• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରିଲା ତୃତୀୟ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଉପକୂଳରୁ ଉପାନ୍ତ ସବୁଠି ଆଗ୍ରହର ସହ ନିଜ ନିଜର ମନପସନ୍ଦର ପ୍ରାର୍ଥୀ ବାଛିଲେ ଭୋଟର୍ । ଯୁବ, ମହିଳା, ବୟସ୍କ ହୁଅନ୍ତୁ କି ଦିବ୍ୟାଙ୍ଗ ମତଦାତା, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଥିଲେ । ତେବେ ପ୍ରଥମ ଥର ଭୋଟ୍ ଦେଉଥିବା ଯୁବ ଭୋଟରଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି । ନିର୍ଣ୍ଣୟ ହୋଇଛି ୧୩୮୨ ପଞ୍ଚାୟତରେ ସରପଂଚ ଓ ସମିତି ସଭ୍ୟଙ୍କ ଭାଗ୍ୟ ।

ଗଂଜାମ ଧରାକୋଟ୍ ବ୍ଲକ ସାବା ପଂଚାୟତର କୋଟିଣଗଣ୍ଡା ଓ ଅଶୋକପଲ୍ଲୀର ଦୁଇଟି ସ୍ଥାନରେ ଗଛମୂଳେ ଭୋଟ୍ ଦେଇଛନ୍ତି ଭୋଟର୍ । ଗାଁରେ କୌଣସି ସ୍କୁଲ ଗୃହ କିମ୍ବା କମ୍ୟୁନିଟି ହଲ୍ ନଥିବାରୁ ଗଛ ତଳେ ଭୋଟ୍‌ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ । ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ର କଟ୍ରକଣାରେ ବି ଅସ୍ଥାୟୀ ବୁଥ୍‌ରେ ମତଦାନ ହୋଇଥିଲା ।

ଭୋଟର୍ ତାଲିକାରେ ନାଁ ନଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ରାୟଗଡ଼ା ଜିଲ୍ଲା ନିୟମଗିରି ଅଞ୍ଚଳରେ । ସୁନାଖଣ୍ଡି ପଂଚାୟତ ରାଇଲିମା ଗାଁରେ ଭୋଟ୍ ବାକ୍ସ ଉଠାଇ ନେଇଥିଲେ ସ୍ଥାନୀୟ ଡଙ୍ଗରିଆ କନ୍ଧ । ଘଟଣାସ୍ଥଳରେ ଏସ୍‌ଡିପିଓ ଓ ତହସଲିଦାର ପହଞ୍ଚି ବୁଝାସୁଝା କରିବା ପରେ ଭୋଟ୍ ବାକ୍ସ ଫେରାଇଥିଲେ ସତ, କିନ୍ତୁ ସେଠାରେ ମତଦାନ ବାଧାପ୍ରାପ୍ତ ହୋଇଛି । ସେହିପରି ୧୫ ବର୍ଷ ପରେ ଭୋଟ୍ ଦେଉଥିବା ପାରସାଲି ପଂଚାୟତର ଅନେକ ବୁଥ୍‌ରେ ଖାଁ ଖାଁ ପରିବେଶରେ ମତଦାନ ହୋଇଛି ।

ମାଓ ଇଲାକାଗୁଡ଼ିକରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ବଲାଙ୍ଗିର ତୁରେଇକେଲା ବ୍ଲକରେ ପୋଲିସ୍ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ସ୍ଥିତି ଉପରେ ନଜର ରଖିଥିଲା । ରାୟଗଡ଼ା କଲ୍ୟାଣସିଂହପୁର ଥାନା ଅନର୍ଗତ କାନୁସୁର ନିକଟ ଏକ ପୋଲ ନିକଟରୁ ମିଳିଥିବା ବୋମାକୁ ନିଷ୍କ୍ରିୟ କରାଯାଇଛି । ସେପଟେ ଗାଁକୁ ରାସ୍ତା ନଥିବାରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଂଚାୟତ ଡଙ୍ଗାବାହାଳୀ ଗାଁ ଲୋକେ ସାମୁହିକ ଭୋଟ୍ ବର୍ଜନ କରିଛନ୍ତି । ଠିକ୍‌ ସେହିଭଳି କୁମ୍ଭାରିରୁ ଭୋଇଟିକ୍ରା ପର୍ଯ୍ୟନ୍ତ ରାସ୍ତା ନଥିବାରୁ ବରଗଡ଼ ବରପାଲି ବ୍ଲକ ଭୋଇଟିକ୍ରା ଗାଁ ଲୋକେ ବି ଭୋଟ୍ ଦେଇନାହାନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ହେଭିୱେଟ୍ ନେତାମାନେ ଆଜି ଭୋଟ୍ ଦେଇଛନ୍ତି । ବିଜେପି ବିଧାୟକ ବିଷ୍ଣୁ ସେଠୀ, ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ନିଜ ନିଜ ବୁଥ୍‌କୁ ଯାଇ ମତାଧିକାର ସାବ୍ୟସ୍ତ କରିଥିଲେ ।