• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘରେ ଦୁଇ ଦୁଇଟି ଛୋଟିଆ ପିଲା, ଆଉ ପତ୍ନୀ । ଅଭାବୀ ସଂସାରର ଦୁଃଖ କହିଲେ ନସରେ । କିଛି ବର୍ଷ ତଳେ ଦୁର୍ଘଟଣାରେ ଗୋଟିଏ ଗୋ଼ଡ଼ ହରାଇବା ପରେ ଏବେ ସେ ଦିବ୍ୟାଙ୍ଗ । ହ୍ୱିଲ ଚେୟାର ଓ ଆଶା ବାଡ଼ି ତାଙ୍କ ଚିରସାଥୀ । ହେଲେ ଘରର ମୁରବୀ ହିସାବରେ ଦାୟିତ୍ୱ ତୁଲାଇବାରେ ସେ ଆଦୌ ଅକ୍ଷମ ନୁହଁନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବଡ଼ ମଙ୍ଗଳପୁର ଗାଁର କ୍ଷୀରୋଦ ମଲ୍ଲିକ । ପେଟ ପାଟଣା ପାଇଁ ସେ ପର ଜମିରେ ଭାଗ ଚାଷ କରି ନିଜ ଗୁଜରାଣ ମେଣ୍ଟାଉଛନ୍ତି , ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ଆଜିକୁ ଠିକ୍ ୯ ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିଲେ କ୍ଷୀରୋଦ । ଗାଡ଼ି ଚାଳକ ଭାବେ କାମ କରୁଥିବା କ୍ଷୀରୋଦଙ୍କ ଉପରେ ନିର୍ଭର କରୁଥିଲେ ତାଙ୍କର ପତ୍ନୀ ଓ ଦୁଇଟି ପିଲା । ଗୋଡ଼ କଟିଯିବା ପରେ ହଠାତ ଘରେ ବସିବା ସହ ବେରୋଜଗାର ହୋଇଗଲେ କ୍ଷୀରୋଦ । ତେବେ ପାଖ-ପଡ଼ୋଶୀ ଓ ବନ୍ଧୁ-ବାନ୍ଧବଙ୍କ ଦୟାରେ କିଛି ଦିନ ଚଳିବା ପରେ ତାଙ୍କ ପରିବାରକୁ ମାଡ଼ି ଆସିଲା ଉତ୍କଟ ଅଭାବ । ଏଥିରୁ ମୁକୁଳିବାକୁ ବାଟ ପାଉନଥିବା କ୍ଷୀରୋଦ ଶେଷରେ ୪ ପ୍ରାଣ କୁଟୁମ୍ବ ଚଳାଇବାକୁ ନିଜେ ଘରୁ ଗୋଡ଼ କାଢ଼ିଥିଲେ । ଆଉ ଅନ୍ୟମାନଙ୍କ ଭଳି ଚାଷ କାମକୁ ଆଦରି ନେଇ ଆରମ୍ଭ କରିଥିଲେ ଧାନ ଚାଷ ।

ଅକ୍ଷମତା ପରେ ଅଭାବ ଓ ଅନଟନ ଭିତରେ ଘାଣ୍ଟି ହେଉଥିବା କ୍ଷୀରୋଦଙ୍କ ନିଜର ଜମି ବୋଲି କିଛି ନାହିଁ । ତେଣୁ ଚାଷ ପାଇଁ ଗାଁର କିଛି ଲୋକଙ୍କ ଜମିକୁ ଭାଗ ଚାଷ କରି ସ୍ୱାଭିମାନ ଢଙ୍ଗରେ ଜୀବନ ଜିଇଁବାକୁ ପଣ କରିଛନ୍ତି । ସରକାରଙ୍କ ପକ୍ଷରୁ କେବଳ ଭିନ୍ନକ୍ଷମ ଭତ୍ତା ଓ ରାସନ କାର୍ଡକୁ ଛାଡ଼ି ଦେଲେ ତାଙ୍କୁ ଆଉ କିଛି ମିଳିନି । ଏପରିକି ରହିବାକୁ ମୁଣ୍ଡ ଉପରେ ଛାତ ଖଣ୍ଡେ ବି ନାହିଁ । ଏପଟେ ଦୁଇ ପିଲାଙ୍କୁ ଅଧିକ ପାଠ ପଢାଇବାକୁ ଇଛା ଥିଲେ ବି ପାଖରେ ଧନ ନଥିବାରୁ ସେ ଆଶା ମଉଳି ଯାଇଛି । ତେଣୁ ସରକାର ତାଙ୍କ ପାଇଁ କିଛି ସ୍ୱତନ୍ତ୍ର ସହାୟତା କରନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି କ୍ଷୀରୋଦ ।

ସମୟ ଚକ୍ରରେ ପଡ଼ି ସକ୍ଷମରୁ ଭିନ୍ନକ୍ଷମ ପାଲଟି ଯାଇଥିଲେ ବି କ୍ଷୀରୋଦଙ୍କ ମନୋବଳ ଆଦୌ କମିନି । ସରକାର ତାଙ୍କ ଭଳି ଉଦ୍ୟମୀ ଓ ପରିଶ୍ରମୀଙ୍କ ପାଇଁ ଯଦି କିଛି ଆତ୍ମନିର୍ଭଶୀଳତା ପାଇଁ ଯୋଜନା କରନ୍ତେ, ହୁଏତ ତାଙ୍କ ଜୀବନରେ ନୂଆ ସକାଳଟିଏ ଆସିପାରନ୍ତା ।

ରିପୋର୍ଟ -(କେନ୍ଦ୍ରାପଡ଼ା,ମନୋଜ ସ୍ୱାଇଁ)