/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742801642.jpg)
ହରଡ଼ଘଣାରେ ପାକିସ୍ତାନ
ଆତଙ୍କବାଦୀଙ୍କ ଭୂସ୍ବର୍ଗ କୁହାଯାଉଥିବା ପାକିସ୍ତାନ ନିଜେ ଜଳେଇ ଥିବା ନିଆଁରେ ଏବେ ତିଳ ତିଳ ଜଳୁଛି । ଦଶନ୍ଧି ଦଶନ୍ଧି ଧରି ଭାରତ ବିରୋଧରେ ପାକିସ୍ତାନ କ୍ରମାଗତ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖି ଆସିଥିଲା । ନିଜ ଦେଶର ଅର୍ଥନୀତି ରସାତଳକୁ ଯାଇଥିବା ସତ୍ତ୍ୱେ ଆତଙ୍କବାଦୀଙ୍କୁ ପାକିସ୍ତାନ ଯେଭଳି ପୋଷି ଆସୁଥିଲା ତାହାର ପରିଣାମ ନିଜେ ଭୋଗୁଛି । ବର୍ତ୍ତମାନ ପାକ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ବଲୁଚ ଲିବରେସନ୍ ଆର୍ମି । ପାକିସ୍ତାନରେ ବିଏଲଏର ଆତଙ୍କ କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ପାକିସ୍ତାନ ଠାରୁ ଅଲଗା ହେବା ଦାବିରେ ମାର୍ଚ୍ଚ ୧୧ ତାରିଖରେ ବିଏଲଏର ଆତଙ୍କବାଦୀମାନେ କ୍ୱେଟ୍ଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ହାଇଜାକ କରିଥିଲେ। ଏଥିରେ ୫୦୦ ଜଣ ଯାତ୍ରୀ ରହିଥିବା ବେଳେ ବେଲୁଚିସ୍ତାନର ନାଗରିକମାନଙ୍କୁ ଛାଡି ଦେଇଥିବା ବେଳେ ପାକିସ୍ତାନର ସେନା ଅଧିକାରୀଙ୍କୁ ବନ୍ଧକ ରଖିଥିଲେ । ବିଏଲଏ ୧୦୦ ଜଣ ପାକିସ୍ତାନ ସେନା ଅଧିକାରୀଙ୍କୁ ହତ୍ୟା କରିଥିବା ଦାବି କରିଥିଲା। ଏହାର କିଛି ଦିନ ପରେ ବିଏଲଏ ପୁଣି ପାକିସ୍ତାନରେ ରକ୍ତର ହୋଲି ଖେଳିଥିଲା । ବେଲୁଚିସ୍ତାନର ନୋଶକିରେ ୭ ବସ ଏବଂ ସୁରକ୍ଷା ବାହିନୀର ୨ କାର ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ୯୦ ପାକିସ୍ତାନୀ ସେନାଙ୍କର ମୃତ୍ୟୁ ହୋଇଥିଲା ।
ବଲୁଚ ଲିବରେସନ୍ ଆର୍ମି ହେଉଛି ପାକିସ୍ତାନ ଏବଂ ଆଫଗାନିସ୍ତାନର ସୀମାନ୍ତ ଅଞ୍ଚଳରେ ସକ୍ରିୟ ବିଦ୍ରୋହୀ ଗୋଷ୍ଠୀ। ଏହି ସଂଗଠନ ବଲୁଚ୍ ଜାତୀୟତାବାଦକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନ ଠାରୁ ବେଲୁଚିସ୍ତାନର ସ୍ୱାଧୀନତା ଦାବି କରେ । ବିଏଲଏର ଲକ୍ଷ୍ୟ ହେଉଛି ବଲୁଚ୍ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ ସେମାନଙ୍କ ପାଇଁ ସ୍ୱାଧୀନତା ଆଣିବା। ଏହି ସଂଗଠନ ପାକିସ୍ତାନ ସରକାର ଏବଂ ସେନା ବିରୋଧରେ ସଶସ୍ତ୍ର ସଂଘର୍ଷ ଜାରି ରଖିଛି ।
ଜାଫର ଏକ୍ସପ୍ରେସ ଅପହରଣ ଠାରୁ ଆରମ୍ଭ କରି ସେନା କନଭୟ ଉପରେ ଆକ୍ରମଣ, ପେସୱାରକୁ ଯାଇ ଅନେକ ହାଇ ପ୍ରୋଫାଇଲ ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ପର୍ଯ୍ୟନ୍ତ, ବିଏଲ୍ଏ କ୍ରମାଗତ ଭାବରେ ପାକିସ୍ତାନରେ ଭୟ ବଢ଼ାଉଛି । କେବଳ ବିଏଲ ନୁହେଁ ପାକିସ୍ତାନର ତେହେରିକ-ଇ-ତାଲିବାନ୍ ପାକିସ୍ତାନ (ଟିଟିପି), ଲସ୍କର-ଇ-ତୋଇବା (ଏଲଇଟି) ସମେତ ବହୁ ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ଅଛନ୍ତି। ୨୦୨୩ରେ ପାକିସ୍ତାନରେ ଯେତିକି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା, ୨୦୨୪ରେ ତାହାଠାରୁ ଅଧିକ ୪୫ପ୍ରତିଶତ ଘଟଣା ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି ।
ସ୍ୱାଧୀନତା ଦାବି ପଛର କାରଣ..
