରୁନଥିଲେ । ତାଙ୍କୁ ସବୁବେଳେ ତାଙ୍କ ଭାଇ, ମାଆ କୁନ୍ତୀ ଓ ଦ୍ରୌପଦୀ ମନେ ପଡୁଥିଲେ । ମନ ଭିତରେ ଶଙ୍କା ରହୁଥିଲା ତାଙ୍କ ପରିବାରର ସମସ୍ତେ କୁଶଳରେ ଅଛନ୍ତି ତ?
ଅର୍ଜୁନଙ୍କ ମନୋଭାବ ଦେଖି ଦିନେ ଇନ୍ଦ୍ର କହିଲେ, ହେ ପୁତ୍ର! ତୁମେ ଚିତ୍ରସେନଙ୍କ ପାଖରୁ ନୃତ୍ୟଗୀତ ଶିକ୍ଷା କର । ନୃତ୍ୟଗୀତରେ ମନ ଦେଲେ ଚିତ୍ତ ପ୍ରଫୁଲ୍ଲ ରହିବ। ଦେବତାମାନଙ୍କ ଗୀତ ବାଦ୍ୟ ତୁମ ମର୍ତ୍ତ୍ୟଲୋକରେ ନାହିଁ । ତାପରେ ତୁମ ବିଦ୍ୟା ଶିକ୍ଷା ଅକାରଣରେ ଯିବନି । କୌଣସି ବିଦ୍ୟା କେବେବି ଅକାରଣରେ ଯାଏନି। ଉଚିତ ସମୟରେ ନିଶ୍ଚୟ କାମରେ ଆସିବ। ତାପରେ ଅର୍ଜୁନ ମନଦେଇ ଚିତ୍ରସେନ ଗନ୍ଧର୍ବଙ୍କ ପାଖରୁ ନୃତ୍ୟ, ଗୀତ ଓ ସଙ୍ଗୀତ ଶିକ୍ଷା କଲେ । ଦିନେ ସଭାରେ ଇନ୍ଦ୍ରଦେବ ଲକ୍ଷ କଲେ ଅର୍ଜୁନ ଏକ ଲୟରେ ଉର୍ବଶୀଙ୍କୁ ଚାହିଁ ରହିଛନ୍ତି । ଦେବରାଜ ସେଥିପାଇଁ ଚିତ୍ରସେନଙ୍କୁ ପାଖକୁ ଡାକି କହିଲେ ତୁମେ ସ୍ୱର୍ଗର ଶ୍ରେଷ୍ଠ ଅପସରୀ ଉର୍ବଶୀଙ୍କୁ କୁହ, ସେ ସେବା ଦେବାକୁ ଆଜି ରାତିରେ ଅର୍ଜୁନଙ୍କ ପାଖକୁ ଯିବେ । ଚିତ୍ରସେନ ତାପରେ ଉର୍ବଶୀଙ୍କ ପାଖରେ ପହଞ୍ଚି ଦେବରାଜଙ୍କ ଆଦେଶ ଓ ଅର୍ଜୁନଙ୍କ ରୂପ ଓ ଗୁଣ ବର୍ଣ୍ଣନା କରିବାକୁ ଲାଗିଲେ । ଅର୍ଜୁନଙ୍କ ଗୁଣ ଗ୍ରାମ ରୂପ ବିଷୟରେ ଶୁଣି ଉର୍ବଶୀ ଅର୍ଜୁନଙ୍କୁ ଏକାନ୍ତରେ ପାଇବାକୁ ବ୍ୟାକୁଳ ହେଇ ସନ୍ଧ୍ୟାକୁ ଅପେକ୍ଷା କଲେ ।
ଅଧିକ ପଢ଼ନ୍ତୁ: ବ୍ୟଭିଚାରୀ ଜ୍ୱାଇଁ ଓ ପାଞ୍ଚ ବେଣ୍ଟିଆ ରାଜା କଥା
ସନ୍ଧ୍ୟା ଆସିଲା ପରେ ଚନ୍ଦ୍ର ଉଦୟ ହେଲା । ପବନ ଅଧିକ ଶୀତଳ ଓ ସୁଗନ୍ଧ ଯୁକ୍ତ ହେଲା । ଉର୍ବଶୀ ନିଜକୁ ଅତ୍ୟନ୍ତ ସୁନ୍ଦର କରି ସଜାଇଲେ । ଦୁର୍ମୁଲ୍ୟ ଅଳଙ୍କାର ପିନ୍ଧିଲେ, ବାସ ଚନ୍ଦନ ଘେନିଲେ ଓ ମେଘ ରଙ୍ଗର ଝିନ ବସନ ପିନ୍ଧି ଅର୍ଜୁନଙ୍କ ପାଖରେ ପହଞ୍ଚିଲେ ।
