• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କଅଁଳ ବୟସରେ କମାଲ୍‌। ଯାହା ପଚାରିଲେ କୁନି ମୁହଁରୁ ଫଟାଫଟ ବାହାରୁଛି ଉତ୍ତର। ଯେଉଁ ବୟସରେ ପିଲାଙ୍କ ପାଟି ଭଲ କରି ଖୋଲି ନଥାଏ, ସେହି ବୟସରେ ସେ ଅନର୍ଗଳ ଭାବେ ଇଂରାଜୀ ଶବ୍ଦର ବିପରୀତ ଶବ୍ଦ କହୁଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍‌ ଅନ୍ତର୍ଗତ ଲାଲସିଙ୍ଗ ଗାଁର ସୁଶାନ୍ତ କୁମାର ରାଉତଙ୍କ ପୁଅ ଶୁଭ୍ରାଂଶୁ ରାଉତଙ୍କ ବୟସ ମାତ୍ର ଅଢେଇ ବର୍ଷ।  କିନ୍ତୁ ତାଙ୍କ ଉପଲ୍ଲବଧି ଏଭଳି ଯେ ତାହା ତାଙ୍କୁ ଅନ୍ତର୍ଜାତୀୟ ଦରବାରରେ ପରିଚୟ ଦେଇପାରିଛି। 

ଗୋଟିଏ କି ଦୁଇଟା ନୁହେଁ, ଲଗାତାର ଭାବେ ୪୦ଟି ଏଭଳି ଶବ୍ଦର ବିପରୀତ କହିପାରନ୍ତି ଶୁଭ୍ରାଂଶୁ। ଯାହାକୁ ସ୍ୱୀକୃତି ଦେଇଛି ଇଣ୍ଟରନ୍ୟାସନାଲ୍‌ ବୁକ୍‌ ଅଫ ରେକର୍ଡସ। ବିଶ୍ୱର ସର୍ବାଧିକ କ୍ରମାଗତ ବିପରୀତ ଶବ୍ଦର ଉତ୍ତର ଦେଇପାରିଥିବା ଶିଶୁ ଭାବେ ଶୁଭ୍ରାଂଶୁ ତାଙ୍କ ନାଁକୁ ରେକର୍ଡ ବୁକ୍‌ରେ ଲିପିବଦ୍ଧ କରାଇପାରିଛନ୍ତି।  ଏଥିପାଇଁ ତାଙ୍କ ପରିବାର ଲୋକ ଗର୍ବିତ। ଶୁଭ୍ରାଂଶୁଙ୍କ ବାପା IRBରେ ହାବିଲଦାର ଭାବେ କାର୍ଯ୍ୟରତ। 

 

କେବଳ ଏତିକିରେ ସୀମିତ ନୁହେଁ  ଶୁଭ୍ରାଂଶୁଙ୍କ ପ୍ରତିଭା। ବିଶ୍ୱ ପ୍ରସିଦ୍ଧ ବ୍ୟକ୍ତିତ୍ୱ, ବିଭିନ୍ନ ଦେଶମାନଙ୍କ ରାଜଧାନୀ ଆଉ ତା ସହ ବିଭିନ୍ନ ପଶୁ ପକ୍ଷୀ, ପନିପରିବା, ଫଳ ଏପରିକି କମ୍ପ୍ୟୁଟର ପାର୍ଟକୁ ମଧ୍ୟ ଚିହ୍ନିବାରେ ସିଦ୍ଧହସ୍ତ ଶୁଭ୍ରାଂଶୁ। ତେଣୁ ଏଥିପାଇଁ ତାଙ୍କୁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ପକ୍ଷରୁ ସାର୍ଟିଫିକେଟ ମିଳିଛି। ଶୁଭ୍ରାଂଶୁ ୬-୭ ମାସର ହୋଇଥିବା ବେଳେ ସ୍ପଷ୍ଟ ଭାବେ ଶବ୍ଦ ଉଚ୍ଚାରଣ କରିପାରୁଥିଲେ ଏବଂ ଭଲ ଭାବେ ଏହାକୁ ମନେ ରଖିପାରୁଥିଲେ। ତେଣୁ ବର୍ଷକର ହୋଇଥିବାବେଳେ ତାଙ୍କ ପ୍ରତିଭା ଚିହ୍ନଟ କରି ଶିକ୍ଷା ଦେବା ଆରମ୍ଭ କରିଥିଲେ ପରିବାର ଲୋକେ। 

(ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡାଙ୍କ ରିପୋର୍ଟ)