Advertisment

ପଞ୍ଚାୟତ ପୋଲ୍‌ରେ ଫିକ୍ସିଂ: ନିର୍ଦ୍ୱନ୍ଦ୍ୱରେ ଜିତାଇବାକୁ ୧୦ ଲକ୍ଷର ଡିଲ୍

ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ରଶ୍ମିତା ଓ ପ୍ରିୟଙ୍କାଙ୍କ ବିରୋଧରେ କେହି ଛିଡ଼ା ହେବେ ନାହିଁ।

author-image
Chandan Shishu
undefined

Panchayat Vote Fixing

ବ୍ରହ୍ମପୁର: ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍। ଦୁଇ ପଦରେ ଦୁଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ୧୦ ଲକ୍ଷ ଟଙ୍କାର ଡିଲ୍ ପାଇଁ ଲିଖିତ ଚୁକ୍ତିନାମା। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ପଞ୍ଚାୟତରୁ। ଚେକ୍ ସହିତ ଚୁକ୍ତିର ଦସ୍ତାବିଜ ଲାଗିଛି ଓଟିଭି ହାତରେ। ଚାନ୍ଦପୁର ପଞ୍ଚାୟତରୁ ସରପଞ୍ଚ ଭାବେ ସି.ରଶ୍ମିତା ପାତ୍ର ଓ ସମିତି ସଭ୍ୟ ଭାବେ ପ୍ରିୟଙ୍କା ଦଳାଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି କିନ୍ତୁ ଏହି ଅଞ୍ଚଳର ଜିଲ୍ଲା ପରିଷଦ ପ୍ରାର୍ଥୀ କାଜଲ ପାତ୍ର ଅଭିଯୋଗ କରିଛନ୍ତି ଯେ, ଏଠାକାର ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ ଫିକ୍ସ ହୋଇଛି।

Advertisment

ରଶ୍ମିତା ପାତ୍ର ଓ ପ୍ରିୟଙ୍କା ଦଳାଇଙ୍କ ବିରୋଧରେ ଯେମିତି ଆଉ କେହି ପ୍ରାର୍ଥୀ ହେବେ ନାହିଁ କି ସେମାନଙ୍କୁ କେହି ବିରୋଧ କରିବେ ନାହିଁ, ସେଥିପାଇଁ ହୋଇଥିଲା ୧୦ ଲକ୍ଷ ଟଙ୍କାର ଡିଲ୍। ସମିତି ସଭ୍ୟଙ୍କ ସ୍ୱାମୀ ବାଲ୍ୟରାମ ଦଳାଇ ଏହାର ମୁଖ୍ୟ କାର୍ପଟଦାର ହୋଇଥିବା ବେଳେ ସରପଞ୍ଚଙ୍କ ସମ୍ପର୍କୀୟ ଏବଂ ଜିଆରଏସ୍ ସୁଦାମ ପାତ୍ର ମଧ୍ୟ ଏଥିରେ ଭାଗିଦାର ବୋଲି ଅଭିଯୋଗ କରିଛନ୍ତି କାଜଲ। ନିର୍ବାଚନ ଫିକ୍ସିଂ କରାଯାଇଥିବାରୁ ଏହାକୁ ବାତିଲ କରି ପୁଣି ଥରେ ଭୋଟ୍ କରିବାକୁ ସେ ଦାବି କରିଛନ୍ତି।

ଚାନ୍ଦପୁର ପଞ୍ଚାୟତରେ ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ଲଢିବାକୁ ଚାହୁଁଥିଲେ ସୁନାଦେଇପୁରର ପ୍ରଶାନ୍ତ ବେହେରା। ହେଲେ ୧୦ ଲକ୍ଷର ଡିଲ୍ ପାଇଁ ସେ ପ୍ରାର୍ଥୀ ହେଲେ ନାହିଁ। ପ୍ରିୟଙ୍କା ଦଳାଇଙ୍କ ସ୍ୱାମୀ ବାଲ୍ୟରାମ ଦଳାଇ ପ୍ରଶାନ୍ତଙ୍କୁ ଦେଇଛନ୍ତି ୧୦ ଲକ୍ଷ ଟଙ୍କାର ଚେକ୍। ତାରିଖ ପଡ଼ିନଥିଲେ ମଧ୍ୟ ଏଥିରେ ରହିଛି ବାଲ୍ୟରାମଙ୍କ ଦସ୍ତଖତ।

Advertisment

ପ୍ରଶାନ୍ତ କହିଛନ୍ତି, ସେ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ପଞ୍ଚାୟତ ଭୋଟ୍‌କୁ ନେଇ ସୁନାଦେଇପୁରରେ ଏକ ବୈଠକ ହୋଇଥିଲା। ସେହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ରଶ୍ମିତା ଓ ପ୍ରିୟଙ୍କାଙ୍କ ବିରୋଧରେ କେହି ଛିଡ଼ା ହେବେ ନାହିଁ। ତା ବଦଳରେ ମିଳିବ ୧୦ ଲକ୍ଷ ଟଙ୍କା। ସେହି ଟଙ୍କାରେ ଗାଁର ରାସ୍ତା କାମ ହେବ। ସରକାରୀ ଅନୁଦାନ ଆସିଲେ, ବାଲ୍ୟରାମଙ୍କୁ ତାଙ୍କ ଚେକ୍ ଫେରାଇ ଦିଆଯିବ ବୋଲି ମଧ୍ୟ ଚୁକ୍ତିରେ ଉଲ୍ଲେଖ ଅଛି।  ଜାନୁଆରି ୨୦ ତାରିଖରେ ହୋଇଥିଲା ଏହି ଚୁକ୍ତି, ଯେଉଁଥିରେ ରହିଛି ଉଭୟ ପ୍ରଶାନ୍ତ ବେହେରା ଓ ବାଲ୍ୟରାମ ଦଳାଇଙ୍କ ଦସ୍ତଖତ।

ଏହି ଅଭିଯୋଗକୁ ବାଲ୍ୟରାମ ଦଳାଇ ଖଣ୍ଡନ କରିଛନ୍ତି। ତେବେ ଯିଏ ଜିତିବ ସେ ଗାଁକୁ ରାସ୍ତା କରିବ ବୋଲି ଗାଁ ବୈଠକରେ ନିଷ୍ପତ୍ତି ହୋଇଥିବା ମାନିଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ କହିଛନ୍ତି, ଯଦି ନିର୍ବାଚନ କମିଶନଙ୍କୁ ଲିଖିତ ଅଭିଯୋଗ କରାଯାଏ, ତାର ତଦନ୍ତ କରାଯିବ। ତେବେ ସରପଞ୍ଚ ରଶ୍ମିତା ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଏହା ଆଗରୁ ବଲାଙ୍ଗିର ଜିଲ୍ଲା ବିଲେଇସର୍ଡାରେ ମଧ୍ୟ ଏପରି ସରପଞ୍ଚ ପଦ ପାଇଁ ନିଲାମ ଡକାଯାଇଥିବାର ଅଭିଯୋଗ ଆସିଥିଲା। ଏବେ ଗଂଜାମରୁ ଅାସିଛି ନିର୍ବାଚନ ଫିକ୍ସିଂ କରାଯିବାର ସାଂଘାତିକ ଅଭିଯୋଗ।

ରିପୋର୍ଟ: ଜଗନ୍ନାଥ ସାହୁ

Odisha Panchayat Polls Odisha Panchayat Elections
Advertisment
Advertisment