• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରେଢାଖୋଲ (ରମାକାନ୍ତ ମହାନନ୍ଦ ) : ଆମ ଗାଁର ନୁହୁରାଣୀ ନାଳ ମୋ ପାଠପଢାକୁ ଧୂଳିସାତ କରୁଛି । ଆସନ୍ତା ବର୍ଷ ମୋ ସାନ ଭଉଣୀ ମଧ୍ୟ ପଢିବାକୁ ଯିବ । ଗାଁ ଲୋକେ ଏହି ନୁହୁରାଣୀ ନାଳ ପାଇଁ ନାହଁନଥିବା ଅସୁବିଧା ଭୋଗୁଛନ୍ତି। ପୋଲଟିଏ ନିର୍ମାଣ ହେଲେ ପାଠପଢା ସହିତ ଗାଁର ଦୁଃଖ ଯାଆନ୍ତା । ଏଭଳି କିଛି ଲେଖି ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଦେଇଥିଲେ ସମ୍ବଲପୁର ଜିଲ୍ଲା ଶେଷ ସୀମା ନାକଟିଦେଉଳ ବ୍ଲକ କୁଢାନାଳୀ ଗାଁର ଭାଇ ଭଉଣୀ ଆୟୂଷ ରଂଜନ ରାଉତ ଓ ଆଦ୍ୟାଶା ପ୍ରିୟରଂଜନ ରାଉତ ।

ସମ୍ବଲପୁର ଜିଲ୍ଲାର ଶେଷ ସୀମା ନିଘଞ୍ଚ ଜଙ୍ଗଲ ଭିତରେ ରହିଛି କୁଢାନାଳି ସହିତ ୫ ଖଣ୍ଡ ଗାଁ । ପ୍ରାୟ ୪ଶହ ଲୋକ ରୁହନ୍ତି ।  ଲୋକଙ୍କୁ ନିଜ ପଞ୍ଚାୟତ ନାକଟିଦେଉଳକୁ ଯିବା ପାଇଁ ୭୦ କିମି ପାର୍ ହୋଇ ଯାଆନ୍ତି । ଏବେ କିନ୍ତୁ ଏହି ନୁହୁରାଣୀ ନାଳ ଦେଇ ଗଲେ କମ ରାସ୍ତା ପଡିବ । ଗାଁ ଲୋକଙ୍କ ଅସୁବିଧାକୁ ବୁଝି ଆୟୁଷଙ୍କୁ ୬ବର୍ଷ ହୋଇଥିବା ବେଳେ ସେ ପ୍ରଥମ ଚିଠି ଲେଖିଥିଲେ ।

ସେତେବେଳେ ଭଉଣୀ ଆଦ୍ୟାଶାଙ୍କୁ ୩ବର୍ଷ ହୋଇଥିଲା । ଆଉ ଆୟୁଷ ପ୍ରଥମ ଶ୍ରେଣୀରେ ପାଠ ପଢ଼ୁଥିଲେ । ୨୦୧୩ ମସିହାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ୨୦୧୪ ମସିହାରେ ମାନବଧିକାର କମିସନ ଶେଷରେ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଜିଲ୍ଲା ସୀମା ବିବାଦ ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରୁନଥିଲା ।

ବହୁ ସଂଘର୍ଷ ପରେ କେବଳ ଭାଇଭଉଣୀଙ୍କ ଚିଠି ଦରଖାସ୍ତ ମାଧ୍ୟମରେ ସରକାର ଏକ ପ୍ରକାର ବାଧ୍ୟ ହୋଇଥିଲେ ଗାଁରେ ବ୍ରିଜ ନିର୍ମାଣ କରିବା ପାଇଁ । ଶେଷରେ ମୁଖ୍ୟଶାସନ ସଚିବଙ୍କୁ ନର୍ଦ୍ଦେଶ ଆସିଲା ପରେ ବିଭାଗୀୟ ଟେଣ୍ଡର ହୋଇ କାମ ହେଲା । ଏହି ପୋଲଟି କେବଳ ଉଦଘାଟନ ହେବାକୁ ବାକି ରହିଛି । ବିଳମ୍ବରେ ହେଲେ ବି ଶେଷରେ ଭାଇଭଉଣୀଙ୍କ କଥା ଶୁଣିଛନ୍ତି ସରକାର ।