ଅର୍ଜୁନଙ୍କ ବାସ ସ୍ଥାନରେ ପହଞ୍ଚି ଉର୍ବଶୀ କହିଲେ, ଆଜି ଦେବସଭାରେ ଆମେ ଅପସରୀମାନେ ଯେତବେଳେ ନୃତ୍ୟ ଓ ଗୀତ ପରିବେଷଣ କରୁଥିଲୁ ତୁମେ ଅପଲକ ନୟନରେ କେବଳ ମୋତେ ନିରୀକ୍ଷଣ କରୁଥିଲ । କାହିଁକି? ସେ କଥା ତୁମ ପିତା ଇନ୍ଦ୍ରଙ୍କ ଆଖିରେ ପଡିଛି । ସେଥିପାଇଁ ଦେବରାଜ ମୋତେ ତୁମକୁ ସୁଖ ଦେବାପାଇଁ ଆଦେଶ ଦେଇଛନ୍ତି । ଉର୍ବଶୀଙ୍କ କଥା ଶୁଣି ଅର୍ଜୁନ କାନରେ ହାତ ଦେଲେ । କହିଲେ ଆପଣ ଏ କ'ଣ କହୁଛନ୍ତି? ଆପଣ ମୋ ମାଆ ପରି । ରାଜା ପୁରୁରବାଙ୍କ ପତ୍ନୀ ଭାବରେ ପୁରୁ ବଂଶର ଜନନୀ ଆପଣ । ମୁଁ ଆପଣଙ୍କ ରକ୍ତ ସମ୍ପର୍କୀୟ । ଦେବ ସଭାରେ ସେଇ ମାତୃ ଭାବ ନେଇ ମୁଁ ଆପଣଙ୍କୁ ନିରୀକ୍ଷଣ କରୁଥିଲି । ମୋ ମନରେ ଅନ୍ୟ କୌଣସି ବିକାର ଭାବନା ନଥିଲା ।
କାମନାରେ ପୀଡ଼ିତା ଉର୍ବଶୀଙ୍କୁ ଅର୍ଜୁନଙ୍କ କଥା ଖରାପ ଲାଗିଲା । ସେ କହିଲେ, ତୁମ ମର୍ତ୍ତ୍ୟଲୋକର ନିୟମ ସ୍ୱର୍ଗଲୋକ ପାଇଁ ଏଠି ପ୍ରଯୁଯ୍ୟ ନୁହେଁ । ତୁମ ପିତା ଦେବରାଜଙ୍କ ଆଦେଶରେ ମୁଁ ଏଠିକୁ ଆସିଛି । ମୁଁ ଏବେ କନ୍ଦର୍ପ ପୀଡ଼ିତା ଓ ତୁମକୁ କାମନା କରୁଛି । ଦୟାକରି ମୋ କାମ ପୀଡ଼ା ଲାଘବ କର । କାମ ପୀଡ଼ିତା କୌଣସି ନାରୀକୁ ଏପରି ଉପେକ୍ଷା କରିବା ଉଚିତ ନୁହେଁ ।
ଅର୍ଜୁନ ଆହୁରି ନମ୍ର ହୋଇ କହିଲେ ମୋ ପାଖରେ ମୋ ମାଆ କୁନ୍ତୀ ଓ ସଚ୍ଚି ଦେବୀ ଯେପରି ଆପଣ ଠିକ୍ ସେମିତି । ମୋ ମନରେ ଆପଣଙ୍କ ପ୍ରତି କୌଣସି ବିକାର ନାହିଁ । ଦୟାକରି ମୋତେ ମାତୃହରଣ ଦୋଷରେ ଭାଗୀଦାର କରନ୍ତୁ ନାହିଁ ।
