• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସ୍ୱାମୀ CMCରେ ଚାକିରିଆ, ସ୍ତ୍ରୀ CMCର ଠିକାଦାର । କଟକ ମହାନଗର ନିଗମରେ ଏମିତି କେମିତି ହେଉଛି ? କେବଳି ଏ ଗୋଟିଏ ପ୍ରସଙ୍ଗ ନୁହେଁ, ବାଲିଯାତ୍ରା ଦୁର୍ନୀତିର କାହିଁକି ହେଉନି ଅଡିଟ୍ ? ଏଭଳି ଏକାଧିକ ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି CMC କାଉନସିଲ୍ ବୈଠକରେ ହଙ୍ଗାମା କରିଛନ୍ତି ବିରୋଧୀ କର୍ପୋରେଟର । ଫଳରେ ଅଧାରୁ ମିଟିଂ ଛାଡି ପଳାଇଲେ ଉଭୟ ମେୟର ଆଉ କମିସନର ।

ହଙ୍ଗାମା, ହୋହଲ୍ଲା, ହାଇଡ୍ରାମା । ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ... ସିଏମସିରେ ଏକାଧିକ ଦୁର୍ନୀତି ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ବସିଥିବା କାଉନସିଲ ବୈଠକରେ ବିରୋଧୀ ବିଜେପି ଏବଂ କଂଗ୍ରେସର କର୍ପୋରେଟରମାନେ ମେୟର ସୁବାସ ସିଂଙ୍କୁ ଏମିତି ଘେରିଲେ ଯେ, ଶେଷରେ ବାଧ୍ୟ ହୋଇ ଅଧାରୁ ବୈଠକ ଛାଡ଼ି ପଳାଇଲେ ଉଭୟ ମେୟର ଏବଂ କମିଶନର । ନା କିଛି ଆଲୋଚନା ହୋଇ ପାରିଲା ନା ନିଆଯାଇପାରିଲା କିଛି ନିଷ୍ପତ୍ତି । ମେୟର ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ତୁହାକୁତୁହା ପ୍ରଶ୍ନବାଣରେ ଘାଇଲା କଲେ ବିରୋଧୀ କର୍ପୋରେଟର ।

କିଏ ହାତରେ ପ୍ଲା କାର୍ଡ୍ ଧରିଛି ତ ଆଉ କିଏ ଜଳଛତ୍ର ମାଠିଆ । ବିରୋଧୀଙ୍କ କହିବା କଥା ସିଏମସି ଏଠି ପ୍ରିୟାପ୍ରୀତି ପୋଷଣ କରୁଛି । ଯାହା ସ୍ୱାମୀ ସିଏମସିରେ ଜଣେ ଚାକିରିଆ ତା ସ୍ତ୍ରୀ ସିଏମସିର ଠିକାଦାର । ପୂର୍ବରୁ ଏକାଧିକ ଦୁର୍ନୀତିରେ ଧରାପଡି ବ୍ଲାକ ଲିଷ୍ଟେଡ୍ ହୋଇଥିବା ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ କେମିତି ସାମିଲ ହେଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

ଖାଲି ସେତିକି ନୁହେଁ, ବାଲିଯାତ୍ରା ସମୟରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କିରଛନ୍ତି ବିରୋଧୀ କର୍ପୋରେଟର । ବାଲିଯାତ୍ରାରେ ବିଜେଡିର ଜଣେ ମହିଳା କର୍ପୋରେଟରଙ୍କୁ ମିଳିଛି ଅହେତୁକ ଅନୁକମ୍ପା । ଉକ୍ତ କର୍ପୋରେଟରଙ୍କ ପରିବାରର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ସଦସ୍ୟଙ୍କୁ କେମିତି କାମ ମିଳିଲା ତାର ତଥ୍ୟ ଏତେ ଦିନ ପର୍ଯ୍ୟନ୍ତ କାହିଁକି ଲୁଚାଯାଉଛି ବୋଲି ବୈଠକରେ ଉଠିଛି ପ୍ରଶ୍ନ । ତୁରନ୍ତ ବାଲିଯାତ୍ରା ଦୁର୍ନୀତିର ଅଡିଟ୍ ରିପୋର୍ଟ ପଦାକୁ ଆସୁ ଏବଂ ଦୁର୍ନୀତି ଖୋର୍ ଠିକା ସଂସ୍ଥାକୁ ତୁରନ୍ତ ବିଦା କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ କର୍ପରେଟର ।

ସେପଟେ ମେୟର କହିଛନ୍ତି କୌଣସି ଏଜେନ୍ସିକୁ ଅନୁକମ୍ପା ଦେଖାଯାଇନାହିଁ । ବିରୋଧୀ କର୍ପୋରେଟରମାନେ ନିଜେ ସବୁଥିକୁ ଅନୁମତି ଦେଇଛନ୍ତି । ସେମାନେ ସବୁ ଜାଣି ତୁଛା ଡ୍ରାମାବାଜି କରୁଛନ୍ତି ।

  • Reported by:
  • DEBASHISH MOHANTY