/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757254719.jpg)
Minor killed
ମୁଣ୍ଡ ନୁଆଁଇଦେଲା ମଦ୍ରାସା...ଅପ୍ରାକୃତିକ ଯୌନକ୍ରିୟାରୁ କିଶୋର ଛାତ୍ରର ଗଡ଼ିଲା ମୁଣ୍ଡ...ରାଜ୍ୟରେ କେବେ ନା ଏଭଳି ଘଟିଥିଲା ନା କେହି କେବେ ଶୁଣିଥିଲା। ସହପାଠୀ ସହ ମିଶି ପାଞ୍ଚ ପାଞ୍ଚ ଜଣ ଛାତ୍ର ଯେଉଁ ଜଘନ୍ୟ କାଣ୍ଡ ଭିଆଇଛନ୍ତି, ସବୁଠି ଏବେ ଚର୍ଚ୍ଚା ମଦ୍ରାସାରେ ଚାଲିଛି କ’ଣ ?
ନୟାଗଡ଼ ଜିଲ୍ଲା ରଣପୁର ଥାନା ନୀଳପଲ୍ଲି ଅଞ୍ଚଳର ୟେ ସେହି ମଦ୍ରାସା। ଯେଉଁଠି ଶିକ୍ଷା ସହ ଧାର୍ମିକ ସଂସ୍କାରର ପାଠପଢ଼ା ଯିବା କଥା, ସେଇଠି ଘଟିଛି କୁତ୍ସିତ ଘଟଣା। ସଂଘଟିତ ହୋଇଛି ରକ୍ତରଂଜିତ ଅପରାଧ। ଦୀର୍ଘଦିନ ଧରି ଡରାଇ ଧମକାଇ ପ୍ରଥମେ ଅପ୍ରାକୃତିକ ଯୌନ ସଂପର୍କ ଆଉ ଶେଷରେ ପ୍ରତିବାଦ କରିବାରୁ ତଣ୍ଟିଚିପି ହତ୍ୟା କରିବା ସହ ହାତଗୋଡ଼ ବାନ୍ଧି ପକାଇ ଦିଆଯାଇଥିଲା ପରିତ୍ୟକ୍ତ ପାଣି ଟାଙ୍କିରେ।
ଶେଷରେ ପୋଲିସ ଖୋଳତାଡ଼ କରିବା ସହ ହତ୍ୟାରେ ସଂପୃକ୍ତ ୩ ଜଣଙ୍କୁ ଏବଂ ଅପ୍ରାକୃତିକ ଯୌନକ୍ରିୟା ଅଭିଯୋଗରେ ୨ ଜଣ, ଏଭଳି ଭାବେ ୫ ଜଣଙ୍କୁ ଧରି କିଶୋର ନ୍ୟାୟ ପରିଷଦରେ ହାଜର ପରେ ବାଲ୍ ସୁଧାର ଗୃହକୁ ପଠାଇ ଦିଆଯାଇଛି।
ମୃତ ନାବାଳକ ହେଉଛି କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର। ଗତ ବର୍ଷେ ତଳେ ବାପା, ମା ଏହି ମଦ୍ରାସାରେ ଆଣି ଭର୍ତ୍ତି କରିଥିଲେ ଦି’ଅକ୍ଷର ପାଠଶାଠ ପଢ଼ିବ ବୋଲି। କିନ୍ତୁ ଦୁର୍ଭାଗ୍ୟ, ସଂପୃକ୍ତ ନାବାଳକ ସହ ମଦ୍ରାସାର କିଛି ସହପାଠୀ ଏବଂ ସିନିୟର୍ ଅପ୍ରାକୃତିକ ଯୌନକ୍ରିୟାରେ ଲିପ୍ତ ରହୁଥିଲେ। ଏଭଳି କାର୍ଯ୍ୟକଳାପକୁ ସଂପୃକ୍ତ ନାବାଳକ ବିରୋଧ ବି କରିଆସୁଥିଲା। ତଥାପି ସେମାନେ ଧମକ ଚମକ ଦେଇ ଚଳାଇ ଆସୁଥିଲେ କୁତ୍ସିତ କାର୍ଯ୍ୟ।
ସେଦିନ ଥିଲା ସେପଟେମ୍ବର ୨। ସବୁଥର ଭଳି ସେଦିନ ବି ଅପ୍ରାକୃତିକ ଯୌନକ୍ରିୟାରେ ଲିପ୍ତ ରହିଥିଲେ ୨ ଜଣ। ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ପୀଡ଼ିତ ଛାତ୍ରକୁ ହତ୍ୟା କରି ଫିଙ୍ଗିଦେଇଥିଲେ ଏହି ପାଣି ଟାଙ୍କିରେ। ଆଉ ସେହି ନିଖୋଜ ଛାତ୍ରକୁ ଖୋଜାଖୋଜି ଭିତରେ ଟାଙ୍କିରୁ ମିଳିଥିଲା ମୃତଦେହ।
ପୋଲିସ ଖୋଳତାଡ଼ କରିବା ପରେ ସାମ୍ନାକୁ ଆସିଥିଲା ସବୁ ସତ। ଅଗଷ୍ଟ ୩୧ ତାରିଖରେ ମଧ୍ୟ ପାଣିଟାଙ୍କିରେ ଫିଙ୍ଗି ହତ୍ୟା ଉଦ୍ୟମ କରିଥିଲେ ସଂପୃକ୍ତ ଛାତ୍ର। କିନ୍ତୁ ଜୀବନ ବଞ୍ଚାଇ ଆସିଥିଲା ନାବାଳକଟି। ଏହି ଘଟଣାରେ କେବଳ ମଦ୍ରାସାର ଛାତ୍ର ନୁହଁନ୍ତି, ମଦ୍ରାସା ମୁଖ୍ୟ ସେକ୍ ମୋନୁହରଙ୍କ ସଂପୃକ୍ତି ଆଶଙ୍କା କରି ତାଙ୍କ ଗିରଫ ଦାବି କରିଛନ୍ତି ସଂପର୍କୀୟ।
ପୋଲିସର କହିବା କଥା, ମାମଲାରେ ସଂପୃକ୍ତ ୫ ଜଣ କିଶୋରଙ୍କ ବୟସ ୧୨ରୁ ୧୫ ବର୍ଷ। ତେବେ ମଦ୍ରାସାର ମୁଖ୍ୟ, ଘଟଣା ସଂପର୍କରେ ଆଗରୁ ଜାଣିପାରିନଥିଲେ କି ? ଯଦି ଏଭଳି ଘୃଣ୍ୟ କାର୍ଯ୍ୟ ଚାଲୁଥିବା ଘଟଣା ସଂପର୍କରେ ଜାଣିପାରୁନଥିଲେ, ତା’ହେଲେ କ’ଣ ଜାଣୁଥିଲେ ମଦ୍ରାସା ମୁଖ୍ୟ ? କାହିଁକି ସେ ଆକ୍ସନ ନେଇନଥିଲେ ? ମଦ୍ରାସାରେ ଶିକ୍ଷା ନାଁରେ ଚାଲୁଥିଲା କ’ଣ ? ଏବେ ଏଭଳି ନାନା ପ୍ରଶ୍ନ ଉଠିଛି।
ତେବେ ଏହି ମଦ୍ରାସାରେ ତାଲା ପଡ଼ିଥିବାବେଳେ ମଦ୍ରାସା ମୁଖ୍ୟ ସେକ୍ ମୋନୁହରଙ୍କ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)