• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିବାହ ଏକ ଐଶ୍ୱରୀୟ ବନ୍ଧନ । ପତି-ପତ୍ନୀ ମଧ୍ୟରେ ଏହା ସାତ ଜନ୍ମର ସଂପର୍କର ଡୋରୀ । ହେଲେ ଏବେ କିନ୍ତୁ ଦେଖିବାକୁ ମିଳୁଛି ଓଲଟା ଘଟଣା, ଓଲଟା କାହାଣୀ । କେଉଁଠି ପିଲାଙ୍କ ସ୍ୱପ୍ନର ସଂସାରକୁ ଉଜାଡ଼ି ଦେଉଛନ୍ତି ପରିବାର ଲୋକେ, ତ ଆଉ କେଉଁଠି ଭାବି ସ୍ୱାମୀକୁ ଗ୍ରହଣ କରିନପାରି ପର ପୁରୁଷକୁ ଆପଣାର କରୁଛି ଭାବି ପତ୍ନୀ । ଏପରିକି ବିବାହକୁ ଖେଳ ଘର ଭାବି ମଦ ପିଇ ମାତାଲ୍ ହୋଇ ନିଜ ବିବାହରେ ନିଜେ ନାଚି ନାଚି ବାରାତି ଯାଉଛି ବର । ଆଜି ଆମେ ଏଭଳି କିଛି ଘଟଣା ବିଷୟରେ ଜଣାଇବୁ, ଯାହା ଜାଣିବା ପରେ ମୁଣ୍ଡରେ ହାତ ଦେଇଦେବେ ଆପଣ ।

ବାଲେଶ୍ୱର ଜିଲ୍ଲା ରେମୁଣା ଗାଁ । ଅଗ୍ନିକୁ ସାକ୍ଷୀ ରଖି ହାତକୁ ଦିହାତ ହେଲେ ବର କନ୍ୟା । ପଣ୍ଡିତଙ୍କ ମନ୍ତ୍ରପାଠ ପରେ ବେଦୀ ଉପରେ ହସ୍ତଗଣ୍ଠି ପଡ଼ିଲା । ଠିକ୍ ଏତିକି ବେଳକୁ କନ୍ୟା କାଢ଼ି ପକାଉଛନ୍ତି ଶଙ୍ଖା, ଚୁଡ଼ି ସହ ସୁନା ମୁଦି । ନା କେହି କିଛି ବୁଝିପାରୁଛନ୍ତି, ନା ଜାଣିପାରୁଛନ୍ତି । କିଛି ସମୟରେ ଯୁବତୀ ଜଣକ କହୁଛନ୍ତି ରୋକଠୋକ୍ କଥା । ସେ ବାହା ହୋଇସାରିଛନ୍ତି । ତାଙ୍କର ସ୍ୱାମୀ ବି ଅଛନ୍ତି ।

ଏତିକି କହିବା ପରେ ବେଦୀରେ ଆରମ୍ଭ ହୋଇଗଲା ତମ୍ବିତୋଫାନ୍ । ସମ୍ପର୍କୀୟ ବୁଝାସୁଝା ବି କରିଛନ୍ତି କନ୍ୟାକୁ । କିନ୍ତୁ ସଂପୃକ୍ତ ଯୁବକଙ୍କୁ ବିବାହ ନକରିବାକୁ ନାରାଜ ଯୁବତୀ ଜଣକ । ଫଳରେ ଉତ୍ତ୍ୟକ୍ତ ହୋଇ କନ୍ୟାଘର ପକ୍ଷରୁ ଯୁବତୀଙ୍କୁ କିଏ ଚାପୁଡ଼ାଏ ପକାଇଲା ତ ଆଉ କିଏ ଟଣାଓଟରା କଲା । ତାହାରି ଭିତରେ ତାଟ୍‌କା ହୋଇଗଲେ ବର । ଏଭଳି ଅବସ୍ଥା ଦେଖି ଚେତାଶୂନ୍ୟ ହୋଇଗଲେ ଜଳେଶ୍ୱର ବ୍ଲକ ଦେବକୁମାର ଗାଁର ବର । ଆଉ ଫେରିଆସିଲେ ଶିଶୁପାଳ ହୋଇ । ଗତ ୧୩ ତାରିଖରେ ଘଟିଛି ଏହି ଘଟଣା । ଯାହାର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି । 

