Advertisment

Precious Land: ସୁନାର ମୋହର ବିଛାଇ କିଣା ଯାଇଥିଲା ୪ ଗଜ ଜମି: ଯେତିକି ମୂଲ୍ୟବାନ ସେତିକି ପବିତ୍ର ଏ ମାଟି

ନବାବ ବଜିର ଖାନଙ୍କ ଦରବାରରେ ଦେୱାନ ଥିବା ଜୈନ ପଣ୍ଡିତ ଟୋଡରମଲ ଏଠାରେ ଚାରିଗଜ ଜମିକୁ କିଣିଥିଲେ । ସେ ଏହି ଜମି ଉପରେ ୭୮,୦୦୦ ସ୍ୱର୍ଣ୍ଣ ମୁଦ୍ରା ରଖି ମୋଗଲ ବାଦଶାହଙ୍କଠାରୁ ଏହି ଜମି କିଣିଥିଲେ । ଏହି ଜମିରେ ଗୁରୁ ଗୋବିନ୍ଦ ସିଂହଙ୍କ ଛୋଟ ପୁତ୍ର ୬ ବର୍ଷର ଜୋରାବର ସିଂହ, ୯ ବର୍ଷର ଫତେହ ସିଂହ ଏବଂ ମା’ ଗୁଜରୀ ଦେବୀଙ୍କ ଅନ୍ତିମ ସଂସ୍କାର କରିଥିଲେ ।

author-image
Minati Mishra
ଅଦ୍ୟତନ ହୋଇଛି
Precious Land

Precious Land

ଅମୂଲ ମୂଲ ହେଉଛି ମାଟିର ମୂଲ୍ୟ । ବିଶେଷକରି ସହରରେ ଜାଗା ଖଣ୍ଡିଏ କିଣିବା ସାଧାରଣ ଲୋକଙ୍କ ପାଇଁ ଏକ ସ୍ୱପ୍ନ ପାଲଟିଯାଇଛି । ତଥାପି ଜମି ବିକ୍ରି ହେଉଛି । ପୁଣି କୋଟି କୋଟି ଟଙ୍କାରେ । ଏମିତି ଏକ ଜମି ବ୍ରିକ୍ରି ହୋଇଛି ଯାହାର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ବିଶ୍ୱର ମୂଲ୍ୟବାନ ଜମି କହିଲେ ଭୁଲ ହେବନି । ଏହି ମୂଲ୍ୟବାନ ଜମି ରହିଛି ହଂକଂର ସେଣ୍ଟ୍ରାଲ ବିଜିନେସ ଜିଲ୍ଲାରେ । ୨୦୨୧ ଫେବୃଆରୀରେ ଏଠିକାର ୧.୨୪ ଏକର ଜମିର ମୂଲ୍ୟ ଥିଲା ୯୩୫ ମିଲିଅନ ଡଲାର । ଟଙ୍କାରେ ହିସାବ କଲେ ଏହାର ଦାମ ପାଖାପାଖି ୮୧ ଅରବ, ୫୫କୋଟି ଟଙ୍କା ହେବ ।

Advertisment

ଭାରତର ସବୁଠାରୁ ମୂଲ୍ୟବାନ ଜମିର କଥା ଯଦି କହିବା ତେବେ ମୁମ୍ବାଇକୁ ଯିବାକୁ ପଡିବ । ମୁମ୍ବାଇର ମାଲବାର ହିଲ୍ସ ଇଲାକାର ଜମି ଦାମ ଅନ୍ୟ ଜମି ତୁଳନାରେ ଯଥେଷ୍ଟ ଅଧିକ । ଏହାର ପ୍ରତି ବର୍ଗଫୁଟ ଜମିର ମୂଲ୍ୟ କୋଟିଏରୁ ଅଧିକ । ସମୁଦ୍ର କୂଳରେ ଥିବାରୁ ଏହାର ମୂଲ୍ୟ ବହୁତ ଅଧିକ । ଏସବୁକୁ ବାଦ ଦେଲେ, ବିଶ୍ୱର ସବୁଠାରୁ ମହଙ୍ଗା ଜମିର ମାନ୍ୟତା ଦିଆଯାଇଛି ପଞ୍ଜାବର ସରହିନ୍ଦ ଫତେହଗଡ ସାହିବକୁ ।

