• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଣିଷ ଜୀବନରେ ଅନେକ ସଂଘର୍ଷ ଆସିଥାଏ । ହେଲେ ସେହିସବୁକୁ ସମ୍ମୁଖୀନ କରି ସେ ଆଗକୁ ବଢ଼ିଥାଏ । କିଏ ଦରିଦ୍ର ସୀମାରେଖା ତଳେ ନିଜ ଜୀବନ ବିତାଉଛି ତ ଆଉ କାହାର ରାସ୍ତାକଡ଼ ହିଁ ଠିକଣାସ୍ଥଳୀ ପାଲଟିଯାଉଛି । ଏମିତି ଅନେକ ଲୋକ ଅଛନ୍ତି ଯିଏକି ଖରାପ ପରିସ୍ଥିତିର ସମ୍ମୁଖୀନ କରି ମଧ୍ୟ ହାର୍‌ମାନିନଥାନ୍ତି । ଠିକ୍ ଏହିପରି ଏକ ଘଟଣାର ଜ୍ୱଳନ୍ତ ଉଦାହରଣ ବାଲେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି । ‘ଟ୍ରାଇ ସାଇକେଲ ପଛରେ ଛିଡ଼ା ହୋଇଛି ଝିଅ, ଆଉ ହାତରେ ପେଡାଲ ମାରି ଝିଅଙ୍କୁ ସ୍କୁଲ ଛାଡିବାକୁ ଯାଉଛନ୍ତି ଭିନ୍ନକ୍ଷମ ବାପା ।’ - ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖି ନିଶ୍ଚିତ ଆପଣଙ୍କ ଆଖିରେ ବି ପାଣି ଆସିଯିବ ।

ବାଲେଶ୍ୱର ପାତ୍ରପଡ଼ା ଅଞ୍ଚଳର ଗଜେନ୍ଦ୍ର ନିଜ ଝିଅକୁ ଟ୍ରାଇ ସାଇକେଲ ପଛରେ ଛିଡ଼ା କରାଇ ସ୍କୁଲକୁ ଛାଡିବାକୁ ପ୍ରତିଦିନ ୫ କିମି ଦୂରକୁ ଯାଉଛନ୍ତି । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଗଜେନ୍ଦ୍ର ଶିକ୍ଷାର ମହତ୍ତ୍ୱ ଓ ଆବଶ୍ୟକତାକୁ ଅନୁଭବ କରିଛନ୍ତି । ଯେଉଁଥିପାଇଁ ସେ ନିଜ ତିନି ଝିଅଙ୍କୁ ମଣିଷ କରିବା ଉଦ୍ୟମ ଜାରି ରଖିଛନ୍ତି । ତେଣୁ ରାତିପାହିଲେ ନିଜର ୮ ବର୍ଷର ଝିଅକୁ ନିଜର ଟ୍ରାଇ ସାଇକେଲର ପଛରେ ଛିଡା କରାଇ ସ୍କୁଲକୁ ବାହାରିପଡ଼ିଥାନ୍ତି ।

ଗଜେନ୍ଦ୍ର ନିଜ ଟ୍ରାଇ ସାଇକେଲର ପଛରେ ଝିଅକୁ ଅତି ହୁସିଆରୀ ସହ ଛିଡା କରାଇ ୪ ରୁ ୫ କିଲୋମିଟର ଅତିକ୍ରମ କରି ଏଡିଏମ ଛକରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରକୁ ନିଅନ୍ତି । ସେଠାରେ ଝିଅକୁ ଛାଡିବା ପରେ ପୁଣି ଛୁଟି ହେଲେ ଆଣିବାକୁ ଯାଆନ୍ତି ।

ସେ ନିଜେ ଜଣେ ଶିକ୍ଷିତ ଥିବାସହ ରେସନ ଡିଲର କରିଛନ୍ତି । ହେଲେ ଋଣରେ ବୁଡିଥିବାରୁ ଝିଅପାଇଁ ମାସିକ ଗାଡିଭଡା ଯୋଗାଡ ନକରିପାରିବାରୁ ନିଜେ ପ୍ରତିଦିନ ଟ୍ରାଇ ସାଇକେଲରେ ଧରି ଝିଅକୁ ସ୍କୁଲକୁ ଛାଡିବା ପାଇଁ ବାହାରି ପଡନ୍ତି ।

ନିଜ ଝିଅ ପାଇଁ ଭିନ୍ନକ୍ଷମ ବାପାର ଏଭଳି ସଂଘର୍ଷ ସମାଜ ପାଇଁ ଏକ ବଡ଼ ଉଦାହରଣ ନିଶ୍ଚୟ । ଏମିତି ଜଣେ ବାପାକୁ ଯେତେ ଧନ୍ୟବାଦ ଦେଲେବି କମ୍ ପଡ଼ିବ ।