Advertisment

ହବିଷ କରିବାକୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼, ଶିବିରରେ ସ୍ଥାନ ନପାଇ ହତାଶ ବହୁ ହବିଷ୍ୟାଳି

କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ ସହ ବ୍ରତ ପାଳିବେ । ଚିନ୍ତା ବଢାଇଲା ଶିବିରର ଅପରିଚ୍ଛନ୍ନ ପରିବେଶ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Puri, Habisyali

Puri, Habisyali

ଧର୍ମମାସରେ ଧର୍ମ ସ୍ଥାନରେ ରହି ହବିଷ କରି ଧର୍ମ ଅର୍ଜନ କରିବାକୁ ଚାହୁଁଥିବା ଯେଉଁ ହବିଷ୍ୟାଳିମାନେ କାଲି ରାତିରେ ହବିଷ୍ୟାଳି ଶିବିର ବାହାରେ ଥିଲେ, ଆଜି ପଞ୍ଜିକରଣ କାଗଜ ଦେଖାଇବା ପରେ ସେମାନଙ୍କୁ ବିଭିନ୍ନ ଶିବିରକୁ ଛଡ଼ା ଯାଇଛି । କାହିଁକି ନା କାଲିଠୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସଂକଳ୍ପ କରିବେ। ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ଖୁସିରେ ରାଇ ଦାମୋଦରଙ୍କୁ ପୂଜା କରିବା ସହ ଏମିତି ରାଇ ଦାମୋଦର ଗୀତ ବୋଲିବେ ।

Advertisment

ହେଲେ ଶ୍ରୀକ୍ଷେତ୍ରରେ ହବିଷ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଅନେକ ହବିଷ୍ୟାଳିଙ୍କ ପାଖରେ ଏଯାଏଁ ଏଭାଗ୍ୟ ଜୁଟିନି । କାରଣ ସରକାରଙ୍କ ହବିଷ୍ୟାଳି ଯୋଜନାରେ ଏଥର ଅନଲାଇନରେ ପଞ୍ଜିକରଣ କରିଥିବା 3024 ଜଣଙ୍କୁ ପୁରୀର ଥିବା 5ଟି ଶିବିରରେ ରହଣି ବ୍ୟବସ୍ଥା କରାଯାଇଛି । ହେଲେ ବିଭିନ୍ନ କାରଣରୁ ପଞ୍ଜିକରଣ କରି ପାରି ନଥିବା, ଏବଂ ଗତଥର ଭଳି ଏଥର ବି ଅଫଲାଇନରେ ପଞ୍ଜିକରଣ ହେଇଯିବ ଭାବି ପୁରୀ ପହଞ୍ଚିଥିବା ବହୁ ହବିଷ୍ୟାଳି,ସ୍ଥାନ ନଥିବାରୁ ନିରାଶ ହୋଇଛନ୍ତି ।

କାଲିଠୁ ମା ମାନେ ହବିଷ କରିବାକୁ ଥିବାରୁ ଆଜିଠୁ ସେମାନଙ୍କୁ ଶିବରରେ ରହିବାକୁ ଦିଆ ତ ଗଲାଣି । ହେଲେ ହବିଷ୍ୟାଳି କେନ୍ଦ୍ର ବୃନ୍ଦାବତୀ ନିବାସରେ ଅପରିଚ୍ଛନ୍ନ ପରିବେଶକୁ ଦେଖିଲେ ଲାଗୁଛି, ସରକାର ଯେମିତି ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ଯେଉଁଠି ହବିଷ୍ୟାଳିଙ୍କ ବେଡ୍ ପଡ଼ିଛି ସେଇ ରୁମ୍ ଚଟାଣର ସ୍ଥିତି ଦୟନୀୟ ।

Advertisment

ଖାଲି ସେତିକି ନୁହେଁ, ହବିଷ୍ୟାଳି ଶିବିର ବାରଣ୍ଡାରେ ମଦ ବୋତଲ ବି ଗଡୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ହବିଷ୍ୟାଳିଙ୍କ ସଂପର୍କୀୟ । ତେବେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ସବୁ ହବିଷ୍ୟାଳି ଶିବିରକୁ ପରିଷ୍କାର ପରିଚ୍ଛନ୍ନ ପାଇଁ ଉଦ୍ୟମ ଚାଲିଛି ।

ଅନ୍ୟପଟେ ହଜାର ହଜାର ହବିଷ୍ୟାଳିଙ୍କ ସୁରକ୍ଷିତ ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା ନେଇ ପ୍ରଶାସନ କହୁଥିବା ବେଳେ ଆଗୁଆ କାହିଁକି ଶିବିରର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଗଲାନି ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଅନଲାଇନରେ ପଞ୍ଜିକରଣ କରିପାରିନଥିବା ହବିଷ୍ୟାଳୀଙ୍କୁ ପଞ୍ଜୀକୃତ କରାଯାଇ ସେମାନଙ୍କ ରହଣିର ବ୍ୟବସ୍ଥା କରାଯାଉଛି କି ଫେରାଇ ଦିଆଯାଉଛି ତା ଉପରେ ବି ନଜର ରହିଛି।

Jagannath Temple Lord Jagannath
Advertisment
Advertisment