Advertisment

ଆସନ୍ତାକାଲି ବାହୁଡ଼ାଯାତ୍ରା : ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂରତି

ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଦଣ୍ଡାୟମାନ ୩ ରଥ । କାଲି ଦିନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା ସୂଚନା ।

author-image
Prangyan Parimita
ଅଦ୍ୟତନ ହୋଇଛି
Bahuda jatra

Bahuda jatra

ନବଦିନାତ୍ମକ ଯାତ୍ରା ସାରି ରାତି ପାହିଲେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧା ମୂରତି। ଶରଧାବାଲି ଓ ବଡ଼ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ଼। ଶୃଙ୍ଖଳିତ ବାହୁଡ଼ା ନୀତି ଉପରେ ଶ୍ରୀମନ୍ଦିର ପ୍ରଶାସନ ଜୋର ଦେଇଥିବାବେଳେ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ଫୋକସ୍ କରିଛି ପୋଲିସ୍ ପ୍ରଶାସନ। ସେପଟେ ଆଜି ନବମୀ ତିଥିରେ ଲକ୍ଷାଧିକ ଭକ୍ତ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଏବର୍ଷର ଶେଷ ଦର୍ଶନ କରିଛନ୍ତି।....

Advertisment

ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ରଥ ତ୍ରୟ । ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ମଙ୍ଗଳାର୍ପଣ ସରିବା ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ । ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ଠାକୁରମାନେ ରଥାରୁଢ଼ ହେବେ । ସେହିପରି ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ। ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ବି ପୋଲିସ୍ ପ୍ରଶାସନ ଅଧିକ ସକ୍ରିୟ ହୋଇଛି। ରଥଯାତ୍ରା ଭଳି ବାହୁଡ଼ା ଦିନ ବି ପୁରୀସହରରେ ଟ୍ରାଫିକ୍ ବ୍ୟବସ୍ଥା ସମାନ ରହିଥିଲେ ବି ଭକ୍ତଙ୍କ ସଂଖ୍ୟା ଓ ସ୍ଥିତିକୁ ଦେଖି ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି ଏସ୍ ପି କହିଛନ୍ତି।...

ଏପଟେ ନବଦିନାତ୍ମକ ଯାତ୍ରା ଅବସରରେ ଆଡପ ମଣ୍ଡପ ବା ଜନ୍ମ ବେଦୀରେ ଆଜି ମହାପ୍ରଭୁଙ୍କ ଲୀଳାଖେଳାର ଶେଷ ଦିନ। ନବମୀ ତିଥିରେ ମହାପ୍ରଭୁଙ୍କ ଦୁର୍ଲଭ ସନ୍ଧ୍ୟା ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଥିଲା। ଭୋରରୁ ମଙ୍ଗଳ ଆଳତି ସରୁ ସରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ପାଗ ଭଲ ଥିବାରୁ ବ୍ୟାରିକେଡ୍ ଦେଇ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତମାନେ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ସହ ଆଡ଼ପ ଅବଢ଼ା ପାଇ କୃତ୍ୟକୃତ୍ୟ ହୋଇଥିଲେ। ତେବେ ଏଥର ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୫ଟା ପରେ ବନ୍ଦ କରି ଦିଆଯାଇଥିବାରୁ ବହୁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଥିଲେ।....

Advertisment

ଏଣେ ସନ୍ଧ୍ୟାଦର୍ଶନ ସରିବା ପରେ ଗୁଣ୍ଡିଚା ଘର ଗର୍ଭଗୃହରେ ଆରମ୍ଭ ହୋଇଛି

ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ନୀତି। ପହଣ୍ଡି ସହ ରଥାରୁଢ଼ ହେବାକୁ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଗୁପ୍ତରେ ବାହୁଟକଣ୍ଟ ଓ ସେନାପଟା ଲାଗି ନୀତି ସହ ଚାରମାଳ ବନ୍ଧା ନୀତି ରାତିତମାମ ଚାଲିବ।...

Ratha Jatra Bahuda Jatra
Advertisment
Advertisment