ଏହି ଜମିରେ ଗୁରୁ ଗୋବିନ୍ଦ ସିଂହଙ୍କ ଛୋଟ ଦୁଇ ସୁପୁତ୍ର ଏବଂ ମାତା ଗୁଜରୀ ଜୀଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ନବାବ ବଜିର ଖାନଙ୍କ ଦରବାରରେ ଦେୱାନ ଥିବା ଜୈନ ପଣ୍ଡିତ ଟୋଡରମଲ ଏଠାରେ ଚାରିଗଜ ଜମିକୁ କିଣିଥିଲେ । ସେ ଏହି ଜମି ଉପରେ ୭୮,୦୦୦ ସ୍ୱର୍ଣ୍ଣ ମୁଦ୍ରା ରଖି ମୋଗଲ ବାଦଶାହଙ୍କଠାରୁ ଏହି ଜମି କିଣିଥିଲେ । ଏହି ଜମିରେ ଗୁରୁ ଗୋବିନ୍ଦ ସିଂହଙ୍କ ଛୋଟ ପୁତ୍ର ୬ ବର୍ଷର ଜୋରାବର ସିଂହ, ୯ ବର୍ଷର ଫତେହ ସିଂହ ଏବଂ ମା’ ଗୁଜରୀ ଦେବୀଙ୍କ ଅନ୍ତିମ ସଂସ୍କାର କରିଥିଲେ ।

Advertisment

ଜମି ଉପରେ ବିଛାଇ ଦେଇଥିଲେ ସୁନାର ମୋହର

ଦୁଇ ପୁତ୍ର ଏବଂ ମା’ ଗୁଜରୀ ଦେବୀଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ପାଇଁ ନବାବ ବଜୀର ଖାନ ଜାଗା ଦେଇ ନ ଥିଲେ । ଦେୱାନ ଟୋଡରମଲ ଯେତେବେଳେ ମୋଗଲ ଶାସକଙ୍କୁ ଅନ୍ତିମ ସଂସ୍କାର ପାଇଁ ଜମି ମାଗିଥିଲେ ସେତେବେଳେ ସେ ଅଜବ ଯୁକ୍ତି ରଖିଥିଲେ । ମାଟି ଉପରେ ସୁନାର ମୋହର ବିଛାଇବେ । ଯେତିକି ଜାଗାରେ ସୁନାର ମୋହର ବିଛାଇବେ ସେତିକି ଜାଗା ନେବେ । ଆଉ ସୁନା ମୋହର ମୋଗଲ ଶାସକ ନେବେ । ଦେୱାନ ଟୋଡରମଲ ନିଜର କିଛି ସମ୍ପତ୍ତି ବିକ୍ର ସୁନାର ମୁଦ୍ରା ଯୋଗାଡ କରିଥିଲେ । ଶେଷରେ ୭୮ ହଜାର ସ୍ୱର୍ଣ୍ଣ ମୁଦ୍ରା ବିଛାଇ ଏହି ଜମି କିଣିଥିଲେ ଏବଂ ପତ୍ନୀଙ୍କ ସହାୟତାରେ ଫତେହଗଡ ସାହିବରେ ତିନି ଜଣଙ୍କର ଅନ୍ତିମ ସଂସ୍କାର କରିଥିଲେ । ସାରା ବିଶ୍ୱରେ ଏପରି ତ୍ୟାଗର ଉଦାହରଣ ଖୁବ ବିରଳ । ଏହି କାରଣରୁ ଫତେହଗଡ ସାହିବ ଜମିକୁ ବିଶ୍ୱର ସବୁଠାରୁ ମୂଲ୍ୟବାନ ଜମି ବୋଲି କୁହାଯାଏ ।

