• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ବିଶ୍ୱ ଶ୍ରମିକ ଦିବସ । ଶ୍ରମିକଙ୍କ ପାଇଁ ଦିନଟିଏ । ସେମାନଙ୍କ ଉନ୍ନତି ଲାଗି ଅନେକ ଆଲୋଚନା ପର୍ଯ୍ୟାଲୋଚନା । ମନ୍ତ୍ରୀ ଓ ଅଫିସରଙ୍କ ମୁହଁରେ ଶ୍ରମିକ ପାଇଁ ଯୋଜନା ପରେ ଯୋଜନାର ରୂପରେଖ । ହେଲେ ବାସ୍ତବ ଚିତ୍ର କିନ୍ତୁ ପୂରା ଓଲଟା । କେଉଁଠି କାମଧନ୍ଦା ସନ୍ଧାନରେ ଭିଟାମାଟି ଛାଡ଼ି ରାଜଧାନୀ ଆସିଥିବା ଶ୍ରମିକଟି କାମ ପାଉନି ତ, ଆଉ କେଉଁଠି ମନରେଗା ଯୋଜନାରେ କାମ କରିଥିବା ଶ୍ରମ ବାବଦ ଅର୍ଥକୁ ଅନେଇ ବସିଛି ଶ୍ରମିକ । ଓଟିଭିର ବିଶେଷ ରିପୋର୍ଟ ।.

ଭୁବନେଶ୍ୱର ନୟାପଲ୍ଲୀ ମଣିଷ ହାଟର ରାସ୍ତାକଡ଼ରେ ଥୁଆ ହୋଇଛି କୋଡି, କୋଦାଳ ଆଉ ଗାଣ୍ଡୁଆ । ସକାଳ ଯାଇ ଦିନ ୧୨ ବାଜିଲାଣି । ହେଲେ କାମଟିଏ ପାଇଁ ଏବେ ବି ଚାହିଁ ରହିଛି ଶ୍ରମିକ ବାପୁଡ଼ାର ଆଖି । ଗାଡ଼ି ଖଣ୍ଡେ ଲାଗିଲେ, କାମ କିଛି ମିଳିଯିବ ଭାବି ତା’ ପାଖକୁ ଦୌଡ଼ି ଯାଉଛନ୍ତି ସଭିଏଁ । କାହା ଭାଗ୍ୟ ଖୋଲୁଛି, ତ କିଏ ନିରାଶରେ ମୁଣ୍ଡରେ ହାତ ମାରୁଛି ।

ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ ମୋଡ଼ିଦେବା ପରେ ଚାଷ ଜମି ବନ୍ଧା ପକାଇ ନିଜ ସାଧ୍ୟମତେ ଚିକିତ୍ସା କରି ଫେଲ ମାରିବା ପରେ ୬ ମାସ ଧରି ଶଯ୍ୟାଶାୟୀ । ସରକାରୀ ସାହାଯ୍ୟ ଟିକେ ପାଇଁ ପଞ୍ଚାୟତରୁ ସଦର ମହକୁମା ଯାଏଁ ଦୌଡ଼ି ଦୌଡ଼ି ପରିବାର ଲୋକେ ନୟାନ୍ତ ।

ସେହିପରି ବେଲପଡ଼ା ବ୍ଲକ୍ ବେହେରାମୁଣ୍ଡା ପଞ୍ଚାୟତରେ ଦାଦନ ନ ଯାଇ ମନରେଗା ଅଧୀନରେ କାମ କରିଥିଲେ କିଛି ଶ୍ରମିକମାନେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ମୂଲ ଖଟିଲେ । ହେଲେ ୬ ମାସ ପରେ ବି ପାଉଣା ନପାଇବାରୁ ଆଜି ଶ୍ରମିକ ଦିବସରେ ସରପଞ୍ଚ ଓ ଇଓଙ୍କୁ ତାଲା ପକାଇ ଦେଇଥିଲେ । ଶ୍ରମିକ ଦୁଃଖର ଏ ଚିତ୍ର କେବଳ ଭୁବନେଶ୍ୱର କି ବଲାଙ୍ଗୀର ନୁହେଁ । ରାଜ୍ୟର ସବୁଠି ଏମିତି ସ୍ଥିତି । ପେଟକୁ ଦାନା ଯୋଗାଡ଼ କରିବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛି ଶ୍ରମିକ । ହେଲେ ଆଜିକା ଦିନରେ ଶ୍ରମମନ୍ତ୍ରୀଙ୍କ କହିବା କଥା ଶ୍ରମିକଙ୍କ ହାତ ପାହାନ୍ତାରେ ସରକାରୀ ସେବା ଓ ସୁବିଧା ପହଞ୍ଚାଇବାକୁ ସବୁ ବ୍ୟବସ୍ଥା କରିଛନ୍ତି ସରକାର ।