Advertisment

Kumbh Mela: କେଉଁ ସହରରେ ହେବ କୁମ୍ଭମେଳା, ଏହି ଦିନ ଠାରୁ ଆରମ୍ଭ ହେବ

କୁମ୍ଭ ମେଳା ଶେଷ ହୋଇଥିବା ବେଳେ ପରବର୍ତ୍ତୀ କୁମ୍ଭ ମେଳା କେଉଁଠି ହେବ ତାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା। ପରବର୍ତ୍ତୀ କୁମ୍ଭ ମେଳା ୨୦୨୭ରେ ମହାରାଷ୍ଟ୍ରର ନାଶିକରେ ଅନୁଷ୍ଠିତ ହେବ।

author-image
Saroj Kumar Jena
ଅଦ୍ୟତନ ହୋଇଛି
mahakumbh

mahakumbh

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଯବନିକା। ମହାଶିବରାତ୍ରିରେ ଅନ୍ତିମ ସ୍ନାନ ଯୋଗ ସହ ୪୫ ଦିନର ସବୁଠୁ ବଡ଼ ଧାର୍ମିକ ସଙ୍ଗମର ହୋଇଛି ସମାପନ। ତ୍ରିବେଣୀ ସଂଗମରେ ସ୍ନାନ କରି ପୁଣ୍ୟ ଲଭିଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ। ମହାଶିବରାତ୍ରୀର ପବିତ୍ର ଦିନରେ ସଙ୍ଗମରେ ସ୍ନାନ କରି ପୁଣ୍ୟ ଲଭିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶେଷ ସ୍ନାନ ଥିବାରୁ ଦେଶ ବିଦେଶରୁ ତୀର୍ଥରାଜକୁ ଛୁଟିଥିଲା ଶ୍ରଦ୍ଧାଳୁ ଓ ସାଧୁ ସନ୍ଥଙ୍କ ଭିଡ। କିଏ ପରିବାର ସହ ସ୍ନାନ କରିଥିଲା ତ କିଏ ସଙ୍ଗମରେ ବୁଡ ପକାଇ ସମ୍ପର୍କୀୟଙ୍କ ପାଇଁ ବୋହି ନେଇଥିଲା ପବିତ୍ର ପାଣି। ମହାକୁମ୍ଭର ଶେଷ ଦିନରେ ବିଭିନ୍ନ ଘାଟରେ ଶାନ୍ତି ଶୃଙ୍ଖଳାର ସହ ବୁଡ଼ ପକାଇଛନ୍ତି ଦେଢ କୋଟିରୁ ଅଧିକ ଶ୍ରଦ୍ଧାଳୁ

Advertisment

ଅଧିକ ପଢ଼ନ୍ତୁ: ପୁଣି ଥରେ ମମତାଙ୍କ ହିନ୍ଦୁ ବିରୋଧୀ ଚେହେରା ସାମ୍ନାକୁ ଆସିଲା, ମହାକୁମ୍ଭକୁ କହିଲେ ମୃତ୍ୟୁ କୁମ୍ଭ

ମହାଶିବରାତ୍ରିରେ ଶେଷ ସ୍ନାନ ସହ ୪୫ ଦିନର ମହାକୁମ୍ଭରେ ପଡିଛି ଯବନିକା। ଅନ୍ତିମ ଦିନରେ ପ୍ରୟାଗରାଜ ଆକାଶରେ ହୋଇଥିଲା ଚିତ୍ତାକର୍ଷକ ଏୟାର ସୋ। ପବିତ୍ର କୁମ୍ଭ ନଗରୀ ଏବଂ ଆସ୍ଥା ଓ ବିଶ୍ବାସର ବୁଡ ପକାଉଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସମ୍ମାନ ଜଣାଇ ଫ୍ଲାଏ ପାଷ୍ଟ କରିଥିଲେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ। ସେପଟେ ଭିଡ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିଥିଲା ପ୍ରଶାସନ। ସ୍ନାନ ଘାଟରେ ମୁତୟନ ପୋଲିସ ରଖିଥିଲେ କଡା ନଜର। ପୁରା ଅଂଚଳ ନୋ ଭେହିକିଲ୍ ଜୋନ୍ ହୋଇଥିବା ବେଳେ ଭିଡ ପାଇଁ ରଦ୍ଦ କରାଯାଇଥିଲା ଭିଭିଆଇପି ପ୍ରୋଟୋକଲ୍। ହେଲିକେପ୍ଟର ଓ ଡ୍ରୋନ ମାଧ୍ୟମରେ ଭିଡ ଉପରେ ରହିଥିଲା ନଜର। ଗୋଟିଏ ସ୍ଥାନରେ କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଏତେ ଲୋକ ଏକାଠି ହେବା ପ୍ରଥମ ଘଟଣା।

