ସରକାର ଶୁଣିଲେନି, ଅଣ୍ଟା ଭିଡ଼ିଛନ୍ତି ଗ୍ରାମବାସୀ । ଗାଁ ଲୋକେ ଗଢ଼ୁଛନ୍ତି ନବୀନ ସରକାରଙ୍କ ବିକାଶର ବାଉଁଶ ପୋଲ । ଏଠି ଛୋଟ ପିଲାଙ୍କୁ ବି ଭାରି ମାତ୍ରାରେ ବାଧିଛି, କଷ୍ଟଟି ସେମାନେ ଭୋଗିଛନ୍ତି । ଆଉ ସେଇଥି ପାଇଁ ନିଜେ ବଡ଼ଲୋକଙ୍କ ସହ ମିଶି କାମରେ ଲାଗି ପଡ଼ିଛନ୍ତି । ସ୍ୱାଧୀନତାର ୭ ଦଶନ୍ଧି ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି।
ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଖାଲିନା ପଂଚାୟତର ଇକଡ଼ା ଗାଁ । ଗ୍ରାମରେ ଥିବା ହରିଜନ ସାହିର ଦୁର୍ଦ୍ଦଶା କହିଲେ ନସରେ । ଏଠି ଲୋକେ ପଚପଚିଆ ନାଳପଙ୍କ କାଦୁଅ ଡେଇଁ ଯାଆସ କରନ୍ତି । ତେବେ ଏହା ଏବେର ନୁହେଁ ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି । ହେଲେ ଏ ଗାଁ ଲୋକଙ୍କ ଦୁଃଖ ୨୨ ବର୍ଷର ସ୍ଥାଣୁ ନବୀନ ସରକାର ଆଖିରେ ପଡ଼ିନି । ପକ୍କା ରାସ୍ତା ତ ଦୂରର ଏଠି ଗୁଡ଼ି ମୁଠାଏ ବି କୋଉ ନେତା ପକାଇ ନାହାନ୍ତି । କିନ୍ତୁ ନିର୍ବାଚନ ସମୟ ଆସିଲେ ଭୋଟ୍ ମାଗିବାକୁ ଧାଇଁ ଆସିଛନ୍ତି । ବର୍ଷା ଦିନ ଆସିଲେ ସତେ ଯେମିତି ଲୋକଙ୍କୁ ଏଠି ଶନି ଦଶା ପଡ଼ିଯାଏ ।
ସରକାରକୁ ଅପେକ୍ଷା କରି ଲାଭ କଣ, ସେଇଥି ପାଇଁ ଲୋକେ ନିଜ ଉଦ୍ୟମରେ ଗଢ଼ିଛନ୍ତି ବାଉଁଶ ପୋଲ । ଉଦଘାଟନ କରି ନିଜେ କଦଳୀ ଗଛ ମଧ୍ୟ ବାନ୍ଧିଛନ୍ତି । ପ୍ରକୃତରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ଏହି ପୋଲକୁ ଉଦଘାଟନ କରିବା କଥା । ଆଉ ଦେଖିବା କଥା ତାଙ୍କ ବିକାଶର ବାଉଁଶ ପୋଲରେ ଚାଲିଲେ କେମିତି ଗୋଡ଼ ଟଳମଳ ହେଉଛି? ବହୁ ବାର ବାଉଁଶ ପୋଲରୁ ଗଳିପଡ଼ିଛନ୍ତି ଛୋଟ ପିଲା ଆଉ ବୁଢା ବୁଢୀ । ଏ ଗାଁକୁ ବର କନ୍ୟା କେମିତି ଆସୁଥିବେ ଥରେ ଅନୁମାନ କରନ୍ତୁ ?
ସରପଞ୍ଚ,ବିଡିଓ,ବିଧାୟକ ଏବଂ ସାଂସଦଙ୍କ ପାଖରେ ଯେତେ ଗୁହାରି କଲେ କଣ ହେବ,ଫଳ ଶୂନ। ଶେଷରେ ଗୁଞ୍ଜ ନାମକ ସମାଜିକ ସଂଗଠନ ଓ ସାହି ଏକାଠି ହୋଇ ଏଇ ବାଉଁଶ ପୋଲଟି ତିଆରି କରିଛନ୍ତି। ଏ ସରକାର ଏ ବାଉଁଶ ପୋଲକୁ ପକା ସଡ଼କ କରିବେ ନା ଆର ଥରକୁ ପୁଅ ପୋଲ ବାନ୍ଧିବେ ଲୋକେ?
ଜଳେଶ୍ୱରରୁ ଅଜିତ କୁମାର ଦାସଙ୍କ ରିପୋର୍ଟ ଓଟିଭି