• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁଗ ଯାଇ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲାଣି । ମହିଳା ମାନେ ପାଠ ପଢି ଜ୍ଞାନ ବଳରେ ପାଇଲଟ, ବୈଜ୍ଞାନିକ, ଡାକ୍ତର,ଇଞ୍ଜିନିୟର, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ହେଉଛନ୍ତି । ମହିଳାଙ୍କୁ ଅଧିକରୁ ଅଧିକ ଶିକ୍ଷିତ କରିବା ପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବାସ୍ତବରେ ଗ୍ରାମାଞ୍ଚଳରେ ଓ ବିଶେଷକରି ଦୁର୍ଗମ ଅଞ୍ଚଳରେ ଏସବୁ ଯୋଜନା ପହଞ୍ଚି ପାରୁନାହିଁ । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଅନେକ ଗାଁ ଅଛି ଯେଉଁଠି ବିକାଶ ଅପହଞ୍ଚ ହୋଇରହିଛି । ସେଥିମଧ୍ୟରୁ ଏଭଳି ଏକ ଗାଁ ଲାଞ୍ଜିଗଡ଼ ବ୍ଲକରେ ରହିଛି ତୁର୍କା, ଯେଉଁଠି ଝିଅ ମାନେ କେବେ ବି ସ୍କୁଲ ଯାଇ ନଥିବା ଭଳି ସମସ୍ୟା ସାମ୍ନାକୁ ଆସିଛି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର କୁଟିଆ କନ୍ଧଙ୍କ ଗାଁ ତୁର୍କା । ଏହି ଦୁର୍ଗମ ଗାଁରେ ୩୦ଟି କୁଟିଆ କନ୍ଧ ପରିବାର ବାସ କରୁଛନ୍ତି । ସ୍କୁଲକୁ ଯିବାକୁ ହେଲେ ୮ରୁ୧୦ କିଲୋମିଟର ଯୁବା ଗାଁକୁ ଯିବାକୁ ପଡ଼ିବ । ତେଣୁ ଘଞ୍ଚ ଜଙ୍ଗଲ ଭିତରେ ପାହାଡ଼ ଝରଣା ନାଳ ଦେଇ ଯିବାଆସିବା କରିବାକୁ ପଡ଼େ । ଏଥିପାଇଁ କେହି ଝିଅ ପୁଅ ସ୍କୁଲ ଯିବାକୁ ମଙ୍ଗୁ ନାହାନ୍ତି ବୋଲି କହିଛନ୍ତି ଅବିଭାଭକ । ଏପଟେ ବହୁକଷ୍ଟରେ ଜଣେ ପୁଅ ନବମ ଶେଣୀରେ ପଢି ଗାଁର ଜଣେ ପାଠୁଆ ପୁଅ ଭାବରେ ଜଣାଶୁଣା ହୋଇଛନ୍ତି  ।

ସେହିପରି ତୁର୍କା ଗାଁରୁ ପଞ୍ଚାୟତ ମୁଖ୍ୟାଳୟ ଠାରୁ ୧୬ କିମି ଦୂରରେ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଗାଁର କିଛି ଲୋକଙ୍କୁ ଛାଡି ଅନ୍ୟ ମାନଙ୍କୁ କୋଭିଡ ଟିକା ଦେବାପାଇଁ ଏପର୍ଯ୍ୟନ୍ତ ସୁଦ୍ଧା ଉଦ୍ୟମ କରାଯାଇନଥିଲା । ଟିକା ନେବା ଦ୍ୱାରା କରୋନା ଭଳି ରୋଗରୁ ନିସ୍ତାର ଲଭୁଥିବା କଥା ଆଦୌ ଜାଣି ନାହାଁନ୍ତି ବୋଲି 'ଗ୍ରାମବାସୀ କହିଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହିଥିବା ଆଦିବାସୀଙ୍କୁ ଟିକା ଦିଆଯାଉଥିବାବେଳେ ଏମାନଙ୍କ ପ୍ରତି ଦୃଷ୍ଟି ଦିଆଯାଉନି ବୋଲି ଅଭିଯୋଗ ହେଉଛି । କେହି ବି ଗାଁ କୁ ଆସନ୍ତି ନାହିଁ ବରଂ ରୋଗୀଙ୍କୁ ମେଡିକାଲ ନେବାକୁ ହେଲେ ଭାର ହିଁ ସହାରା କହିଛନ୍ତି ତୁର୍କା ଗ୍ରାମବାସୀ ।

ସଭିଏଁ ପଢିବେ ସଭିଏଁ ବଢ଼ିବେ ,"ଝିଅ ହେଲେ ପାଠୋଇ "ଦେଶ ଯିବ ଆଗେଇ " ଭଳି ସରକାରଙ୍କ ଅନେକ ନାରା ତୁର୍କା ଗାଁରେ ବିଫଳ । କଳାହାଣ୍ଡି ଜିଲ୍ଲା ତଥା ରାଜ୍ୟରେ କିଭଳି ସର୍ବଶିକ୍ଷା ଅଭିଯାନ ଚାଲିଛି ତାହା ଏଥିରୁ ସହଜରେ ଅନୁମେୟ ।