• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଏସ୍‌ଆଇ ଖନନର ପରବର୍ତ୍ତୀ ଶିଶୁପାଳ ଗଡ଼, ଆଉ ଆଜିର ଶିଶୁପାଳ ଗଡ଼ । ମାଟି ଖୋଳି ଯେଉଁ ଐତିହ୍ୟକୁ ମାଟି ବାହାରକୁ ଅଣାଯାଇଥିଲା, ରକ୍ଷଣାବେକ୍ଷଣ ଅଭାବରୁ ପୁଣି ମାଟି ହେବାକୁ ବସିଲାଣି । ଦିନେ ଏଠି ଉତ୍କଳର ସମୃଦ୍ଧ ରାଜବାଟୀଟିଏ ଥିବାର ପ୍ରମାଣ ମିଳିଥିଲା । ଖାଲି ସେତିକି ନୁହେଁ ଅନ୍ଧାଧୁନ ଜବରଦଖଲରୁ ଆଧୁନିକ କଲୋନି ଭିତରେ ଯେମିତି ଲୁଚିଗଲାଣି ଏ ଐତିହ୍ୟସ୍ଥଳୀ ।

୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ଭୁବନେଶ୍ୱର ସହରର ଅତି ପାଖରେ, ଲିଙ୍ଗିପୁର ପଞ୍ଚାୟତ ଅଧିନରେ ଥିବା ୫୬୨.୬୮୧ ଏକର ଜମିରେ ଗଢ଼ି ଉଠିଥିଲା ଏ ଗଡ଼ । ଯାହା, ଏବେ ମାତ୍ର ୭୭୫ ଡିସିିମିଲ ବା ଏକ ଏକରରୁ କମ୍‌ରେ ସୀମିତ ରହିଯାଇଛି । ଏହାର ଚାରିପଟ ଜମିକୁ ବହୁ ଲୋକ ବେଆଇନ ଭାବେ କିଣାବିକା କରି ଘର କରିସାରିଲେଣି । ଏମିତିକି ବର୍ଷ ବର୍ଷ ଧରି ଐତିହ୍ୟ ଜମି ଜବରଦଖଲରେ କୋଠାବାଡ଼ି ଠିଆ ହୋଇଥିଲେ ବି ପ୍ରଶାସନ ପକ୍ଷରୁ ପାଣି, ବିଜୁଳି ଯୋଗାଣରେ ଟିକେ ବି ହେଳା ନାହିଁ ।

ହେଲେ ଖୁସିର କଥା, ୟା ଭିତରେ ଏଏସ୍‌ଆଇ ପକ୍ଷରୁ ଦାଏର ଏକ ମାମଲାର ବିଚାର କରି ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହେଲେ ଏ ନିର୍ଦ୍ଦେଶ ବି କେବେ କାର୍ଯ୍ୟକାରୀ ହେବ ତାକୁ ନେଇ ସନ୍ଦେହ । କାରଣ ଶିଶୁପାଳଗଡ଼ ହଡ଼ପ ପଛରେ ଉଭୟ ରାଜ୍ୟ ସରକାର ଓ ଏଏସଆଇର ନିଷ୍କ୍ରିୟତାକୁ ଦାୟୀ କରିଛି ଭାରତୀୟ ଜାତୀୟ କଳା, ସଂସ୍କୃତି ଓ ଐତିହ୍ୟ ନିଧି ବା ଇନଟାକ୍ ।

୧୯୪୮ ମସିହାରେ ଏହି ଅଞ୍ଚଳ ଖନନ କରି ମାଟି ତଳେ ଲୁଚି ଯାଇଥିବା ଭାରତର ପ୍ରାୟ ୨ ହଜାର ବର୍ଷର ପୁରାତନ ସହରକୁ ଠାବ କରିଥିଲା ଏଏସ୍ଆଇ । ଏହାପରେ ୧୯୫୦ ନଭେମ୍ବର ୧୩ରେ ଏହାକୁ ପୁରାତନ ଐତିହ୍ୟର ମାନ୍ୟତା ମିଳିଥିଲା । ତେବେ ୨୦୦୫ରେ ପୁନଃ ଖନନ ବେଳେ କଳିଙ୍ଗର ଏହି ପୁରୁଣା ସହରର ନକ୍ସା ଲୋକ ଲୋଚନକୁ ଆସିଥିଲା । ଯେଉଁଥିରୁ ଚତୁର୍ଭୁଜାକାର ସହରର ୮ଟି ଦ୍ୱାରଦେଶ ଥିବା ଜଣାପଡ଼ିଥିଲା । ଇତିହାସରେ ବର୍ଣ୍ଣିତ ଏହି ଉନ୍ନତ ଜ୍ଞାନକୌଶଳର ସହର ପ୍ରଥମେ କଳିଙ୍ଗ ନଗର ନାମରେ ପରିଚିତ ଥିଲା, ସମ୍ରାଟ ଅଶୋକଙ୍କ ସମୟରେ ତୋଷାଳୀ ନଗର ହେଲା କିନ୍ତୁ ସମୟ କ୍ରମେ ଶିଶୁପାଳ ରାଜାଙ୍କ ନାଁରେ ଏହା ଶିଶୁପାଳଗଡ଼ ଭାବେ ନାମିତ । ଏଠାରେ ଥିବା ୧୬ ସ୍ତମ୍ଭ, ଶିଶୁପାଳଗଡ଼ ଐତିହ୍ୟର ମୂକସାକ୍ଷୀ । ମାଟି ତଳେ ଏମିତି ଆହୁରି କିଛି ସ୍ତମ୍ଭ ପୋତି ହୋଇ ରହିଥିବା କୁହାଯାଉଛି । ଖନନ ବନ୍ଦ ରହିଥିବାରୁ ସେସବୁ ଲୋକଲୋଚନକୁ ଆସିପାରୁ ନାହିଁ ।

ରାଜ୍ୟ ପ୍ରଶାସନ ଜବରଦଖଲ ଉଚ୍ଛେଦ କଲା ପରେ ପ୍ରାୟ ୮୧ ଲକ୍ଷ ଟଙ୍କାରେ ଗଡ଼କୁ ପାଚେରୀ ଆବଦ୍ଧ କରାଯିବ ବୋଲି କୋର୍ଟରେ ଜବାବ୍ ରଖିଛି ଏଏସଆଇ । ହେଲେ ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା, ଜବରଦଖଲ ନେଇ ତାଙ୍କ ପାଖରେ ସୂଚନା ନାହିଁ ।