Advertisment

ପ୍ରାକ୍ଟିକାଲ୍‌ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ

ଥମୁନି ୟୁକ୍ରେନ-ଋଷ୍ ଯୁଦ୍ଧ। ଏନେଇ ବଢୁଛି ଚିନ୍ତା। ୬ ବର୍ଷିଆ ମେଡିକାଲ ସାଇନ୍ସ କୋର୍ସ ଅଧାରୁ ପାଠପଢ଼ା ଛାଡ଼ି ଆସିବା ପରେ ଏବେ ପ୍ରାକ୍ଟିକାଲ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ।

author-image
Pramod Behera
Hopeless Ukraine return student

Hopeless Ukraine return student

ଥମୁନି ୟୁକ୍ରେନ-ଋଷ୍ ଯୁଦ୍ଧ। ଏନେଇ ବଢୁଛି ଚିନ୍ତା। ୬ ବର୍ଷିଆ ମେଡିକାଲ ସାଇନ୍ସ କୋର୍ସ ଅଧାରୁ ପାଠପଢ଼ା ଛାଡ଼ି ଆସିବା ପରେ ଏବେ ପ୍ରାକ୍ଟିକାଲ ଚିନ୍ତାରେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ। ସେମିତି ଜଣେ ଛାତ୍ରୀ ହେଲେ ବ୍ରହ୍ମପୁରର ଲିପି ମହାପାତ୍ର। ସେ ହେଲେ ୟୁକ୍ରେନର ଖାର୍କିଭ୍ ନ୍ୟାସ୍‌ନାଲ୍‌ ମେଡିକାଲ ୟୁନିଭର୍ସିଟିର ତୃତୀୟ ବର୍ଷ ଛାତ୍ରୀ। ଯୁଦ୍ଧ ଆରମ୍ଭ ପରଠୁ ବିଶ୍ୱବିଦ୍ୟାଳୟ ଛାଡ଼ିବାକୁ ପ୍ରାୟ ଦେଢ଼ ମାସ ବିତିଲାଣି, ଯଦିଓ ଘରେ ଅନ୍‌ଲାଇନ୍‌ରେ କ୍ଲାସ୍‌ର କାଁ ଭାଁ ସୁବିଧା ମିଳୁଛି, ତାହା ମେଡିକାଲ କୋର୍ସ ପାଇଁ ତାହା ଯଥେଷ୍ଟ ନୁହେଁ। ଆଗକୁ ପ୍ରାକ୍ଟିକାଲ୍‌ ପଢିବା କଥା, ହେଲେ ଏଠି ତାହା କେମିତି ସମ୍ଭବ ହେବ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ଲିପି।

Advertisment

ସେହିପରି ଆଉ ଜଣେ ହେଲେ ରାଉରକେଲାର ସୁପ୍ରିୟା ହୋତା। ସେ ହେଉଛନ୍ତି ୟୁକ୍ରେନ୍‌ରେ ଚତୁର୍ଥ ବର୍ଷର ମେଡିକାଲ ଛାତ୍ରୀ। ଚତୁର୍ଥ ବର୍ଷର କୋର୍ସ ପ୍ରାକ୍ଟିକାଲ୍‌ ଉପରେ ପର୍ଯ୍ୟବେଶିତ ହୋଇଥିଲେ ବି ଏବେ ତାଙ୍କ ପାଇଁ ସେ ସୁଯୋଗ ନାହିଁ। ଆଗକୁ ପାଠପଢ଼ା କ’ଣ ହେବ, ପ୍ରାକ୍ଟିକାଲ କେମିତି ହେବ, ତାକୁ ନେଇ ଚିନ୍ତାରେ ପଡିଛନ୍ତି ତାଙ୍କ ଭଳି ଅନେକ ପିଲା ଓ ସେମାନଙ୍କ ଅଭିଭାବକ।

ୟୁକ୍ରେନ୍‌ରୁ ପ୍ରାୟ ୪୦୦ରୁ ଅଧିକ ମେଡିକାଲ ପଢୁଥିବା ପିଲା ଓଡ଼ିଶା ଫେରିଛନ୍ତି। ୟା ଭିତରେ ଯୁଦ୍ଧକୁ ୫୦ ଦିନ ବିତିଥିବା ବେଳେ ଯୁଦ୍ଧରେ ବିରାମ ନେଇ କୌଣସି ସୂଚନା ମିଳୁ ନଥିବାରୁ ଆହୁରି ଅନିଶ୍ଚିତତା ଭିତରକୁ ଚାଲିଯାଉଛି ଏ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ।

Advertisment

ଥିଓରୀ ଯେନତେନ ପ୍ରକାରେ ପଢ଼ୁଥିଲେ ବି, ପ୍ରାକ୍ଟିକାଲ୍‌ ସୁଯୋଗ ନ ଥିବାରୁ ସବୁ ପିଲା ଚିନ୍ତାରେ। ତେଣୁ ଗତକାଲି ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରେ ସାକ୍ଷାତ କରି କିଛି ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସେ ଦାୟିତ୍ୱ ନେଇଛି ଏବଂ କିଛି ବ୍ୟବସ୍ଥା କରୁଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ୟୁକ୍ରେନ୍ ଉପରେ ଋଷ୍‌ର ଆ‍କ୍ରମଣକୁ ୫୨ ଦିନ ପରେ ବି ଯୁଦ୍ଧ ଥମିବାର ନାଁ ନେଉନି। ଏପରିସ୍ଥଳେ ସେ ଦେଶର ବଡ଼ ବଡ଼ ସହରରେ ଥିବା ବହୁ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ମାଟିରେ ମିଶିଥିବା ବେଳେ ସେଠାରେ ପାଠ ପଢୁଥିବା ପ୍ରବାସୀ ଛାତ୍ରଛାତ୍ରୀ ଏବେ ନିକଟ ଭବିଷ୍ୟତରେ ଫେରିବାର ସମ୍ଭାବନା କମ୍ ରହିଛି। ଏପରିସ୍ଥଳରେ ସରକାର ଏ ପିଲାଙ୍କ ପାଇଁ ଆଗକୁ କି ବ୍ୟବସ୍ଥା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Ukraine Russia War
Advertisment
Advertisment