ମୋଗଲ ଶାସକଙ୍କ ଦ୍ୱାରା ଗିରଫ ହୋଇଥିଲେ ଦୁଇ ପୁଅ ଓ ମା’

ଶିଖଙ୍କ ଦଶମ ତଥା ଶେଷ ଗୁରୁ ଗୋବିନ୍ଦ ସିଂହ ଯେତେବେଳେ ଶ୍ରୀ ଆନନ୍ଦପୁର ଦୁର୍ଗ ଛାଡିଥିଲେ ସେତେବେଳେ ତାଙ୍କ ପରିବାର ସିରସା ନଦୀ ଉପରେ ଅଲଗା ହୋଇ ଯାଇଥିଲେ । ଦୁଇ ବଡ ପୁତ୍ର ଗୁରୁ ଗୋବିନ୍ଦ ସିଂହଙ୍କ ପାଖରେ ରହିଗଲେ । ସାନ ଦୁଇ ପୁତ୍ର ମାତା ଗୁଜରୀଙ୍କ ପାଖରେ ରହି ଯାଇଥିଲେ । ୧୭୦୫ ମସିହାରେ ଦୁଇ ପୁତ୍ର ଜୋରାବର ସିଂହ ଏବଂ ଫତେହ ସିଂଙ୍କ ସହ ମାତା ଗୁଜରୀଙ୍କୁ ସେହଦି ଗାଁ ନିକଟରେ ମୋଗଲମାନେ ଗିରଫ କରିନେଲେ ଏବଂ ଫତେହଗଡ ସାହିବରେ ରଖିଥିଲେ ।

ଅଧିକ ପଢ଼ନ୍ତୁ: ବିନା ସାବୁନ ଓ ଡିଟରଜେଣ୍ଟରେ, ପ୍ରାଚୀନ ପଦ୍ଧତିରେ ରାଜାରାଣୀଙ୍କ ପୋଷାକର ଅସାଧାରଣ ଚମକ

ଇସଲାମ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରିଥିଲେ

ଫତେହଗଡ ସାହିବରେ ଏହି ତିନିଜଣଙ୍କୁ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ କୁହାଯାଇଥିଲା । ହେଲେ ଗୋବିନ୍ଦ ସିଂହଙ୍କ ଦୁଇ ପୁତ୍ର ଏହି ସର୍ତ୍ତରେ ରାଜି ହୋଇ ନ ଥିଲେ । ଏଥିରେ କ୍ଷୁବ୍ଧ ହୋଇ ମୋଗଲମାନେ ତିନିଜଣଙ୍କୁ ଖୁବ ନିର୍ଯାତନା ଦେଇଥିଲେ । ଏପରିକି ତିନିଜଣଙ୍କୁ ନେଇ ତିନି ଦିନ, ତିନିରାତି ଏକ ଥଣ୍ଡା ବୁର୍ଜ ଭିତରେ ରଖିଥିଲେ । ଏହା ପରେ ବି ସେମାନେ ଇସଲାମ ଧର୍ମ ଗ୍ରହଣ କରିବାକୁ ରାଜି ହୋଇ ନ ଥିଲେ । ଶେଷରେ କ୍ଷୁବ୍ଧ ହୋଇ ଦୁଇ ପୁତ୍ରଙ୍କୁ କାନ୍ଥ ଭିତରେ ଜୀବନ୍ତ ସମାଧୀ ଦେଇଦେଲେ । ଦୁଇ ପୁତ୍ର ସହିଦ ହେବା ପରେ ମାତା ଗୁଜରୀ ପ୍ରାଣ ତ୍ୟାଗ କରି ଦେଇଥିଲେ । ଏହା ପରେ ବି ନବାବ ବଜିର ଖାନ ତିନିଜଣଙ୍କ ପାର୍ଥିବ ଶରୀରକୁ ଫେରାଇ ନ ଥିଲେ କି ଅନ୍ତିମ ସଂସ୍କାର ପାଇଁ ଜମି ଦେଇ ନ ଥିଲେ । ଶେଷରେ ଟୋଡରମଲ ସାମ୍ନାକୁ ଆସିଥିଲେ ।

