• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗତକାଲି କୁମାର ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି ।  ରାତି ୧ଟା ୦୫ମିନିଟ୍‌ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ରାତି ୨ଟା ୨୨ମିନିଟ୍ ୩୮ ସେକେଣ୍ଡରେ ସର୍ବମୋକ୍ଷ ହୋଇଥିଲା । ଗ୍ରହଣର ଅବଧି ଥିଲା ମୋଟ୍ ୧ ଘଣ୍ଟା ୧୯ ମିନିଟ୍ । ସର୍ବମୋକ୍ଷ ପରେ ରାତି ୨ଟା ୨୪ ମିନିଟ୍ ପରେ ସ୍ନାନାଦି କର୍ମ ସାରି ପୁଣି ପୂଜାନୀତି ଓ ରୋଷେଇ ଆରମ୍ଭ ହୋଇଛି । ମନ୍ଦିର ଗୁଡ଼ିକରେ ଧୁଆପୋଛା କରି ନୀତିକାନ୍ତି ଆରମ୍ଭ କରିଛନ୍ତି ସେବାୟତ ।

ଚନ୍ଦ୍ର ଗ୍ରହଣ ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତର ପୂର୍ବ ଉତ୍ତର ଆମେରିକାରେ ଦୃଶ୍ୟମାନ ହୋଇଛି । ଚନ୍ଦ୍ର ଗ୍ରହଣ ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରିରେ ଦେଖାଯାଇଥିଲା । 

ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୫ ସେପଟେମ୍ବର ୭ରେ ଦୃଶ୍ୟମାନ ହେବ । ତେବେ ଗତକାଲି ଲାଗିଥିବା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରୁ ପାକ ନିଷେଧ ଓ ହାଣ୍ଡି ଛାଡ କରାଯାଇଥିଲା । ହେଲେ କିଛି ସ୍ଥାନରେ ହେତୁବାଦୀମାନେ ଏହି ପରମ୍ପରାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା । 

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ହେତୁବାଦୀମାନେ ଖାଦ୍ୟ ଖାଇ ଏହାର ବିରୋଧ କରିଥିଲେ । ମାନବାବାଦୀ ଓ ହେତୁବାଦୀ ସଙ୍ଗଠନ ପକ୍ଷରୁ ସାମୂହିକ ଭୋଜନ ଆୟୋାଜନ କରାଯାଇଥିଲା । ପାକ ନିଷେଧ ବିଜ୍ଞାନ ସମ୍ମତ ନୁହେଁ ବୋଲି ହେତୁବାଦୀମାନେ ଯୁକ୍ତି କରିଛନ୍ତି । ଗ୍ରହଣ ସମୟରେ ଖାଇଲେ ଶରୀର ଉପରେ ତାହାର କିଛି ପ୍ରଭାବ ପଡିବନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ ହେତୁବାଦୀ । 

ଅନ୍ୟପକ୍ଷେ, ଗ୍ରହଣରେ ହେତୁବାଦୀ ଆମିଷ ମଧ୍ୟ ଖାଇଛନ୍ତି । ବୌଦ୍ଧ ଜିଲ୍ଲାର ହେତୁବାଦୀ ସଙ୍ଗଠନ ଚନ୍ଦ୍ର ଗ୍ରହଣ ଅବସରରେ ସାମୂହିକ ଭାବେ ଆମିଷ ଭୋଜନ କରିଛନ୍ତି । ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରଗ୍ରହଣ ସମୟରେ ଆହାର ନିଷେଧ ଆଦୌ ବିଜ୍ଞାନ ସମ୍ମତ ନୁହେଁ । ଏହା କେବଳ ସମାଜର ଏକ ଅନ୍ଧ ବିଶ୍ୱାସ । ତେଣୁ ସତ୍ୟର ଉନ୍ମୋଚନ ପାଇଁ ସେମାନେ ସାମୁହିକ ଭାବେ ଆମିଷ ଭୋଜନ କରୁଥିବା ହେତୁବାଦୀ କହିଛନ୍ତି । 

  • Reported by:
  • ASHOK BRAHMA , DEEPAK KUMAR ADAR