• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ୍ ଟ୍ରାକ୍। ସ୍ମାର୍ଟ ସିଟିରେ ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଗୋ ଗ୍ରୀନ୍‌ ଯୋଜନାରେ ତିଆରି କରିଛି ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ । ହେଲେ ଏବେ ଏହା ଆଉ କାହା କାମରେ ଲାଗୁ ନାହିଁ ।

ସ୍ମାର୍ଟ ସିଟିରେ ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଗୋ ଗ୍ରୀନ ଯୋଜନାରେ ତିଆରି ହୋଇଛି ସ୍ୱତନ୍ତ୍ର ସାଇକେଲ୍ ଟ୍ରାକ୍ । ହେଲେ ଏବେ ଏହା ଆଉ କାହା କାମରେ ଲାଗୁନି ସାଇକେଲ୍ ଟ୍ରାକ୍ ଛାଡି ସାଇକେଲ୍ ସବୁ ମୁଖ୍ୟ ରାସ୍ତା ଉପରେ ଗଡୁଛି । ଟ୍ରାକ ଉପରେ କେଉଁଠି ଗାଡି ମୋଟର ତ ଆଉ କେଉଁଠି ଉଠା ଦୋକାନ ଠିଆ ହୋଇଛି ।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରର ପଟିଆ ଛକରୁ ଇନଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ୍ ଟ୍ରାକ୍ ଲମ୍ବିଛି । ୬.୨ କିଲୋମିଟରର ଏହି ରାସ୍ତାକୁ ସ୍ମାର୍ଟ ସିଟି ଲିମିଟେଡ୍ ତାର ବାଡ଼ ଦେଇ ବାରିକେଡ଼ିଂ କରିଛି । ହେଲେ କେହି ଜଣେ ବି ଏହି ଟ୍ରାକ୍‌ରେ ସାଇକେଲ ଚଲାଉ ନାହାଁନ୍ତି ।

ସାଇକେଲ୍ ଟ୍ରାକ୍‌ର ପ୍ରତି ୫୦ ମିଟର ଦୂରତାରେ ଛୋଟ ଛୋଟ ଖୁଣ୍ଟ ତିଆରି ହୋଇଛି । ଫଳରେ ଏହି ଟ୍ରାକ୍‌ରେ ସାଇକେଲ ଚଲାଇଲେ ବାରମ୍ବାର ଓହ୍ଲାଇବାକୁ ପଡୁଛି । ଉଠାଇ ଖୁଣ୍ଟ ଅତିକ୍ରମ କରିବାକୁ ହେଉଛି ଯାହା କାରଣରୁ ଟ୍ରାକ ଛାଡ଼ି ମେନ୍ ରୋଡ଼ରେ ସାଇକେଲ ଚଳାଉଛନ୍ତି ସାଇକେଲ ଚାଳକ । ବାଣୀବିହାର ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ପ୍ରାୟ ୪.୮ କିଲୋ ମିଟର ସାଇକେଲ ଟ୍ରାକ୍‌ର ସ୍ଥିତି ମଧ୍ୟ ସମାନ ରହିଛି । କିଛି ସ୍ଥାନରେ ସାଇକେଲ ଟ୍ରାକ୍ ବାଇକ ଆରୋହୀଙ୍କ ପାଇଁ ପାର୍କିଂ ସ୍ଥାନ ପାଲଟିଛି ତ ଆଉ କିଛି ସ୍ଥାନକୁ ଠେଲା ବେପାରୀମାନେ କବଜା କରିନେଇଛନ୍ତି ।

ରାଜଧାନୀକୁ ପ୍ରଦୂଷଣ ମୁକ୍ତ ଓ ରାଜଧାନୀବାସୀଙ୍କୁ ଫିଟ୍ ରଖିବା ଉଦ୍ଦେଶ୍ୟରେ ୨୦୧୮ରେ ମୋ ସାଇକେଲ ଯୋଜନା ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ତିନିଟି କମ୍ପାନୀର ପ୍ରାୟ ୨ ହଜାର ସାଇକେଲ ଆସିବା ସହ ସ୍ୱତନ୍ତ୍ର ଆପ୍ ସହ ସାଇକେଲ୍ ଷ୍ଟାଣ୍ଡ ପାଇଁ ବ୍ୟବସ୍ଥା ହୋଇଥିଲା । ହେଲେ ଯୋଜନା ଆରମ୍ଭର ମାତ୍ର ୩ ବର୍ଷ ଭିତରେ ହିଁ ଅଧିକାଂଶ ସାଇକେଲ ସବୁ ଭାଙ୍ଗିରୁଜି ଗଲା ଯାହା କିଛି ମରାମତି ହେଲା ତାହା ବି କାମରେ ଲାଗୁନି ।

ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଗୋ ଗ୍ରୀନ ଯୋଜନାରେ ସାଇକେଲ୍ ଟ୍ରାକ୍ ତିଆରି କରିଥିଲା । ନାଲି କଲର ଦିଆଯାଇ ସାଇକେଲ୍ ଚିହ୍ନିତ କରାଗଲା । ହେଲେ ସେହି ଟ୍ରାକ୍ ଉପରେ ଏବେ ଗାଡିମଟର ଠିଆ ହେଉଛି । ଏପରିକି ବ୍ୟକ୍ତିଗତ ସାଇକେଲ ରଖିବାକୁ ରାଜଧାନୀରେ ସ୍ୱତନ୍ତ୍ର ସାଇକେଲ ଷ୍ଟାଣ୍ଡ ମଧ୍ୟ ନାହିଁ । ଏଭଳି ସ୍ଥିତିରେ ମୁଖ୍ୟ ରାସ୍ତାକୁ କମାଇ ତିଆରି ହୋଇଥିବା ସାଇକେଲ୍ ଟ୍ରାକ୍ କାହା ପାଇଁ ତିଆରି ହୋଇଛି ବୋଲି ବୋଲି ପ୍ରଶ୍ନ କରିଛନ୍ତି ସାଇକେଲ୍ ଆରୋହୀ ।

OTV is now on Whatsapp

Join and get latest news update delivered to you via whatsapp

Join Now