ଏହି ସ୍ଥାନରେ ଛିଡ଼ା ହୋଇଛି ଗୁରୁଦ୍ୱାର

ଦେୱାନ ଟୋଡରମଲ ଯେତେବେଳେ ଶିଖ ଧର୍ମ ପ୍ରତି ନିଜ ଦାୟିତ୍ୱବୋଧକୁ ସ୍ୱୀକାର କରି ଜମି ଉପରେ ସୁନା ମୋହର ବିଛାଇ ଦେଇଥିଲେ, ଏହା ଦେଖି ନବାବ ବଜିର ଖାନର ଲୋଭ ବଢି ଯାଇଥିଲା । ସୁନାର ମୁଦ୍ରା ଛିଡା କରି ରଖିବା ପାଇଁ ସେ ସର୍ତ୍ତ ରଖିଥିଲେ । ଟୋଡରମଲ ଏ ସର୍ତ୍ତକୁ ବି ମାନିଥିଲେ । ସ୍ୱର୍ଣ୍ଣ ମୁଦ୍ରାକୁ ଛିଡା କରି ଲଗାଇଥିଲେ । ସେତେବେଳେ ସ୍ୱର୍ଣ୍ଣ ମୁଦ୍ରାର ଓଜନ ଯାହା ଥିଲା ସେ ଅନୁସାରେ ହିସାବ କଲେ ୭୮ ହଜାର ସ୍ୱର୍ଣ୍ଣ ମୁଦ୍ରାର ଓଜନ ୭ରୁ ୮ ଟନ ହେବ । ସେ ସମୟର ମୂଲ୍ୟ ଅନୁସାରେ ଏହି ଜମିର ମୂଲ୍ୟ ଦୁଇରୁ ତିନି ଅରବ ମଧ୍ୟରେ ରହିବ । ଏହାକୁ ଆଜିର ମୂଲ୍ୟ ପକାଇ ହିସାବ କଲେ କେତେ ହେବ ତାହା ସହଜରେ ଅନୁମେୟ । ଏହା ପରେ ଶିଖଙ୍କ ପାଇଁ ଏହି ଜମି କେବଳ ମୂଲ୍ୟବାନ ନୁହେଁ ପବିତ୍ର ଭୂମି ପାଲଟି ଯାଇଥିଲା । ଯେଉଁ ଜାଗାରେ ଦୁଇ ପୁତ୍ର ଏବଂ ମାତା ଗୁଜରୀଙ୍କର ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ଦିଆଗଲା ସେହି ସ୍ଥାନରେ ସ୍ଥାନରେ ଏବେ ଗୁରୁଦ୍ୱାରା ଶ୍ରୀ ଜ୍ୟୋତି ସ୍ୱରୂପ ସାହିବ ଅଛନ୍ତି । ଏହି ଗୁରୁଦ୍ୱାରର ବେସମେଣ୍ଟର ନାମ ଦେୱାନ ଟୋଡରମଲଙ୍କ ସ୍ମୃତିରେ ଦେୱାନ ଟୋଡରମଲ ଜୈନ ହଲ ରଖାଯାଇଛି ।

କିଏ ଏହି ଟୋଡରମଲ ?

