• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟି ପାଇଁ ପଞ୍ଜାବ ଡିଜିପିଙ୍କୁ ସିଧାସଳଖ ଦାୟୀ କରିଛନ୍ତି କେନ୍ଦ୍ର ସରକାର । ତା ସହିତ ଗୁଇନ୍ଦା ବିଭାଗକୁ ମଧ୍ୟ ଏନେଇ ଦାୟୀ କରାଯାଇଛି । ସୁପ୍ରିମକୋର୍ଟରେ ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ନେଇ ଏସ୍ପିଜିକୁ ପଞ୍ଜାବ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ଏଥିପାଇଁ ଡିଜିପିଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ଏନେଇ କୌଣସି ପଦକ୍ଷେପ ମଧ୍ୟ ନିଆଯାଇ ନାହିଁ ।

ପଞ୍ଜାବ ସରକାର ପକ୍ଷରୁ କୁହାଯାଇଛି ଯେ, ଏହି ମାମଲା ନେଇ ରାଜ୍ୟର ପୋଲିସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ତଦନ୍ତ ପାଇଁ ଏକ ନିରପେକ୍ଷ କମିଟି ଗଠନ କରିବାକୁ ମଧ୍ୟ ପଞ୍ଜାବ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ସେପଟେ ସୁପ୍ରିମକୋର୍ଟ କହିଛନ୍ତି ଯେ, ମୋଦିଙ୍କ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ପଞ୍ଜାବ ସରକାର ମଧ୍ୟ ସ୍ୱୀକାର କରିଛନ୍ତି । ତେବେ ପ୍ରଶ୍ନ ହେଲା ଯଦି ତଦନ୍ତ ହେବ, ସେଥିରେ କଣ କରାଯିବ । ଯଦି କେନ୍ଦ୍ର ସରକାର ଦାୟୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛନ୍ତି, ତେବେ କୋର୍ଟ ଏ ପ୍ରସଙ୍ଗରେ କଣ କରିପାରିବେ ।

ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଫିରୋଜପୁର ଗସ୍ତବେଳେ ସୁରକ୍ଷା ତ୍ରୁଟି ପ୍ରସଙ୍ଗ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ ହୋଇଛି । ଚଣ୍ଡିଗଡ଼ ଡିଜିପି, ଏନ୍ଆଇଏର ଆଇଜି ଏହି କମିଟିରେ ସଦସ୍ୟ ରହିବେ । ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମଧ୍ୟ କମିଟି ସଦସ୍ୟ ରହିବେ । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ବି କମିଟି ସଦସ୍ୟ ରହିବେ ।

ସୁପ୍ରିମକୋର୍ଟଙ୍କ କେଉଁ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ ଆଜି ସୁପ୍ରିମକୋର୍ଟ ପକ୍ଷରୁ ଏହା ପ୍ରକାଶ ପାଇବ। ଏହି ମାମଲାରେ କେନ୍ଦ୍ର ଓ ପଞ୍ଜାବ ସରକାର କମିଟି ଗଠନ କରି କରୁଥିବା ତଦନ୍ତକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍ ଭି ରମଣାଙ୍କ ନେତୃତ୍ୱରେ ୩ ଜଣିଆ ବିଚାରପତିଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ସୁରକ୍ଷା ତ୍ରୁଟି ନେଇ ଲୟର୍ସ ଭଏସ ନାମକ ଏକ ସଂଗଠନ ପକ୍ଷରୁ ଆବେଦନ କରାଯାଇଥିଲା । ଗତ ୫ ତାରିଖରେ ପଞ୍ଜାବ ଫିରୋଜପୁର ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଗାଡି ଏକ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ କାଳ ଅଟକି ରହିଥିଲା । ଶେଷରେ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀ ଫେରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।