/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757254413.jpg)
Odisha Govt Warns
ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଲୋକ ସେବା ଭବନରେ ଭିଡ ଜମାଇ ପାରିବେ ନାହିଁ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ଓଏଏସ ଏବଂ ଓଆରଏସ ଅଧିକାରୀ । ନଜର ପକାନ୍ତୁ ରାଜସ୍ୱ ବିଭାଗର ଏହି ଚେତାବନୀ ଉପରେ। ବିନା କାରଣରେ ଲୋକ ସେବା ଭବନ କିମ୍ବା ରାଜ୍ୟ ମୁଖ୍ୟାଳୟକୁ ବାରମ୍ବାର ଗସ୍ତ କରି ସରକାରୀ କାର୍ଯ୍ୟରେ ଅବହେଳା କରୁଥିବା ବାବୁଙ୍କ ପାଇଁ କଡା ଆଭିମୁଖ୍ୟ ପୋଷଣ କରିଛି ବିଭାଗ।
ଏନେଇ ସବୁ ଜିଲ୍ଲାପାଳ ଏବଂ ଆରଡିସିଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ବିଭାଗ ଅତିରିକ୍ତ ସଚିବ। ଚିଠିରେ ଉଲ୍ଲେଖ କରାଯାଇଛି, ବ୍ୟକ୍ତିଗତ କାରଣ ନେଇ ଲୋକ ସେବା ଭବନ ଆସିଲେ ଏହାକୁ ଗୁରୁତର ସହ ନେବ ବିଭାଗ। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।
ଏଠି ପ୍ରଶ୍ନ ଉଠୁଛି କାହିଁକି ଏମିତି ଏକ ଚେତାବନୀ ଦେବାକୁ ବାଧ୍ୟ ହେଲା ରାଜସ୍ୱ ବିଭାଗ ? ଓଏଏସ ଏବଂ ଓଆରଏସ ଅଧିକାରୀମାନେ ଏମିତି ଅବହେଳା କରୁଥିବା ନଜରକୁ ଆସିଛି କି? କୁହାଯାଉଛି, ସରକାର ବଦଳିବା ପରେ ନିଜ ନିଜ ଅଞ୍ଚଳ ନେତାଙ୍କୁ ଧରି ଭଲ ପୋଷ୍ଟିଂ ପାଇଁ ଲୋକ ସେବା ଭବନ ମୁହାଁ ହେଉଛନ୍ତି ଅନେକ ଅଧିକାରୀ। ଏମିତି କି ବାରମ୍ବାର ରାଜ୍ୟ ମୁଖ୍ୟାଳୟକୁ ଆସି ଲବି କରୁଥିବା ଦେଖିବାକୁ ମିଳୁଛି। ଯେଉଁଥିପାଇଁ ବାଧାପ୍ରାପ୍ତ ହେଉଛି ସରକାରୀ କାର୍ଯ୍ୟ।
ଶାସନ କଳକୁ ସଜାଡିବା ସହ ଠକ ଅଧିକାରୀଙ୍କୁ ସାବାଡ କରିବାକୁ ନୂଆ ସରକାର ଆଭିମୁଖ୍ୟ ପ୍ରଥମରୁ କଡା କରିଛନ୍ତି। ରାଜ୍ୟ ମୁଖ୍ୟାଳୟ ଗୁଡିକରେ ଏଆଇ ବେସ୍ଡ କ୍ୟାମେରା ଲଗାଇବା ସହ ପଞ୍ଚାୟତ, ବ୍ଲକ ଏବଂ ତହସିଲ ଅଫିସରେ ମଧ୍ୟ ବାୟୋମେଟ୍ରିକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ସବୁ ବିଭାଗକୁ ଅଯୋଗ୍ୟ ଅଧିକାରୀଙ୍କ ତାଲିକା ମାଗିବା ସହ ବାଧ୍ୟତାମୂଳକ ଅବସର ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ ମୁଖ୍ୟ ଶାସନ ସଚିବ। କିନ୍ତୁ ବାସ୍ତବରେ ଏସବୁ ନିର୍ଦ୍ଦେଶ ନାମା କେତେ ଦୂର କାର୍ଯ୍ୟକାରୀ ହେଉଛି ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)