Advertisment

Uttam Mohanty: ଅସ୍ତଗଲେ ଓଡିଆ ସିନେମା ଜଗତର ସୂର୍ଯ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ଅଭିମାନ କରି ଆସିଥିଲେ, ଆଉ ବିଦ୍ୟାରାଣ ପକାଇ ବିଦାୟ ନେଇଗଲେ । ଉତ୍ତମ ମହାନ୍ତି, ଆଉ ନାହାନ୍ତି । ତୁଣ୍ଡବାଇଦ ଭଳି ଖବର ସାରା ଓଡ଼ିଶାକୁ ସିନା ବ୍ୟାପି ଗଲା, ହେଲେ ବିଶ୍ବାସ ଲାଗୁନଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
uttam

uttam

ଅଭିମାନ କରି ଆସିଥିଲେ, ଆଉ ବିଦ୍ୟାରାଣ ପକାଇ ବିଦାୟ ନେଇଗଲେ । ଉତ୍ତମ ମହାନ୍ତି, ଆଉ ନାହାନ୍ତି । ତୁଣ୍ଡବାଇଦ ଭଳି ଖବର ସାରା ଓଡ଼ିଶାକୁ ସିନା ବ୍ୟାପି ଗଲା, ହେଲେ ବିଶ୍ବାସ ଲାଗୁନଥିଲା। ଲୋତକରେ ଛଳ ଛଳ ପ୍ରଶଂସକଙ୍କ ନୟନ କାହିଁକି ନା ଓଡ଼ିଆ ସିନେମାର ଏ ବାଦଶାହ ଆଜି କୌଣସି ମୃତକର ଚରିତ୍ରରେ ଅଭିନୟ କରୁନାହାନ୍ତି ବରଂ ଚିରନିଦ୍ରାରେ ଶୋଇ ଯାଇଛନ୍ତି।କାଲି ରାତିରୁ ତାଙ୍କ ପରଲୋକ ଖବର ପ୍ରଚାର ହେବା ପରଠୁ- ଓଲିଉଡ୍ ସ୍ତବ୍ଧ, ଫ୍ୟାନ୍ ନିସ୍ତବ୍ଧ। ଓଲିଉଡ୍ ଚକଲେଟ୍ ହିରୋଙ୍କ ଶେଷ ଝଲକ ଟିକେ ପାଇବାକୁ ସମସ୍ତେ ଥିଲେ ବ୍ୟସ୍ତ, ବ୍ୟଗ୍ର।

Advertisment

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ର ନୂଆ ପୋଷ୍ଟର ରିଲିଜ୍‌; ଦମଦାର୍ ଲୁକ୍‌ରେ ସଲ୍‌ମାନ ଖାନ୍‌

