• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଇମ୍ୟୁନିଟିର ପୂରା ଗନ୍ତାଘର ପଖାଳ

  • ଜାଣିଛନ୍ତି କେତେ ଉପକାର ପଖାଳ?

  • ଏମ୍ସ ଦେଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ଭାତକୁ ରାତି ସାରା ପାଣିରେ ବତୁରାଇଦେଲେ, ସକାଳୁ ତିଆରି ହୋଇଯାଏ ବାସି ପଖାଳ। କି ଧନୀ, କି ଗରିବ; କାଳ କାଳରୁ ଓଡ଼ିଆଙ୍କ ଅତି ପ୍ରିୟ ଖାଦ୍ୟ। ହେଲେ ଏବେ ଗବେଷଣାରୁ ଜଣା ପଡ଼ିଛି ପଖାଳ ଖାଲି ଆମ ପାଟି ଓ ପେଟକୁ ଖୁସି କରେନି, ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଇଥାଏ। ଭୁବନେଶ୍ୱର ଏମ୍ସ ପକ୍ଷରୁ ଗତ ୨ ବର୍ଷ ଧରି ବାସି ପଖାଳ ଓ ତୋରାଣି ଉପରେ ଗବେଷଣା କରିବା ପରେ, ବିଶେଷଜ୍ଞ କହିଛନ୍ତି ଏହା କରୋନା ସହ ଲଢ଼ିବାରେ ବି ସହାୟକ ହୋଇପାରେ।

କରୋନା କାଳରେ ଚାରିଆଡ଼େ ଖୋଜା ପଡ଼ିଛି ଇମ୍ୟୁନିଟି, ହେଲେ ଦେଖିଲା ବେଳକୁ ଆମରି ରୋଷେଇ ଘରେ ଥିବା ବାସି ପଖାଳରେ ଇମ୍ୟୁନିଟିର ପୂରା ଗନ୍ତାଘର। ହଁ... ଗାଲୁଗପ ନୁହେଁ, ଇଏ ଗବେଷଣାର କଥା ଜଣାପଡ଼ିଛି, ବାସି ପଖାଳ ଓ ତୋରାଣିରେ ଶରୀରକୁ ଏତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଯୋଗାଏ ଯେ, ଏହା କରୋନାରୁ ବର୍ତ୍ତିବାକୁ ବି ସାହାଯ୍ୟ କରିପାରେ। ଏଥିରେ ଥିବା ଅଣୁଜୀବ ଶ୍ୱେତସାରର ସରଳୀକରଣ ଦ୍ୱାରା ସର୍ଟ ଚେନ୍ ଫ୍ୟାଟି ଏସିଡ୍ ତିଆରି କରେ। ଯାହାକି ମଣିଷକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ବିଭିନ୍ନ ସ୍ଥାନରୁ ୨୦ ପ୍ରକାର ବାସି ପଖାଳ ନମୁନା ସଂଗ୍ରହ କରି, ଭୁବନେଶ୍ୱର ଏମ୍ସର ଅଣୁଜୀବ ଗବେଷଣା ସଂସ୍ଥା ସିସିଏମ୍ଆର୍ ପକ୍ଷରୁ ୨୦୧୯ରୁ ଗବେଷଣା କରାଯାଉଛି। ଏହାର ମୁଖ୍ୟ ଗବେଷକ କହିଛନ୍ତି, ସେ ନିଜେ ବି ଇମ୍ୟୁନିଟି ବଢ଼ାଇବାକୁ ପ୍ରତିଦିନ ଅଧ ଲିଟର ବାସି ତୋରାଣି ପିଅନ୍ତି।

ବାସି ପଖାଳ ଓ ତୋରାଣିର ଆଉ କିଛି ଉପକାରିତା ମଧ୍ୟ ରହିଛି। ଏଥିରେ ଥିବା ସର୍ଟ ଚେନ୍ ଫ୍ୟାଟି ଏସିଡ୍ର ପ୍ରଦାହରୋଧୀ ବା ଆଣ୍ଟି-ଇନଫୋମେଟୋରୀ ଗୁଣ ରହିଛି। ତୋରାଣିରେ ଥିବା ଲୋବାସିଲସ୍ ଜୀବାଣୁ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍‌ ଓ ଅନ୍ତନଳୀ ସଂକ୍ରମଣ ରୋକିଥାଏ। ଏହାର ଭୂତାଣୁ ବିରୋଧୀ ବି ବ଼ଡ କଥା ହେଉଛି, ଏହା ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୁଣର ବିକାଶ ପାଇଁ ଖୁବ୍ ଉପକାରୀ। ତେବେ ଗବେଷକଙ୍କ କହିବା କଥା, ସଜ ନୁହେଁ କେବଳ ବାସି ପଖାଳ ଓ ତୋରାଣିରେ ହିଁ ଏହି ଗୁଣ ରହିଛି।

ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ପଖାଳର ବ୍ୟାପକ ପ୍ରଚଳନ ଥିଲେ ବି, ଓଡ଼ିଶା ସହ ଏହାର ସଂପର୍କ ପ୍ରାଚୀନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ବିଭିନ୍ନ ପ୍ରକାର ପଖାଳ ଭୋଗ ଲାଗି ହୁଏ। କିଛି ବର୍ଷ ହେବ ମାର୍ଚ୍ଚ ୨୦ରେ ସାରା ରାଜ୍ୟରେ ପଖାଳ ଦିବସ ପାଳିତ ହେଉଛି।