• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଭୁଲ୍ OSRTC ଡ୍ରାଇଭରଙ୍କର । ଅଧିକ ବେଗ ସହ ନିଦରେ ଆଖି ଲାଗିଯାଇଥିବାରୁ ଘଟିଗଲା ଏତେ ବଡ଼ ଦୁର୍ଘଟଣା । ପ୍ରାଥମିକ ତଦନ୍ତ ଆଧାରରେ ଏହା ଜଣାପଡ଼ିବା ପରେ OSRTC ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ହେଲେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡ୍ରାଇଭର । ଏପଟେ ଦୁର୍ଘଟଣାରେ ୧୧ ଜୀବନ ଯିବାପରେ ଚେତିଛି ପରିବହନ ବିଭାଗ । ବିବାହ ଓ ଉତ୍ସବରେ ଗାଡ଼ି ବ୍ୟବହାର ନେଇ ଖୁବଶୀଘ୍ର ଆସିବ ନୂଆ SOP ।

OSRTC ବସ୍ ଡ୍ରାଇଭରଙ୍କ ଭୁଲରୁ ଘଟିଛି ଦିଗପହଣ୍ଡି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାରଣେ ଚାଲିଯାଇଛି ୧୧ ଜୀବନ । ସେଥିଲାଗି ଆଜି OSRTC ବସର ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ବ୍ରହ୍ମପୁର ଏସ୍ପି କହିଛନ୍ତି, ଦୁର୍ଘଟଣା ପରେ ଉଭୟ ଗାଡ଼ିର ଡ୍ରାଇଭରଙ୍କ ଆଲକହଲ ଟେଷ୍ଟ କରାଯାଇଥିଲା। ଉଭୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । କିନ୍ତୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, OSRTC ବସ୍‌ଟି ଅତ୍ୟଧିକ ବେଗରେ ଆସୁଥିଲା । ଏହାଛଡ଼ା ଗାଡ଼ି ଚଲାଇବା ସମୟରେ ନିଦରେ ଡ୍ରାଇଭର ଆଖି ପଡ଼ିଯାଇଥିବା ଆଶଙ୍କା କରାଯାଉଛି । ହେଲେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗିରଫ ବସ୍ ଡ୍ରାଇଭର ।

ଏପଟେ ବସ୍ ଦୁର୍ଘଟଣାରେ ୧୧ ଜୀବନ ଯିବା ପରେ ଚେତିଛନ୍ତି ରାଜ୍ୟ ସରକାର । ବିବାହ କିମ୍ବା ସ୍ୱତନ୍ତ୍ର ଉତ୍ସବ ଅବସରରେ ସଡ଼କ ଦୁର୍ଘଟଣା ରୋକିବା ସହ ଯାତ୍ରୀଙ୍କ ସୁରକ୍ଷା ଲାଗି ଖୁବଶୀଘ୍ର ଜାରି ହେବ ନୂଆ ଏସ୍ଓପି । ରାଜ୍ୟ ପରିବହନ ପ୍ରାଧିକରଣ- ଏସ୍ଟିଏ ଦ୍ୱାରା ଜାରି ହେବାକୁ ଥିବା ପ୍ରସ୍ତାବିତ ଏସ୍ଓପି ଅନୁଯାୟୀ, ବିବାହ ଭଳି ସ୍ୱତନ୍ତ୍ର ଉତ୍ସବ ଅବସରରେ ଶୋଭାଯାତ୍ରା ପାଇଁ ପୋଲିସ୍ ଅନୁମତି ସହ ଏଣିକି RTOଙ୍କ ଠାରୁ ବି ନେବାକୁ ପଡ଼ିବ ଅନୁମତି । ନଚେତ ବିବାହ ତଥା ଉତ୍ସବ ଲାଗି ମିଳିବନି ପୋଲିସ୍ ଅନୁମତି । ଗାଡ଼ିଗୁଡ଼ିକର ସୁରକ୍ଷା ବୈଶିଷ୍ଟ ଯାଞ୍ଚ ପରେ ଉତ୍ସବରେ ବ୍ୟବହାର ଲାଗି ଦିଆଯିବ ସ୍ୱତନ୍ତ୍ର ଅନୁମତି ।

ଏବେ ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍ । ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା । ଗାଡ଼ିଗୁଡ଼ିକ ୨୦ ବର୍ଷ ପୁରୁଣା ହେଲେ, RTOମାନେ ଗାଡ଼ିର ପରୀକ୍ଷା ପରେ ଫିଟ୍‌ନେସ୍ ସାର୍ଟିଫିକେଟ୍ ଦେଇଥାନ୍ତି ଓ ୪୦ କିଲୋମିଟର ଦୂରତା ଭିତରେ ଚଳାଚଳ ପାଇଁ ଅନୁମତି ମିଳିଥାଏ ।

ଦିଗପହଣ୍ଡି ବସ୍ ଦୁର୍ଘଟଣା ନେଇ ବସ୍ ମାଲିକ ସଂଘ କହିଛି, ୨୫ ବର୍ଷ ପୁରୁଣା ଥିଲେ ବି ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ ଚାଲିବାକୁ ଫିଟ୍ ଥିଲା । OSRTC ବସର ଭୁଲ୍ ଯୋଗୁ ଦୁର୍ଘଟଣାର ଶିକାର ହେଲା । ଅନ୍ୟପଟେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ କହିବା କଥା, RTOମାନେ ବିନା କୌଣସି ଯାଞ୍ଚରେ ୧୫ ବର୍ଷ ପୁରୁଣା ଗାଡ଼ିକୁ ଫିଟନେସ୍ ସାର୍ଟିଫିକେଟ୍ ଦେଉଛନ୍ତି । ଏମିତିକି ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀରେ ପରିବହନ ବିଭାଗ, ଏସ୍ଟିଏ ଓ RTOଙ୍କ ମଧ୍ୟରେ ରହୁନି ସମନ୍ୱୟ । ଯେଉଁଥିପାଇଁ ବଢ଼ିଚାଲିଛି ଏଭଳି ଦୁର୍ଘଟଣା ।

  • Reported by:
  • KAPILENDRA PRADHAN