• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ମନେ ପଡ଼ୁଛନ୍ତି ସଂଗ୍ରାମୀ

  • ରକ୍ତ ରଞ୍ଜିତ ହୋଇଥିଲା କଳାମାଟିଆ

ଯାଜପୁର(ଗୁଲାମ୍‌ ଗସ୍‌): ସେଦିନ ଥିଲା ଗହ୍ମା ପୁର୍ଣ୍ଣମୀ। ଭାରତ ଛାଡ ଆନ୍ଦୋଳନରେ ବ୍ରିଟିଶ ପୋଲିସ ଗୁଳିରେ ଟଳି ପଡିଥିଲେ ଯାଜପୁର ଜିଲ୍ଲା ବରୀ ଅଂଚଳର ୪ଜଣ ଯୁବକ । ସେମାନଙ୍କ ପାଇଁ ଏବେ ବି ବରୀ ମାଟି ଗର୍ବି କରୁଛି। ଗୁଳିକାଣ୍ଡ ଘଟିଥିବା ସ୍ଥାନରେ ସ୍ମୃତି ସନ୍ତକ ଭାବେ ଠିଆ ହୋଇଛି ସହୀଦ ସ୍ତମ୍ଭ । ଗହ୍ମା ପୁନେଇଁ ଆସିଲେ ବୀର ସହୀଦମାନଙ୍କ ସ୍ମୃତି ଆପେ ଆପେ ମନେପଡିଯାଏ । କଳାମାଟିଆ ଓ ବରୀବାସୀ ସହିଦମାନଙ୍କୁ ଏହି ଦିନ ଦେଇଥାନ୍ତି ଶ୍ରଦ୍ଧାଂଜଳି ।

ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ । ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ ଗହ୍ମା ପୁର୍ଣ୍ଣମୀ ଦିନ ବରୀ କଳାମାଟିଆଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ। ଏହାସହ ଅନେକ ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ। ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି । ତାଙ୍କର ତ୍ୟାଗ, ବଳିଦାନ ଓ ଦେଶ ପ୍ରେମକୁ ମନେରଖିବା ପାଇଁ କଳାମାଟିଆଠାରେ ସ୍ଥାପନ କରାଯାଇଛି ସହିଦ ସ୍ମୃତିସ୍ତମ୍ଭ । ପ୍ରତିବର୍ଷ ଗହ୍ମା ପୂର୍ଣ୍ଣମୀର ଦିନକୁ ଗୁଳିକାଣ୍ଡର ସ୍ମାରକୀ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଏଠାରେ ସହୀଦ ହୋଇଥିବା ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଂଜଳି ଜ୍ଞାପନ ସହ ବିବିଧ କାର୍ଯ୍ୟକ୍ରମ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ସହୀଦମାନଙ୍କ ବୀରତ୍ୱର ଗାଥା ମନେ ପକାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଗହ୍ମା ପୂର୍ଣ୍ଣମୀ ଆସିଲେ କଳାମାଟିଆ ଗ୍ରାମବାସୀଙ୍କ ଲୋମ ଟାଙ୍କୁରି ଉଠେ । ମହାତ୍ମା ଗାନ୍ଧିଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀଙ୍କ ନେତୃତ୍ୱରେ ବରୀ ଅଂଚଳର ସଂଗଠିତ ସଂଗ୍ରାମୀମାନେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ଦୁଇ ବର୍ଷ ପୂର୍ବେ ଭୁବନେଶ୍ୱରଠାରେ ସହୀଦ ସ୍ମୃତିସ୍ତମ୍ଭ ସ୍ଥାପନ ନିମନ୍ତେ ଏଠାରୁ ପବିତ୍ର ମାଟି ସଂଗୃହୀତ କଳସକୁ ଶୋଭାଯାତ୍ରାରେ ନିଆଯାଇ ସଂଗ୍ରାମୀମାନଙ୍କ ଗାଁ ପରିକ୍ରମା କରାଯାଇଥିଲା । ଏହି ପୀଠର ଉନ୍ନତି କରିବା ପାଇଁ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ଏବେ ଏହି ପୀଠର ରୂପରେଖ ବଦଳିବାକୁ ଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୀଠର ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି । ଏନେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ତେବେ ଏହି ପୀଠକୁ ଜାତୀୟ ସ୍ମାରକୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।