Advertisment

କୁମ୍ଭ ମେଳା ଶେଷ ହୋଇଥିବା ବେଳେ ପରବର୍ତ୍ତୀ କୁମ୍ଭ ମେଳା କେଉଁଠି ହେବ ତାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା। ପରବର୍ତ୍ତୀ କୁମ୍ଭ ମେଳା ୨୦୨୭ରେ ମହାରାଷ୍ଟ୍ରର ନାଶିକରେ ଅନୁଷ୍ଠିତ ହେବ। ନାଶିକରୁ ୩୮ କିମି ଦୂର ତ୍ରୟମ୍ବକେଶ୍ୱର ଠାରେ ଏହି ଧାର୍ମିକ କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ସ୍ଥାନଟି ଗୋଦାବରୀ ନଦୀ କୂଳରେ ରହିଛି। ଗୋଦାବରୀ ହେଉଛି ଭାରତର ଦ୍ୱିତୀୟ ଦୀର୍ଘତମ ନଦୀ। ଏଠାରେ ତ୍ରୟମ୍ବକେଶ୍ୱର ଶିବ ମନ୍ଦିର ରହିଛି। ଦେଶର ୧୨ ପବିତ୍ର ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ରିପୋର୍ଟ ଅନୁସାରେ ୨୦୨୭ରେ କୁମ୍ଭମେଳା ଏଠାରେ ଜୁଲାଇ ୧୭ରୁ ଅଗଷ୍ଟ ୧୭ ଯାଏ ଚାଲିବ ।

୨୦୨୭ ନାଶିକ କୁମ୍ଭମେଳାରେ ଟେକ୍ନୋଲୋଜିର ବ୍ୟବହାର କରାଯିବ। ଯେଉଁମାନେ ପବିତ୍ର ବୁଡ଼ ପକାଇବାକୁ ଆସିପାରିବେ ନାହିଁ, ସେମାନଙ୍କୁ ଭର୍ଚୁଆଲ ‌ଅଭିଜ୍ଞତା ଯୋଗାଇ ଦିଆଯିବ। ଟେକ୍ନୋଲୋଜି ମାଧ୍ୟମରେ ସେମାନେ ନଦୀରେ ବୁଡ଼ ପକାଇବା ଭଳି ଅନୁଭବ କରିବେ। କୁମ୍ଭ ମେଳା ୪ଟି ପବିତ୍ର ସହର- ପ୍ରୟାଗରାଜଳ ହରିଦ୍ୱାର, ନାଶିକ ଓ ଉଜ୍ଜୟୀନରେ ଅନୁଷ୍ଠିତ ହୋଇଥାଏ। ପ୍ରତି ୩ ବର୍ଷରେ ଥରେ ଗୋଟିଏ ସହର କୁମ୍ଭମେଳା ଆୟୋଜନ କରିଥାଏ। ପ୍ରତି ୪ ବର୍ଷରେ ଥରେ ପାଳନ ହେଉଥିବା ବୁଡ଼କୁ କୁମ୍ଭ ମେଳା, ୬ ବର୍ଷରେ ଥରେ ପଡ଼ୁଥିବା ବୁଡ଼କୁ ଅର୍ଦ୍ଧ କୁମ୍ଭ ମେଳା କୁହାଯାଏ। ସେହିପରି ୧୨ ବର୍ଷରେ ଥରେ ପାଳିତ ହେଉଥିବା ମେଳାକୁ ପୂର୍ଣ୍ଣ କୁମ୍ଭ ମେଳା ଓ ନିକଟରେ ଶେଷ ହୋଇଥିବା ମେଳା ୧୪୪ ବର୍ଷ ପରେ ପଡ଼ିଥିବାରୁ ଏହାକୁ ମହା କୁମ୍ଭ ମେଳା କୁହାଯାଉଛି।

୧୪୦ କୋଟି ଲୋକଙ୍କ ଦେଶରେ କୌଣସି ଏକ ଧାର୍ମିକ କାର୍ଯ୍ୟରେ ପ୍ରାୟ ଅର୍ଦ୍ଧାଧିକ ହିନ୍ଦୁ ଧର୍ମର ଲୋକ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଗୋଟିଏ ବିଶ୍ୱ ରେକର୍ଡ। ୬୬ କୋଟି ଲୋକ ବୁଡ଼ ପକାଇବାର ଅର୍ଥ ଆମେରିକା ଜନସଂଖ୍ୟାର ୨ ଗୁଣ। ଆମେକାର ଜନସଂଖ୍ୟା ୩୪ କୋଟି ହୋଇଥିବା ବେଳେ ଗଙ୍ଗା, ଯମୁନା ଓ ସରସ୍ୱତୀର ସଙ୍ଗମ ସ୍ଥଳରେ ୬୬ କୋଟି ଲୋକ ପବିତ୍ର ସ୍ନାନ କରିଛନ୍ତି।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ଲଜ୍ଜା, ଇଣ୍ଟରନେଟରେ ବିକ୍ରି ହେଉଛି ମହିଳାଙ୍କ ଗାଧୁଆ ଭିଡିଓ

Kumbh Mela Nashik
Advertisment
Advertisment