ଲିଭର ସିରୋସିସରେ ପୀଡିତ ଉତ୍ତମ ମହାନ୍ତିଙ୍କର, ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ଗୁରୁଗାଓଁ ମେଦାନ୍ତ ହସପିଟାଲରେ ୬୭ ବର୍ଷ ବୟସରେ ପରଲୋକ ଘଟିଥିଲା। ଅବସ୍ଥା ଗୁରୁତର ହେବାରୁ ଗତ ୮ ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏୟାର ଲିଫ୍ଟ କରାଯାଇ ଦିଲ୍ଲୀ ନିଆଯାଇଥିଲା, ସେଠି ୨୦ ଦିନ ଧରି ଚିକିତ୍ସା ଚାଲିଥିଲା। ଉତ୍ତମ ସୁସ୍ଥ ହୋଇ ଫେରିବେ ସେ ବିଶ୍ବାସ ବି ସମସ୍ତଙ୍କର ଥିଲା, ହେଲେ ବିଧିର ବିଧାନ କିନ୍ତୁ ଥିଲା କିଛି ଅଲଗା। ଆଜି ମାଧ୍ୟାହ୍ନରେ ଉତ୍ତମଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରଠୁ ସେଠୁ ତାଙ୍କ ଜଗନ୍ନାଥ ବିହାରସ୍ଥିତ ବାସ ଭବନ ଯାଏଁ, ସବୁଠି ହୋଇଥିଲା ଲୋକାରଣ୍ୟ। ଉତ୍ତମଙ୍କୁ ଶେଷ ଦର୍ଶନ ସହ ଶ୍ରଦ୍ଧାଂଜଳି ଜଣାଇବାକୁ ଲାଗିଥିଲା ଗହଳି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦଙ୍କ ସହ ପ୍ରଂଶସକ, ସିନେ କଳାକାର ଓ ସାଧାରଣ ଜନତା ସମସ୍ତେ ଗଭୀର ଶୋକ ପ୍ରକାଶ କରିବା ସହ ଏ ମହାନ କଳାକାରଙ୍କ ଶେଷ ଝଲକ ଟିକେ ପାଇବାକୁ ଛୁଟିଥିଲେ ଉତ୍ତମଙ୍କ ବାସଭବନକୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି କରିଥିଲେ ଓଲିଉଡ୍ ସୁପରଷ୍ଟାରଙ୍କ ଅନ୍ତିମ ଦର୍ଶନ। ଉତ୍ତମଙ୍କ ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କୁ ଜଣାଇଥିଲେ ଗଭୀର ସମବେଦନା। ୨୦୦୮ ମସିହାରେ ବିଧାୟକ ଥିବାବେଳେ କେମିତି ତାଙ୍କ କ୍ବାର୍ଟରକୁ ଏକ ସୁଟିଂ ପାଇଁ ଉତ୍ତମ ମହାନ୍ତି ଆସିବାବେଳେ ସାକ୍ଷାତ ହୋଇଥିଲା ଭାବ ବିନିମୟ ସେ କଥା ଭୁଲିନଥିଲେ ମୁଖ୍ୟମନ୍ତ୍ରୀ।

Advertisment

ଅପରାହ୍ନ ସାଢ଼େ ୨ଟାରୁ ଆରମ୍ଭ ହୋଇଥିଲା ଦିବଂଗତ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଅନ୍ତିମ ଯାତ୍ରା। ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନକୁ ଉତ୍ତମଙ୍କ ଶେଷ ଶୋଭାଯାତ୍ରା ଚାଲିଥିବାବେଳେ ବାଟରେ ବି ଶେଷ ଦର୍ଶନ ପାଇଁ ଲାଗିଥିଲା ଭିଡ଼। ପୂର୍ବରୁ ସତ୍ୟନଗର ଶ୍ମଶାନ ହୋଇସାରିଥିଲା ଲୋକାରଣ୍ୟ। ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଉତ୍ତମ ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ତାପରେ ପୁଅ ତଥା ଅଭିନେତା ବାବୁସାନ ମହାନ୍ତି ଦେଇଥିଲେ ମୁଖାଗ୍ନି। ଧିରେ ଧିରେ ପଞ୍ଚଭୂତରେ ବିଲୀନ ହୋଇଗଲା ଓଡ଼ିଶାର ଘରେ ଘରେ ଅତି ପରିଚିତ ଅଭିନେତାଙ୍କ ପାର୍ଥୀବ ଶରୀର।

ଓଲିଉଡ୍ ଆକାଶରୁ ସବୁଦିନ ପାଇଁ ଅସ୍ତ ହୋଇଗଲେ ଓଡ଼ିଆ ସିନେମାର ସୂର୍ଯ୍ୟ। କୋଟି ଓଡ଼ିଆଙ୍କ ହୃଦୟରେ ୪ ଦଶନ୍ଧୀ ଧରି ରାଜୁତି କରି ଅଭିମାନରୁ ବିଦ୍ୟାରାଣ ଯାଏଁ ୧୩୫ଟି ଓଡ଼ିଆ ସିନେମାରେ ଯେଉଁ ଜୀବନ୍ତ ଅଭିନୟର ଅଭୁଲା ଛାପ ଉତ୍ତମ ମହାନ୍ତି ଛାଡ଼ିଗଲେ, ରୂପେଲି ପରଦାରେ ଏ ପ୍ରଥମ ସୁପରଷ୍ଟାରଙ୍କ ମୁହଁ ଚିରକାଳ ରହିବ ଅପାଶୋରା।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Ollywood Uttam Mohanty
Advertisment
Advertisment