ayushନାଳ ପାଇଁ ଚିଠି ଲେଖିଥିବା ଆୟୁଷ

ଆମ ଗାଁରେ ନାଳ ଟିଏ ଅଛି, ନୁହୁରାଣୀ ନାଳ । ହେଲେ ନାଳ ଉପରେ ପୋଲଟିଏ ନଥିଲା । ବର୍ଷା ଦିନେ ପ୍ରବଳ ପାଣି ପ୍ରବାହିତ ହେବାରୁ ଲୋକେ ଯିବାଆସିବାରେ ହଇରାଣ ହେଉଥିଲେ । ମୁଁ ବି ସ୍କୁଲ ଯିବା ସମୟରେ ହଇରାଣ ହେଉଥିଲି । ମୋ ବାପା ୨୦୧୩ ମସିହାରେ ନାଳ ପାର କରିବା ସମୟରେ ଏଇଠି ଫସିଯାଇଥିଲେ । ହେଲେ ଭଗବାନଙ୍କ ଦୟାରୁ ରକ୍ଷା ପାଇ ଯାଇଥିଲେ । ଏହାପରେ ମୁଁ ଏହି ସମସ୍ୟାର ସମାଧାନ ପାଇଁ ଚିନ୍ତା କରିଥିଲି । ଆଉ ୨୦୧୩ ମସିହାରେ ହିଁ ପୋଲ ଟିଏ ପାଇଁ ଚିଠି ଲେଖିଥିଲା । ଅନେକ ବର୍ଷ ପରେ ହେଉ ମଧ୍ୟ ଆଜି ନାଳ ଉପରେ ପୋଲଟିଏ ତିଆରି ହୋଇଛି । ମୁଁ ବହୁତ ଖୁସି ଅଛି ବୋଲି କହିଛନ୍ତି ଆୟୁଷ ।  

 

bridgeପୋଲ ତିଆରି ପରେ ଖୁସିରେ ଝୁମୁଛନ୍ତି ଗ୍ରାମବାସୀ

ମୁଁ ଏବେ ନୁହୁରାଣୀ ବ୍ରିଜ ଉପରେ ଛିଡ଼ା ହୋଇଛି । ମୋ ଖୁସି କହିଲେ ନସରେ । ପୂର୍ବରୁ ଦୁଇ କୂଳ ଖାଉଥିଲା ନାଳ । ଏପଟ ଲୋକ ସେପଟେ ଯାଇପାରୁ ନଥିଲେ, ସେପଟ ଲୋକ ଏପଟେ ଆସି ପାରୁନଥିଲେ । ହେଲେ ଆମ ଗାଁର ଦୁଇ କୁନି ପୁଅଝିଅ ଏ ସମସ୍ୟାର ସମାଧାନ କରିଛନ୍ତି । ତାଙ୍କର ସଂଘର୍ଷ ପରେ ଆମେ ସଫଳତା ପାଇଛୁ । ଦୁଇ ପିଲାଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ଜଣେ ଗ୍ରାମବାସୀ ।

କେବଳ ପୋଲ ଟି ଗାଁ ଲୋକଙ୍କ ସମସ୍ୟାର ସମାଧାନ କରିନି ବରଂ ଉଭୟ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ସୀମାକୁ ଯୋଡିଛି । ଏବେ ଏହା ଉପରେ ଚାଲିଛି ଗାଡି ଲୋକେ ବି ଯାଉଛନ୍ତି ନିରାପଦରେ । ସମସ୍ତେ ଖୁସି ବୋଲି ଭାଇ ଭଉଣୀ କହିଛନ୍ତି । ଏବେ ଭାଇଭଉଣୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଗାଁ ଲୋକ । ଉଭୟ ବର୍ତ୍ତମାନ ଦେବଗଡ ସରସ୍ୱତୀ ଶିଶୁମନ୍ଦିରରେ ପାଠ ପଢୁଛନ୍ତି । ପୋଲର ନାଁ ଦୁଇ ଭାଇଭଉଣୀ ଙ୍କ ନାଁରେ ନାମିତ କରିବାକୁ ଗାଁ ଲୋକେ ଦାବି କରିଛନ୍ତି ।