ଅର୍ଜୁନଙ୍କ ବାର ବାର ଉପେକ୍ଷା ଉର୍ବଶୀଙ୍କୁ ଅପମାନଜନକ ଲାଗିଲା । ତାଙ୍କ ପ୍ରଣୟକୁ ଜଣେ ସାଧାରଣ ମଣିଷ ପ୍ରତ୍ୟାଖ୍ୟାନ କରିବ ତାହା ସେ ଗ୍ରହଣ କରିପାରିଲେନି । ରାଗରେ ସେ ଥରିବାକୁ ଲାଗିଲେ । ଖର ନିଶ୍ୱାସ ନେଲେ ଓ ଚକ୍ଷୁ ବିସ୍ଫାରିତ କରି ଅର୍ଜୁନଙ୍କୁ ସିଧା ଅଭିଶାପ ଦେଇ କହିଲେ, ତୁମେ ମୋ ପ୍ରଣୟ ଭିକ୍ଷାକୁ ଏଡାଇ ଯାଇ ମୋତେ ଅପମାନିତ କରିଛ । ତା'ର ଫଳ ତୁମକୁ ନିଶ୍ଚୟ ଭୋଗିବାକୁ ହେବ । ତୁମେ କିଛିଦିନ ପୁରୁଷତ୍ୱ ହୀନ ନପୁଂସକ କ୍ଲୀବ ନର୍ତ୍ତକ ହେଇ ନାରୀମାନଙ୍କ ଗହଣରେ ରହିବ । ଏତିକି କହି ଉର୍ବଶୀ ଅର୍ଜୁନଙ୍କ ପାଖରୁ ଅପସରି ଗଲେ ।

ଅର୍ଜୁନ ଅଭିଶାପ ପାଇ ବିବ୍ରତ ହୋଇ ସିଧା ଚିତ୍ରସେନଙ୍କ ପାଖରେ ପହଞ୍ଚି ସମସ୍ତ ଘଟଣା କହିଲେ । ଚିତ୍ରସେନ ଯାଇ ଇନ୍ଦ୍ରଙ୍କୁ ଅବଗତ କରାଇଲେ । ଇନ୍ଦ୍ର ଅର୍ଜୁନଙ୍କୁ ଏକାନ୍ତକୁ ଡାକିନେଇ କହିଲେ, ପୁଅ ଏହି ଅଭିଶାପ ଦିନେ ତୁମ ପାଇଁ ବରଦାନ ହେବ । ସେଥିପାଇଁ ବ୍ୟସ୍ତ ହୁଅନି । ତୁମେମାନେ ଯେତବେଳେ ଅଜ୍ଞାତବାସରେ ରହିବ ସେତେବେଳେ କାମରେ ଲଗାଇବ । ବର୍ଷକର ଅଜ୍ଞାତବାସ ସମାପ୍ତ ହେଲେ ତୁମେ ପୁଣି ଥରେ ତୁମର ପୌରୁଷ ଫେରିପାଇବ ।
ଦିନେ ଇନ୍ଦ୍ରଙ୍କ ସଭାକୁ ମହର୍ଷି ଲୋମଶ ଆସିଥା'ନ୍ତି । ସେ ଇନ୍ଦ୍ରଙ୍କ ପାଖରେ ଅର୍ଜୁନଙ୍କୁ ବସିଥିବାର ଦେଖି ମନେ ମନେ ଭାବିଲେ ଏ କେମିତି ଆସି ଇନ୍ଦ୍ରଙ୍କ ପାଖରେ ବସିଛନ୍ତି? ଇନ୍ଦ୍ରଦେବ ମହର୍ଷି ଲୋମଶଙ୍କ ମନକଥା ପଢି ପକାଇ କହିଲେ, ହେ ମୁନି ଏ ହେଉଛନ୍ତି ମୋର ବୀର ପୁତ୍ର ଧନଞ୍ଜୟ । ଦରକାର ଅଛି ବୋଲି ଆମ ପାଖରୁ ଦୈବ ଅସ୍ତ୍ର ପ୍ରାପ୍ତ ହେବାକୁ ଆସିଛନ୍ତି । ନର ଓ ନାରାୟଣ ଦୁଷ୍ଟ ଦମନ ପାଇଁ ଧରାବତରଣ କରିଛନ୍ତି । ନାରାୟଣ ରୂପୀ କୃଷ୍ଣ ଦ୍ୱାରକାରେ ଓ ନର ରୂପୀ ଅର୍ଜୁନ ଆପଣଙ୍କ ସାମ୍ନାରେ ବସିଛନ୍ତି । ଧର୍ମରାଜ ଯୁଧିଷ୍ଠିର ତାଙ୍କ ଅନ୍ୟ ଭାଇମାନଙ୍କ ସହ ଏବେ ବନବାସରେ ।
ଇନ୍ଦ୍ରଙ୍କ ପାଖରୁ ଖବର ପାଇ ଯୁଧିଷ୍ଠିରଙ୍କୁ ସାକ୍ଷାତ କରିବାକୁ ମହର୍ଷି ଲୋମଶ ଦ୍ୱୈତବନକୁ ଯାତ୍ରା କଲେ ।