/odishatv-khabar/media/post_attachments/uploadimage/library/16_9/16_9_0/binika__1639035525.jpg)
binika
ବିନିକା( ଦିଲ୍ଲୀପ କୁମାର ସାହୁ) : ଓଡିଶାର ସଂସ୍କୃତି ଓ କଳା ଉପରେ ସରକାର ଅନେକ ଗୁରୁତ୍ୱ ଦେଉଛନ୍ତି । ହେଲେ ଆଧୁନିକତାର ଛାପ ତଳେ ସଂସ୍କୃତି , ପରମ୍ପରା ଏବଂ କଳା ଧିରେ ଧିରେ ଲୋପ ପାଇବାକୁ ବସିଛି । ତେବେ କଳା ତଥା କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଲୋକକଳା ଗାଁର ମାନ୍ୟତା ଦେଇଛନ୍ତି । ଆଉ ଶହ ଶହ ବର୍ଷର କଳାକୁ ପିଢି ପରେ ପିଢି ଧରି ବଂଚାଇ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କର୍ତଙ୍ଗ ଗାଁ ଲୋକେ । କିନ୍ତୁ ଲୋକକଳା ଗାଁରେ ବିକାଶ ହେଉନାହିଁ । କେବଳ କାଗଜ କଳମରେ ସୀମିତ ହୋଇଯାଇଛି ଘୋଷଣା ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଞ୍ଚାୟତର କର୍ତଙ୍ଗର ଗାଁ । ଏହି ଗାଁକୁ ସରକାର ଲୋକକଳା ଗାଁ ଘୋଷଣା କଲାପରେ ଖୁସିର ମାହୋଲ ଦେଖିବାକୁ ମିଲିଥିଲା । ପ୍ରତିବର୍ଷ ଏଇ ଲୋକକଳା ଗାଁରେ ସରକାରଙ୍କ ପକ୍ଷରୁ ବାର୍ଷିକ ଉତ୍ସବ ମଧ୍ୟ ବହୁତ ଜାକ ଜମକରେ ପାଳିତ ହେଉଛି । ଏହି ଗାରେ କୃଷ୍ଣଲୀଳା, ଗୌରବାଡି, ଦଣ୍ଡନୃତ୍ୟ, ଘୁଡକା ନାଚ, କରମା, ସଂକୀର୍ତ୍ତନ, ଭାଗବତ ଆଦି କଳାକୁ ପ୍ରଦର୍ଶନ କରିଆସୁଥିଲେ ପୂର୍ବ ପୀଢି । ଆଉ ପୂର୍ବ ପୀଢିର ଯୁବକ ଯୁବତୀଙ୍କଠୁ ଆରମ୍ଭ କରି ବୃଦ୍ଧବୃଦ୍ଧା ତଥା ବର୍ତ୍ତମାନ ପୀଢିର ଲୋକେ ମଧ୍ୟ ତାହାକୁ ବଂଚାଇ ରଖିଛନ୍ତି ।
ପ୍ରତିଦିନ ଏହି ଗାଁରେ ଭଜନ କୀର୍ତ୍ତନ ହେବା ସହିତ ଯିଏ ଯେଉଁ କଳାରେ ପାରଦର୍ଶିତା ରଖନ୍ତି, ସେମାନେ ନିଜ ପରିଶ୍ରମ ବଳରେ ପ୍ରଦର୍ଶିତ କରିଆସୁଛନ୍ତି । ଏଥି ମଧ୍ୟରୁ ଏହି ଗାଁରେ ଅନେକ କଳା ସଂସ୍କୃତି ସାଙ୍ଗକୁ ଅନେକ ପରମ୍ପରା ମଧ୍ୟ ରହିଛି । ଜିଲ୍ଲାର ଏକମାତ୍ର ଲୋକକଳା ଗାଁ ଭାବେ ପରିଚିତ ହୋଇଥିବା ଏଠାକାର କଳାକାj ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜକଳାକୁ ପ୍ରଦର୍ଶିତ କରି ସୁନାମ ଅର୍ଜନ କରିଛନ୍ତି ।
ଲୋକକଳା ଗାଁ ଭାବେ ଘୋଷଣା ହେବା ପରେ ଏଠାକୁ ଆସୁଥିବା ପ୍ରଶାସନିକ ଅଧିକାରୀ, ନେତାମନ୍ତ୍ରୀ ଗାଁର ବିକାଶ ପାଇଁ ଅନେକ ପ୍ରତିଶୃତି ଦେଇ ଚାଲି ଯାଉଛନ୍ତି । କିନ୍ତୁ ଗାଁର ବିକାଶ ହେଉନାହିଁ । ସେହିପରି ଏଇ ଗାଁରେ କଳାକାରଙ୍କ ପାଇଁ ଆଖଡାଶାଳ ଟିଏ ମଧ୍ୟ ନାହିଁ । ଫଳରେ କଳାକାର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସେତିକି ନୁହେଁ ଏଇ ଲୋକକଳା ଗାଁରେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ କଲ୍ୟାଣ ମଣ୍ଡପ, ଶ୍ମଶାନ ଘାଟ, କଳାକାର ଭତ୍ତା, ପରିବେଶ ବ୍ୟବସ୍ଥା ,ଡ୍ରେନେଜ, ଟିକିଏ ବର୍ଷା ହେଲେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିବା ଆଦି ବିଭିନ୍ନ ସମସ୍ୟା ଲାଗି ରହିଛି । ଗାଁର ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ବିଡିଓ ଓ ଜିଲ୍ଲାପାଳ ଏପରିକି ନେତାମନ୍ତ୍ରୀକୁଂ ମଧ୍ୟ ଅଭିଯୋଗ କରୁଥିଲେ ବି ଫଳଶୁନ । ଏଇ ଲୋକକଳା ଗାଁର ବିକାଶ ଦିଗ ଉପରେ ସରକାରଙ୍କ ଟିକିଏ ବି ନଜର ପଡୁନାହିଁ । ଅପରପକ୍ଷେ ଏନେଇ ବିନିକା ବିଡିଓଙ୍କୁ ପଚାରିବାରୁ ଗାଁର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)