ଜମିଜମା ମାମଲାରେ ଜଣେ ବିଶେଷଜ୍ଞ ଭାବେ ପରିଚିତ ଥିଲେ ଟୋଡରମଲ । ସେଥିପାଇଁ ତାଙ୍କୁ ନବାବ ବଜିର ଖାନଙ୍କ ଦରବାରରେ ଦେୱାନ ଭାବେ ନିଯୁକ୍ତି ମିଳିଥିଲା । ତେବେ ଶିଖ ଗୁରୁଙ୍କ ପାଇଁ ତାଙ୍କର ତ୍ୟାଗ ବୋଧହୁଏ ଇତିହାସରେ ବିରଳ । ଟୋଡରମଲଙ୍କ କୋଠା ଫତେହଡ ସାହିବର ହରନାମ ନଗରରେ ଆଜି ବି ଛିଡ଼ା ହୋଇଛି । ଏହି କୋଠା ଜାହାଜ ହବେଲି ବା ଜାହାଜ ମହଲ ନାମରେ ପ୍ରସିଦ୍ଧ ଅଟେ । ଫତେହଗଡ ସାହିବଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏହା ଅବସ୍ଥିତ । ଏହାର ରକ୍ଷଣାବେକ୍ଷଣ ପଞ୍ଜାବ ସରକାର ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ସାହାଯ୍ୟରେ କରନ୍ତି ।

ପ୍ରତିବଦଳରେ କ’ଣ ମାଗିଥିଲେ ଟୋଡରମଲ ?

ଯେତେବେଳେ ଗୁରୁ ଗୋବିନ୍ଦ ସିଂହ ଏ ବିଷୟରେ ଜାଣିଲେ ସେତେବେଳେ ସେ ଟୋଡରମଲଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ । ଏସବୁ ବଦଳରେ ସେ ଟୋଡରମଲଙ୍କୁ କିଛି ମାଗିବା ପାଇଁ କହିଥିଲେ । ଏହାର ଉତ୍ତରରେ ଟୋଡରମଲ ଯାହା ମାଗିଥିଲେ ତାହା ମଧ୍ୟ ଥିଲା ତ୍ୟାଗର ଆଉ ଏକ ନମୁନା । ଟୋଡରମଲ ଗୁରୁ ଗୋବିନ୍ଦ ସିଂହଙ୍କୁ କହିଥିଲେ, ‘ମୋତେ ଏପରି ଆଶୀର୍ବାଦ ଦିଅନ୍ତୁ ଯେମିତି ମୋ ଘରେ କେହି ପୁତ୍ର ଜନ୍ମ ହେବେ ନାହିଁ । ମୋର ବଂଶ ମୋ ସହ ଶେଷ ହୋଇଯାଉ ।’ ଗୁରୁ ଗୋବିନ୍ଦ ସିଂହ ଏପରି ମାଗିବାର କାରଣ ପଚାରନ୍ତେ, ଟୋଡରମଲ କହିଥିଲେ, ‘ଯେଉଁ ଜମି ଏତେ ଦାମ ଦେଇ କିଣାଯାଇଛି ଏବଂ ଆପଣଙ୍କ ଚରଣରେ ସମର୍ପି ଦେଇଛି, ମୁଁ ଚାହେଁନି ଭବିଷ୍ୟତରେ ମୋ ବଂଶଜ କେହି କହୁ ଯେ ଏହି ଜମି ମୋର ପୂର୍ବପୁରୂଷ କିଣିଥିଲେ ।’

ଦେୱାନ ଟୋଡରମଲଙ୍କର ଶିଖ ଗୁରୁଙ୍କ ପ୍ରତି ନିଷ୍ଠା ଏବଂ ତ୍ୟାଗ ପ୍ରକୃତରେ ଏକ ଅନନ୍ୟ ଉଦାହାରଣ ଅଟେ । ଏଥିପାଇଁ ତାଙ୍କର ନାମ ଶିଖ ଇତିହାସରେ ସବୁବେଳେ ସମ୍ମାନର ସହ ଉଚ୍ଚାରଣ କରାଯାଉଥିବ ।

ବି.ଦ୍ର. - ଏହା ଲେଖିକାଙ୍କ ନିଜସ୍ୱ ମତ । 

ଅଧିକ ପଢ଼ନ୍ତୁ: ରହସ୍ୟମୟ ଇଡ଼ିତାଲ୍ ଚିତ୍ରକଳା: ସଉରା ଆଦିବାସୀଙ୍କ ଗାଁରେ କାହିଁକି ନାହିଁ ଆଉ ଅସଲି ସଉରା କଳା ?

Mumbai Punjab Land Registration
Advertisment
Advertisment