ସେହିଭଳି ଆଉ ଏକ ଘଟଣା ହେଉଛି ରାଜସ୍ଥାନ ଚୁରୁ ଜିଲ୍ଲା ଚେଲନା ଗାଁର । ଗତ ୯ ତାରିଖରେ ବାହା ହେବାକୁ ଯାଇ ମଦ ପିଇଲେ, ମାତାଲ୍ ହେଲେ, ନିଜ ବରଯାତ୍ରାରେ ନାଚିଲେ । ବରଯାତ୍ରୀଙ୍କୁ କନ୍ୟା ଘରେ ପହଞ୍ଚିବାକୁ ଲାଗିଗଲା ଘଣ୍ଟା ଘଣ୍ଟା । ସ୍ଥିତି ଏମିତି ହେଲା ଯେ, ଗଡ଼ିଗଲା ବିବାହ ଲଗ୍ନ । ଏଥିରେ ଉତ୍ତ୍ୟକ୍ତ ହୋଇ ପରିବାର ଲୋକେ ଅନ୍ୟ ଜଣଙ୍କ ସହ ଝିଅକୁ କରାଇଦେଲେ ବାହାଘର । ଶେଷରେ ଏଠି ବି ଶିଶୁପାଳ ହେବାକୁ ପଡ଼ିଲା ବରଙ୍କୁ ।

ଏନେଇ ବରପକ୍ଷରୁ ରାଜଗଡ଼ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ମଧ୍ୟସ୍ଥତାରେ ସମାଧାନ ହୋଇଥିଲା । କିନ୍ତୁ ଆଉ ବାହାଘର ହୋଇପାରିଲା ନାହିଁ । ବିବାହକୁ ନେଇ ଏଭଳି ବିଚିତ୍ର ଘଟଣା ଭିତରେ ଭୁବନେଶ୍ୱର ଭରତପୁରର ନବବିବାହିତ ବଳରାମ ସାହୁଙ୍କ ବାପା, ମା ଆଜି ପୁଅକୁ ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗର ୩ ଦିନ ପରେ ବି ତାଙ୍କୁ ଏତଲା କପି ଦିଆଯାଇନି ବୋଲି ପ୍ରଶ୍ନ କରିବା ସହ ବୋହୂ ନେଇଯାଇଥିବା ସୁନା, ଟଙ୍କା ଫେରସ୍ତ କରାଯାଉ ବୋଲି ଦାବି କରିଛନ୍ତି । ସେପଟେ ବଳରାମଙ୍କ ପତ୍ନୀ କିନ୍ତୁ ଏ ସମ୍ପର୍କରେ କିଛି ପ୍ରତିକ୍ରିୟା ରଖୁନାହାଁନ୍ତି ।

ଏଠି ପ୍ରଶ୍ନ ଉଠୁଛି, କାହିଁକି ଦାମ୍ପତ୍ୟ ଜୀବନ ଆରମ୍ଭରୁ ଘଟୁଛି ଏଭଳି ଅଘଟଣ ? ନିଜ ଇଚ୍ଛାକୁ ଜୋରଜବରଦସ୍ତ ପିଲାଙ୍କ ଉପରେ ଲଦି ଦେଉଛନ୍ତି କିି ବାପା, ମା ? ବିବାହ ଯେ ଏକ ପବିତ୍ର ବନ୍ଧନ ଏବଂ ସାମାଜିକ ଦାୟିତ୍ୱ, ସେ କଥାକୁ ଭୁଲି ପିଲାମାନେ ଏଭଳି ବିବାହ ବିଭ୍ରାଟ ଘଟାଇବା ପଛରେ ରହୁଛି କି ସଚେତନତାର ଅଭାବ ?