Advertisment

ମହୁଲ ଫୁଲର ଅଭାବୀ ବିକ୍ରି: ଗ୍ରାହକଙ୍କୁ ଅନେଇ ବସିଛନ୍ତି ବେପାରୀ

ମହୁଲ କାହାପାଇଁ ମହୁଲି ନିଶା ତ କାହାର ଭାତହାଣ୍ଡି। ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ।

author-image
Chandan Shishu
Mahua Flower

Mahua Flower

ଖଡ଼ିଆଳ(କୁନାଲ ଚରଣ ବେହେରା): ମତୁଆଲା କରୁଛି ମହୁଲ ଫୁଲ। ଗାଁ ଜଙ୍ଗଲରେ ହସୁଛି ମହୁଲ ଗଛ। ମହୁଲ ଫୁଲ ସଂଗ୍ରହ ଋତୁରେ ମନ ମତାଣିଆ ଆଦିବାସୀ। କିଏ ମହୁଲ ସଂଗ୍ରହ କରିବାରେ ବ୍ୟସ୍ତ ତ କିଏ ପୁଣି ମହୁଲ ସଂଗ୍ରହ କରି ଦାଣ୍ଡ ଦୁଆରେ ଶୁଖାଉଛି । ଚାରିଆଡେ ମହୁଲ ଫୁଲର ମହକ, ମହକୁଛି ବଣ ପାହାଡ, ଗାଁ ଦାଣ୍ଡ । ମାର୍ଚ୍ଚ ଓ ଏପ୍ରିଲ ମାସରେ ପ୍ରଚୁର ମହୁଲ ଫୁଲ ଗଛରେ ମିଳିଥାଏ। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଗଛ ଦେଖିବାକୁ ମିଳିଥାଏ।

Advertisment

ଲୋକେ ସକାଳୁ ଉଠି ମହୁଲ ଫୁଲ ଗୋଟାଇବା ପାଇଁ ଯାଇଥାନ୍ତି। ଫୁଲ ସଂଗ୍ରହ ପୂର୍ବରୁ ଗଛ ତଳକୁ ସଫା ରଖିବା ପାଇଁ ନିଆଁ ଜାଳି ଦିଆ ଯାଏ କିମ୍ବା ମାଟି ଲେପି ଦିଆଯାଏ। ପ୍ରତିଦିନ ଭୋରରୁ ମହିଳା ଓ ପୁରୁଷ ମାନେ ନିଜ ଛୁଆଙ୍କ ସହ ଜଙ୍ଗଲକୁ ଯାଇ ଫୁଲ ସଂଗ୍ରହ କରୁଛନ୍ତି। ମହୁଲ ଫୁଲ ଗୋଟିଏ ଗୋଟିଏ ପଡ଼ୁଥିବାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗଛ ତଳେ ରହିବାକୁ ପଡେ। କିଛି ଲୋକଙ୍କ ନିଜ ଗଛ ଥିବା ବେଳେ କିଛି ଲୋକ ଜଙ୍ଗଲରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରିଥାନ୍ତି।

ମହୁଲ କାହାପାଇଁ ମହୁଲି ନିଶା ତ କାହାର ଭାତହାଣ୍ଡି। ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ। ଦୁଇ ପଇସା ରୋଜଗାର ଆଶା ନେଇ ଜଙ୍ଗଲରେ ବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଲୋକେ। ପରେ ଘରେ ମହୁଲକୁ ନେଇ ଶୁଖାଇଲ ବେପାରୀମାନଙ୍କୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି। ତେବେ ପରିଶ୍ରମ ହିସାବରେ ଉଚିତ ମୂଲ୍ୟ ପାଉନଥିବା ଅଭିଯୋଗ ହୋଇଛି। ବେପାରୀମାନେ ୩୫ ରୁ ୪୦ ଟଙ୍କା ଦେଇ ମହୁଲ ଫୁଲ କିଣି ନେଉଛନ୍ତି।

Advertisment

ସରକାରଙ୍କ ରାଜସ୍ୱବୃଦ୍ଧିର ମୁଖ୍ୟ ସ୍ରୋତ ହେଉଛି ମହୁଲ ଫୁଲ। ମହୁଲି ମଦ ବିକ୍ରୟ କରି ସରକାର ବହୁତ ଲାଭବାନ ହୋଇଥାନ୍ତି କିନ୍ତୁ ମହୁଲ କିଣିବା ପାଇଁ ସରକାରୀ ବ୍ୟବସ୍ଥା ଉତ୍ସାହଜନକ ନୁହେଁ। ଫଳରେ ଲୋକେ ଅଭାବି ବିକ୍ରିର ଶିକାର ହେଉଥିବା କହିଛନ୍ତି। ସାଧାରଣତଃ ଲଘୁବନ ଜାତ ଦ୍ରବ୍ୟ ବିକ୍ରୟ ତିନି ପ୍ରକାରରେ ହୋଇଥାଏ। ଯିଏ ଏହା କିଣିବାକୁ ଚାହିଁବ ସେ ଗ୍ରାମପଞ୍ଚାୟତରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ୧୦୦ଟଙ୍କା ଦେଇ ରସିଦ କାଟିବ ଓ ଗୋଟିଏ ଋତୁ ପାଇଁ ଲୋକଙ୍କ ଠାରୁ ସିଧାସଳଖ କିଣି ପାରିବ।

ଏମାନେ ପ୍ରାଥମିକ କ୍ରେତା, ଦ୍ଵିତୀୟରେ ଏମାନେ କୌଣସି ଗୋଦାମରେ ବିକ୍ରି କରିବେ ଓ ଶେଷରେ ଗୋଦାମ ମାଲିକ କୌଣସି କମ୍ପାନୀ କିମ୍ବା ସରକାରୀ ଭାରପ୍ରାପ୍ତ ଅଧିକାରୀଙ୍କୁ ବିକ୍ରି କରିବେ। ଏନେଇ ଖଡ଼ିଆଳ ଜିପିଇ ଓ ସୁକୃ ରାଠୋର ଓ ଖଡ଼ିଆଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ମହୁଲ ଫୁଲ ଓ ଅନ୍ୟାନ୍ୟ ଲଘୁଜାତ ଦ୍ରବ୍ୟ କ୍ରୟ ପାଇଁ ଏବେ ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା ରହିଛି ବୋଲି କହିଥିଲେ।

Advertisment
Advertisment