• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କୋଲକାତା ନାଇଟ୍ ରାଇଡର୍ସ (KKR) ଆଇପିଏଲ ୨୦୨୨ ର ପ୍ରଥମରୁ ହିଁ ଭଲ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । କେକେଆର ୩ଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତିବା ପରେ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ଦଳ ଆହୁରି ଶକ୍ତ ହେବାକୁ ଯାଉଛି । କାରଣ କେକଆର୍ ଦଳର ମ୍ୟାଚ୍ ବିଜେତା ବୋଲରଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ତଥା ଦ୍ରୁତ ବୋଲର ପାଟ୍‌ କମିନ୍ସ କେକେଆର ଟିମ୍‌ରେ ଯୋଗ ଦେଇଛନ୍ତି ଏବଂ ତାଙ୍କର କ୍ୱାରେଣ୍ଟାଇନ୍‌ ଅବଧି ସୋମବାର ଶେଷ ହେବାକୁ ଯାଉଛି । ସେ ଏପ୍ରିଲ ୬ ରୁ ଆଇପିଏଲ୍‌ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ରହିବେ ।

କେକେଆର୍‌ର ପରବର୍ତ୍ତୀ ମ୍ୟାଚ୍ ୬ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି । ଏଭଳି ପରିସ୍ଥିତିରେ କମିନ୍ସ ଏହି ମ୍ୟାଚ୍‌ରେ ଖେଳିବେ ବୋଲି ଆଶା କରାଯାଉଛି । ତେବେ କମିନ୍ସଙ୍କ ପ୍ରତ୍ୟାବର୍ତ୍ତନ ମୁମ୍ବାଇ ଇଣ୍ତିଆନ୍ସ ଟିମ୍‌ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କମିନ୍ସଙ୍କ ଟିମ୍‌ରେ ଯୋଗ ହେବା ନେଇ କେକେଆର୍ ହେଡ୍ କୋଚ୍‌ ବ୍ରେଣ୍ତନ୍‌ ମ୍ୟାକୁଲମ୍ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି ।

ବ୍ରେଣ୍ତନ୍‌ ମ୍ୟାକୁଲମ୍ କହିଛନ୍ତି ଯେ, କମିନ୍ସ ଏପରି ଜଣେ ଖେଳାଳୀ, ଯିଏ କି ଟିମ୍‌ ସହ ସହଜରେ ଖାପ ଖାଇଯାଆନ୍ତି । ସେ ମଧ୍ୟ ଅଷ୍ଟ୍ରେଲିଆ ଦଳର ଜଣେ ଶକ୍ତିଶାଳୀ ଅଧିନାୟକ । ଟିମ୍‌ର ଏପରି ସ୍ଥିତିରେ, ତାଙ୍କ ଉପସ୍ଥିତି ଶ୍ରେୟାସ ଆୟରଙ୍କୁ ଖୁବ୍‌ ସାହାଯ୍ଯ ହେବ , ଯିଏକି ଜଣେ ସଫଳ ଅଧିନାୟକ ଭାବରେ ନିଜର ଚିହ୍ନ ଛାଡିବାରେ ସଫଳ ହୋଇଛନ୍ତି ।

ତଥାପି, କମିନ୍ସଙ୍କ ପ୍ରତ୍ୟାବର୍ତ୍ତନ କେକଆର୍‌ ଟିମ୍‌ ପ୍ଲେଇଙ୍ଗ XI ଚୟନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । କାରଣ ତାଙ୍କ ଅନୁପସ୍ଥିତିରେ ଟିମ୍ ସାଉଥୀ କେକେଆର୍ ପାଇଁ ଚମତ୍କାର ବୋଲିଂ କରିଛନ୍ତି। ପାଟ୍ କମିନ୍ସ ଚଳିତ ବର୍ଷ ବହୁତ ଭଲ ଫର୍ମରେ ରହିଛନ୍ତି । ପାକିସ୍ତାନ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ କମିନ୍ସ ସର୍ବାଧିକ ୱିକେଟ୍ ନେଇଛନ୍ତି । ସେ ୩ ​​ଟି ଟେଷ୍ଟରେ ମୋଟ୍‌ ୧୨ ୱିକେଟ୍ ନେଇଥିଲେ ।

ଏଥି ସହିତ, ଆଶେସ୍ ସିରିଜରେ ମଧ୍ୟ ସେ ଅଧିନାୟକ ତଥା ବୋଲର ଭାବରେ ସ୍ମରଣୀୟ ପ୍ରଦର୍ଶନ କରିଥିଲେ । ଏବେ ସେ ଆଇପିଏଲରେ ଏହି ପ୍ରଦର୍ଶନକୁ ପୁନରାବୃତ୍ତି କରିବାକୁ ଚାହାଁନ୍ତି ବୋଲି କହିଛନ୍ତି । ଆଇପିଏଲରେ କମିନ୍ସ ୩୭ ଟି ମ୍ୟାଚ ଖେଳି ୩୮ଟି ୱିକେଟ୍ ନେଇଛନ୍ତି। ସେ ପାୱାରପ୍ଲେରେ ଏବଂ ଡେଥ୍‌ ଓଭରରେ ମଧ୍ୟ ଭଲ ବୋଲିଂ ପ୍ରଦର୍ଶନ କରନ୍ତି ।