• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁନା ବଜାରରେ ନିଆଁ । ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆଶଙ୍କା ଯେତିକି ବଢୁଛି, ସେତିକି ମହଙ୍ଗା ହେଉଛି ସୁନା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ୫୦ ହଜାର ଟପିଛି । ଯାହାକି ବର୍ଷକ ଭିତରେ ସବୁଠାରୁ ଅଧିକ । ରାଜ୍ୟରେ ଗତ ୧୫ ଦିନରେ ୧୦ ଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା ।

ଭୁବନେଶ୍ୱରରେ ଫେବ୍ରୁଆରୀ ୪ରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଥିଲା ୪୯ ହଜାର ୬୫୦ ଟଙ୍କା । ଏ ଭିତରେ ୨ ହଜାର ୮୦ ଟଙ୍କା ବଢ଼ି ଆଜି ପହଞ୍ଚିଛି ୫୧ ହଜାର ୭୩୦ ଟଙ୍କାରେ । ସେହିଭଳି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ହଜାର ୩୩୦ ଟଙ୍କା ମହଙ୍ଗା ହୋଇ ୪୬ ହଜାର ୧୩୦ ଟଙ୍କା ଛୁଇଁଲାଣି । ୧୫ ଦିନ ତଳେ ଏହା ୪୪ ହଜାର ୮୦୦ ଟଙ୍କାରେ ବିକ୍ରି ହେଉଥିଲା । ତେବେ ରୁପା ମୂଲ୍ୟ ପୂର୍ବଭଳି କିଲୋଗ୍ରାମ ପିଛା ୬୫ ହଜାର ଟଙ୍କାରେ ସ୍ଥିର ରହିଛି ।

ବଜାର ବିଶେଷଜ୍ଞଙ୍କ କହିବା କଥା, ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆଶଙ୍କା ଯୋଗୁ ଆନ୍ତର୍ଜାତିକ ବଜାରରେ ଲାଗି ରହିଛି ଅସ୍ଥିରତା । ସେହିପରି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇଛି । ତେଣୁ ସୁନାରେ ପୁଞ୍ଜି ଖଟାଇବାକୁ ସୁରକ୍ଷିତ ମଣୁଛନ୍ତି ନିବେଶକ, ଯାହାକି ସୁନା ଦର ବୃଦ୍ଧିର ମୁଖ୍ୟ କାରଣ ।

ରୁଷ-ୟୁକ୍ରେନ୍ ବିବାଦ ପାଇଁ କେବଳ ସୁନା ନୁହେଁ, ଅଶୋଧିତ ତେଲ ଦର ବି ହୁ ହୁ ହୋଇ ବଢ଼ିଚାଲିଛି । ଯେହେତୁ ରୁଷ ତୈଳର ଏକ ବଡ଼ ଉତ୍ପାଦନକାରୀ, ଏଣୁ ତେଲ ଦର ମହଙ୍ଗା ହେବ ବୋଲି ଆଶଙ୍କା କଲେଣି ବିଶେଷଜ୍ଞ । ଏପଟେ ପେଟ୍ରୋଲିୟମ ଡିଲର ସଂଘର କହିବା କଥା, ନଭେମ୍ବର ୬ ପରଠୁ ଦେଶରେ ସ୍ଥିର ରହିଛି ପେଟ୍ରୋଲ-ଡିଜେଲ ଦର । ସେବେଠୁ ବର୍ତ୍ତମାନ ସୁଦ୍ଧା ଅଶୋଧିତ ତେଲ ବ୍ୟାରେଲ ପିଛା ପାଖାପାଖି ୧୩ ଡଲାର ବଢ଼ି ୯୫ ଡଲାର ଛୁଇଁଲାଣି । ଏହି ହିସାବରେ ପେଟ୍ରୋଲ ଦର ଲିଟର ପିଛା ୬ ଟଙ୍କା ବଢ଼ିବା କଥା । ଯଦି ରୁଷ-ୟୁକ୍ରେନ୍ ସ୍ଥିତି ନ ସୁଧୁରିବ, ତେବେ ନିର୍ବାଚନ ପରେ ତେଲ ଦର ମହଙ୍ଗା ହେବା ସୁନିଶ୍ଚିତ ।

ଏସବୁ ଭିତରେ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ୟୁକ୍ରେନ୍‌ସ୍ଥିତ ଭାରତୀୟ ଦୂତାବାସ । ସେମାନଙ୍କ ଭାରତ ପ୍ରତ୍ୟାବର୍ତ୍ତନ ଲାଗି ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଥିବା ଦୂତାବାସ ପକ୍ଷରୁ କୁହାଯାଇଛି ।