• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ) : କ୍ୟାମେରାରେ କଏଦ ହେବେ ଜୀବଜନ୍ତୁ । ଲେନ୍ସେର ନଜର ଆସିବ ଭିତରକନିକାର ମନଲୋଭା ଦୃଶ୍ୟ । ଭିତରକନିକାରେ ଥବା ସବୁ ଜୀବଜନ୍ତୁଙ୍କ ଗତିବିଧିକୁ ଦିନ ହେଉ ବା ରାତି ନଜର ରଖିବ ଅତ୍ୟାଧୁନିକ ସିସିଟିଭି କ୍ୟାମେରା । କେବଳ ଯେ ଜୀବଜନ୍ତୁଙ୍କ ଉପରେ ନଜର ରଖିବ ତାହା ନୁହେଁ ବରଂ ଶିକାରୀ ଓ ଶିକାରକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ।

କେନ୍ଦ୍ରାପଡ଼ାର ଗର୍ବ ଆଉ ଗୌରବ ଜାତୀୟ ଉଦ୍ୟାନ ଭିତରକନିକା । ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରକନିକାର ଶୋଭାକୁ ଦ୍ଵିଗୁଣିତ କରିଥାଏ । ଏଠାରେ ରହୁଥିବା ବଉଳା କୁମ୍ଭୀର, ଗୋରି, ମଲ୍ଲୀ, ବିଭିନ୍ନ ପ୍ରଜାତିର ହରିଣ, ହେଟାବାଘ, ଗୋଧି, ବାରହା, ଓଧ ତଥା ହେନ୍ତାଳ ବନ ଓ ଦେଶୀ ବିଦେଶୀ ପକ୍ଷୀଙ୍କ କଳରବ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ତେବେ ଏମାନଙ୍କ ଗତି ବିଧି ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଆଉ ପାଦେ ଆଗେଇଛି ବନ ବିଭାଗ ।

ପ୍ରଥମ ଥର ପାଇଁ ରାଜନଗର ରେଞ୍ଜର ବରୁଣେଇ, ଦୋବନ୍ଧି, ଠାକୁରଡିଆ ଫରେଷ୍ଟ ବ୍ଳକ, ଅଙ୍ଗାରି ଫରେଷ୍ଟ ବ୍ଳକ ଆଦି ୨୦ଟି ସ୍ଥାନରେ ଅତ୍ୟାଧୁନିକ ସିସି ଟିଭି କ୍ୟାମେରା ଲଗାଯାଇଛି । ସିସିଟିଭି ଦ୍ୱାରା ଜୀବଜନ୍ତୁ ଓ ଶିକାରୀଙ୍କ ଗତିବିଧି ତଥା ବଂଶବୃଦ୍ଧି ଉପରେ ନଜର ରଖିହେବ ବୋଲି ଆଶା ରଖିଛି ବନ ବିଭାଗ । ଏହି କ୍ୟାମେରାରେ ୧ ମାସ ଯାଏ ଭିଡିଓ ରେର୍କଡିଂ ସଂରକ୍ଷିତ ହୋଇ ରହିପାରିଵ । ଆଗକୁ ବନ ବିଭାଗ ଅଣ୍ଡରରେ ଥିଵା ୫ଟି ରେଞ୍ଜରେ କ୍ୟାମେରା ଲଗାଯିଵ । କେବଳ ଯେ ଏହା ଦିନରେ କାର୍ଯ୍ୟକ୍ଷମ ହବ ତାହା ନୁହେଁ ବରଂ ରାତିରେ ମଧ୍ୟ ଏହା କାର୍ଯ୍ୟ କରିବ । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ବୋଲି କହିଛନ୍ତି ରାଜନଗର ବନ ଖଣ୍ଡ ଅଧିକାରୀ ।

ପୂର୍ବରୁ ସୁନ୍ଦରବନରେ କ୍ୟାମେରା ଲଗାଇଯାଇଥିଲା । ଏବେ ଭିତରକନିକାରେ କ୍ୟାମେରା ଲାଗିବା ଦ୍ୱାରା ଜୀବଜନ୍ତୁଙ୍କ ଗତିବିଧି ଓ ଶିକାରୀଙ୍କ ଗତିବିଧି ଉପରେ ନଜର ରଖା ଯାଇପାରିବ । କର୍ମଚାରୀ ମାନେ ଠିକ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ ଓ ଶିକାରୀ ମାନେ କେତେ ସକ୍ରିୟ ଅଛନ୍ତି, ତାହା ଉପରେ ବନ ବିଭାଗ ନଜର ରଖିପାରିବ । ହେଲେ ସ୍ଥାନୀୟ ଲୋକେ ଓ ପରିବେଶବିତ ମାନେ ଏହି ଯୋଜନା କୁ ନାପସନ୍ଦ କରିଛନ୍ତି । କ୍ୟାମେରା ଲଗାଇ ଅଯଥା ଟଙ୍କା ଖର୍ଚ୍ଚ ନକରି ଅନ୍ୟ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ଵୋଲି ମତଵ୍ୟକ୍ତ କରିଛନ୍ତି । ଅନ୍ୟପଟେ ପୂର୍ବରୁ ସୌର ବାଡ଼ ଲଗାଇ ବନ ବିଭାଗ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ତେବେ ଏହାର ରକ୍ଷଣ ବେକ୍ଷଣ ଅଭାବରୁ ତାହା ମାଟିରେ ମିଶିଯାଇଛି ।

ସରକାର ବନ ବିଭାଗ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ରକ୍ଷଣାବେକ୍ଷଣା ଅଭାବରୁ ତାହା କାମେର ଆସୁନି । ବର୍ତ୍ତମାନ ସିସିଟିଭି ଯୋଜନା, କେତେ ଫଳପ୍ରଦ ହେବ ତାହା ସମୟ କହିବ ।