• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜିର ଦୁନିଆରେ ସମସ୍ତେ ସ୍ୱାର୍ଥପର । ପୁଅ ପାଇଁ ବାପା ଚିନ୍ତା କରୁନି କି ବାପା ପାଇଁ ପୁଅ ଚିନ୍ତା କରୁନି । ଆଧୁନିକ ଦୁନିଆର ତାଳେ ତାଳେ ଚାଲିବାକୁ ସମସ୍ତେ ଧାଉଁଛନ୍ତି, ଏକପ୍ରକାର ରେସ ଲାଗିଛି । ଏମିତି ମନସିକତା ଭିତରେ ଦିବ୍ୟାଙ୍ଗଙ୍କ କଥା କିଏ ପଚାରେ । ପେଟ ପାଟଣା ପାଇଁ ସେମାନେ ଭିକ ମାଗିବା ଏକ ସାଧାରଣ ଘଟଣା । ହେଲେ ନବରଙ୍ଗପୁର ଜିଲ୍ଲା ଗରୁଡ୍‌ଗୁଡାର ଏକ ଦୃଷ୍ଟିହୀନ ଅନୁଷ୍ଠାନରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି । ସେଠାରେ ଦିବ୍ୟାଙ୍ଗମାନେ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।  

ଗରୁଡ୍‌ଗୁଡାରେ ତିଆରି ହୋଇଛି ଏକ ଦୃଷ୍ଟିହୀନ ଅନୁଷ୍ଠାନ । ଯେଉଁଠି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଜୀବନ ଜିଇଁବାର କଳା ଶିଖୁଛନ୍ତି । କିଏ ଗୀତ ଗାଉଛି ତ କିଏ ଭଲ ପାଠ ପଢ଼ୁଛି, ପୁଣି ଆଉ କାହାର ବାଦ୍ୟଯନ୍ତ୍ରରେ ରହିଛି ରୁଚି । ସେଠାରେ ଦିବ୍ୟାଙ୍ଗ ପିଲାଙ୍କ ପାଠ ପଢା, ଖାଇବା ପିଇବା ରହିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଆଉ ସେଠାରୁ ଶିକ୍ଷା ପାଇଁ ଦିବ୍ୟାଙ୍ଗମାନେ ଗାଁ ଗାଁ ବୁଲି ଭଜନ ସନ୍ଧ୍ୟା କରୁଛନ୍ତି । ଭଗବାନଙ୍କ ନାମ ଜପିବା ସହ ନିଜ ପାଇଁ ଓ ଅନ୍ୟ ପାଇଁ ଆହାର ଯୋଗାଡ଼ କରୁଛନ୍ତି । ଫଳରେ ସେମାନଙ୍କୁ ନା ପର ଉପରେ ନିର୍ଭର ହେବାକୁ ପଡ଼ୁଛି ନା ଭିକ ମାଗିବାକୁ ପଡ଼ୁଛି ।

କେବଳ ଏତିକି ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଭଜନ ସଂନ୍ଧ୍ୟା ଓ ପଥପ୍ରାନ୍ତ ଭଜନ କାର୍ଯ୍ୟକ୍ରମ କରୁଛନ୍ତି । ସେଥିରୁ ମିଳୁଥିବା ସହଯୋଗ ରାଶିରେ ନିଜେ ବଂଚିବା ସହ ଅନ୍ୟ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବାର ଚେଷ୍ଟା କରୁଛନ୍ତି । ଗତକାଲି ସଂଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ପହଂଚି ସେମାନେ ଭଜନ ପରିବେଷଣ କରିଥିଲେ । ଦିବ୍ୟାଙ୍ଗଙ୍କ ସୁମଧୁର କଣ୍ଠରୁ ଭଜନ ଶୁଣି ବେଶ ଖୁସି ହୋଇଥିଲେ ଦର୍ଶକ, ଆଉ ଜଣେ ପରେ ଜଣେ ଆସି ଦେଇଯାଉଥିଲେ ସହଯୋଗ ରାଶି । ସତରେ ଅନ୍ୟ ଦିବ୍ୟାଙ୍ଗଙ୍କ ବୋଝ ନିଜ ମୁଣ୍ଡରେ ମୁଣ୍ଡାଇଥିବା ଏହି ଦିବ୍ୟାଙ୍ଗଙ୍କ ଏଭଳି ମହତକାମକୁ ଶତଶତ ପ୍ରଣାମ। 

ରବୀନ୍ଦ୍ର ହୋତା, ସୁବର୍ଣ୍ଣପୁର

OTV is now on Whatsapp

Join and get latest news update delivered to you via whatsapp

Join Now