/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682952435.jpg)
KOTIA Issue
କୋଟିଆ ଦଖଲ ପାଇଁ ନିଇତି ଷଡ଼ଯନ୍ତ୍ର ଚଳାଇଥିବା ଆନ୍ଧ୍ର ବିରୋଧରେ ତୁଚ୍ଛାରେ ମୁହଁ ଭୁରୁଡ଼ି ମାରୁଥିବା ଓଡ଼ିଶା ସରକାରଙ୍କୁ ପୁଣି ଆନ୍ଧ୍ରର ସାଙ୍ଘାତିକ ଚାଲେଞ୍ଜ । କୋଟିଆବାସୀଙ୍କୁ ସରକାରୀ ପ୍ରଲୋଭନ ଦେଖାଇ ନିଜ ଆଡକୁ ଟାଣିଚାଲିଥିବା ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ଆଜି ସରକାରୀ ଦଳବଳ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି କୋଟିଆରେ । ଘରକୁ ଘର ବୁଲିଛନ୍ତି, ସରକାରୀ ଯୋଜନାର ପ୍ରଚାର କରିଛନ୍ତି । ଆଉ ତାହାରି ଭିତରେ ଆନ୍ଧ୍ର-ଓଡ଼ିଶା ଭାଇ ଭାଇ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ବାପା ଭଳି ବୋଲି ମନ୍ତବ୍ୟ ଦେଇଛନ୍ତି ଡେପୁଟୀ ସିଏମ୍ ରାଜନ ଦୋରା । ଯାହାକୁ ନେଇ ଖଡଗହସ୍ତ ସ୍ଥାନୀୟ ନେତା।
ଓଡ଼ିଶା ମାଟିରୁ କୋଟିଆକୁ ଛଡ଼ାଇ ନେବାକୁ କଳ, ବଳ, କୌଶଳ ଖଟାଇ ଅପଚେଷ୍ଟା କରୁଥିବା ଆନ୍ଧ୍ରର ଆଉ ଏକ ରୂପ । ମଧୁର ବଚନ କହି, କେମିତି ଦଖଲ କରିହେବ କୋଟିଆକୁ, ନୂଆ ତରିକା ଆପଣାଇଛନ୍ତି ଜଗନ୍ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ । କେତେବେଳେ କହୁଛନ୍ତି ଓଡ଼ିଶା-ଆନ୍ଧ୍ର ଭାଇ ଭାଇ ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଲେଣି ଆମେ ତାଙ୍କୁ ନିଜ ବାପା ଭଳି ଭଲପାଉ ।
ସୀମାନ୍ତ ଫାଟୁ ସିନେରୀ ଏବଂ ଫଗୁଣ ସିନେରୀକୁ ପୁଣି ଅନୁପ୍ରବେଶ କରି ଆଜି ଏଭଳି କୋମଳ ବାକ୍ୟ ମାରି କୋଟିଆବାସୀଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି ଡେପୁଟୀ ସିଏମ୍ ତଥା ସାଲୁର ବିଧାୟକ ପିଡ଼ିକା ରାଜନ ଦୋରା। ସାଙ୍ଗରେ ଥିଲେ ସାଲୁର ତହସିଲଦାର, ବିଡ଼ିଓ ଏବଂ ସୁରକ୍ଷାକର୍ମୀଙ୍କ ସହ ରାଜନଙ୍କ ସମର୍ଥକ ଓ କର୍ମୀ । ପ୍ରଥମେ ଘରକୁ ଘର ବୁଲିଥିଲେ । ଆନ୍ଧ୍ର ସରକାରଙ୍କ ନାନା ଯୋଜନାର ପ୍ରଚାର ପ୍ରସାର କରିଥିଲେ। କୋଟିଆ ଗ୍ରାମପୁଞ୍ଜରେ ଏଭଳି ଆଉ ୩ ଦିନ ରାଜନ ଦୋରା ଅଭିଯାନ ଜାରି ରଖିବେ ବୋଲି ସୂଚନା ମିଳିଛି ।
ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ଏଭଳି ୩ ଦିନିଆ ଇଣ୍ଟି ଇଣ୍ଟିଲୁ ଜଗନ ସରକାର କାର୍ଯ୍ୟକ୍ରମକୁ ନେଇ କୋଟିଆ ଗ୍ରାମପୁଞ୍ଜରେ ଦେଖାଦେଇଛି ଛକାପଞ୍ଛା ପରିସ୍ଥିତି। ଗସ୍ତ କାର୍ଯ୍ୟକ୍ରମକୁ ଦେଖି ମାଡ଼କାର ଠାରେ ମାଟି ପକାଇ ରାସ୍ତାକୁ ଅବରୋଧ କରାଯାଇଛି। ତେବେ ଆନ୍ଧ୍ରକୁ ଚେକ୍ ଦେବାକୁ ଓଡ଼ିଶା ମାଟି ପକାଇଛି ନା କାଳେ ଓଡ଼ିଶା ଅଧିକାରୀ କିମ୍ବା ନେତା ଆସି ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଆଶଙ୍କାରେ ଆନ୍ଧ୍ର ଏଭଳି ରାସ୍ତା ଅବରୋଧ କରିଛି, ତାହା ସ୍ପଷ୍ଟ ହୋଇନାହିଁ।
ତେବେ ସେ ଯାହା ବି ହେଉ, କୋଟିଆକୁ ଓଡ଼ିଶା ମାନଚିତ୍ରରୁ ହଜାଇ ଦେବାକୁ ନିଇତି ଷଡ଼ଯନ୍ତ୍ର ରଚୁଥିବା ଆନ୍ଧ୍ର ମୁହଁରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ପଛର କାରଣ କ’ଣ ? ପୂର୍ବରୁ ମୁହଁ ଟାଣ କରି କୋଟିଆକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ଏବେ ଓଡ଼ିଶା-ଆନ୍ଧ୍ର ଭାଇ ଭାଇ ବୋଲି ମନ୍ତବ୍ୟ ଦେବା ପଛରେ କ’ଣ ରହିଥାଇପାରେ ଉଦ୍ଦେଶ୍ୟ ? ଉତ୍କଳ ଦିବସ ପାଳନବେଳେ ଆନ୍ଧ୍ର ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋ ବ୍ୟାକ୍ ନାରା ପରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିବା ଜଗନ ସରକାର ରଣନୀତି ବଦଳାଉଛନ୍ତି କି ? ଏବେ ଏଭଳି ପ୍ରଶ୍ନ ଉଠିଥିବାବେଳେ ଆନ୍ଧ୍ରର ଆଭିମୁଖ୍ୟକୁ ନେଇ ସ୍ଥାନୀୟ ନେତା ବି ଖଡଗହସ୍ତ ।
କୋଟିଆକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଜାରି ରହିଥିବା ଆଇନଗତ ଲଢ଼େଇ ଭିତରେ ଆଜି ସାମ୍ନାକୁ ଆସିଥିବା ଆନ୍ଧ୍ରର ନୂଆ ରଣନୀତି ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)