ବେଲୁଚିସ୍ତାନ ହେଉଛି ପାକିସ୍ତାନର ସର୍ବବୃହତ ରାଜ୍ୟ, କିନ୍ତୁ ଏଠାକାର ଜନସଂଖ୍ୟା ବହୁତ କମ୍ । ଏରାଜ୍ୟ ତୈଳ, ସୁନା, ତମ୍ବା ଏବଂ ଅନ୍ୟାନ୍ୟ ଖଣି ପରି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । ଦେଶକୁ ଖଣିଜ ପଦାର୍ଥ ଯୋଗାଇ ମଜବୁତ କରୁଥିବା ସହ ରାଜସ୍ୱ ଆଦାୟରେ ବେଲୁଚିସ୍ତାନର ପ୍ରମୁଖ ଭୂମିକା ରହିଥିବା ବେଳେ ବେଲୁଚି ନାଗରିକମାନେ କିନ୍ତୁ ଆର୍ଥିକ ଅଭାବର ଶିକାର ହୁଅନ୍ତି ଓ ଲୋକମାନେ ଅଣଦେଖା କରୁଥିବା ଅଭିଯୋଗ ଆଣନ୍ତି । ଏହା ଦେଶର ସବୁଠାରୁ ପଛୁଆ ଅଞ୍ଚଳ ଏବଂ ଏଠାରେ ଥିବା ଲୋକେ ଅତ୍ୟନ୍ତ ଗରିବ । ଏଠାରେ ରହୁଥିବା ୧.୫କୋଟି ଲୋକଙ୍କ ମଧ୍ୟରୁ ୭୦% ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି ।
ସମ୍ବଳରେ ପରିପୂର୍ଣ୍ଣ କିନ୍ତୁ ଦାରିଦ୍ର୍ୟରେ ପୀଡିତ
ଦାରିଦ୍ରତା କାରଣରୁ ପାକିସ୍ତାନ ବିରୋଧରେ ଏଠାରେ ଘୃଣା ବଢ଼ିବାରେ ଲାଗିଛି ଏବଂ ପ୍ରତିଦିନ ବିଦ୍ରୋହ ଘଟୁଛି । ଆଫଗାନିସ୍ତାନକୁ ଲାଗିଥିବା ଏହି ଅଞ୍ଚଳର ଲୋକଙ୍କ କହିବା କଥା ହେଲା ସେମାନଙ୍କୁ କୌଣସି ସୁବିଧା ମିଳୁନାହିଁ । ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ କେବଳ ପାକିସ୍ତାନ ନୁହେଁ ସମଗ୍ର ଦକ୍ଷିଣ ଏସିଆରେ ଏହି ପ୍ରଦେଶ ସର୍ବନିମ୍ନ ସ୍ଥାନରେ ରହିଛି। ବେଲୁଚିସ୍ତାନର ସ୍ୱତନ୍ତ୍ରତା ପାଇଁ ବଲୁଚର ଲୋକମାନେ ନିଜ ଅଧିକାରୀ ଦାବି କରି ଆସୁଛନ୍ତି । ତେବେ ଏଥିପାଇଁ ବଲୁଚ ଲିବରେସନ ଆର୍ମି କାମ କରୁଛି । ସେମାନେ ମୁଖ୍ୟତଃ ପାକିସ୍ତାନୀ ସେନା, ସରକାରୀ ପ୍ରତିଷ୍ଠାନ ଓ ଚୀନ ପରିୟୋଜନା ଉପରେ ଆକ୍ରମଣ କରନ୍ତି ।
କିପରି ଆରମ୍ଭ ହେଲା ବଲୁଚି ବିଦ୍ରୋହ ?
୧୯୪୭ରେ ଯେତେବେଳେ ପାକିସ୍ତାନ ଗଠନ ହେଲା, ବଲୁଚିସ୍ତାନ ଏକ ସ୍ୱତନ୍ତ୍ର ଅଞ୍ଚଳ ଥିଲା । ଅଗଷ୍ଟ ୪, ୧୯୪୭ ରେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜିନ୍ନା ଏବଂ ବ୍ରିଟିଶ ଭାଇସରୟ ମାଉଣ୍ଟବ୍ୟାଟେନ୍ ଏବଂ ଜବାହରଲାଲ ନେହେରୁ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ କୁହାଯାଇଥିଲା ଚାରୋଟି ଜିଲ୍ଲା ମିଶ୍ରଣ କରି ଏକ ସ୍ୱାଧୀନ ବେଲୁଚିସ୍ତାନ ସୃଷ୍ଟି ହେବା ଉଚିତ । ଏହିପରି ଭାବରେ ୧୧ ଅଗଷ୍ଟରେ ବେଲୁଚିସ୍ତାନ ଏକ ପୃଥକ ଦେଶ ହୋଇଗଲା।
ପାକିସ୍ତାନରେ ମିଶିବା ପରେ ସ୍ୱାଧୀନତା ଘୋଷଣା କରିବାର ଏକ ମାସ ପରେ ସେପ୍ଟେମ୍ବର ୧୨ରେ ବ୍ରିଟେନ୍ ଏକ ସଂକଳ୍ପ ପାରିତ କରିଥିଲା । ଯେଉଁଥିରେ କୁହାଯାଇଥିଲା ବେଲୁଚିସ୍ତାନ ଏକ ଅଲଗା ଦେଶ ହେବା ସ୍ଥିତିରେ ନାହିଁ । ସେ ଆନ୍ତର୍ଜାତୀୟ ଦାୟିତ୍ୱ ଗ୍ରହଣ କରିପାରିବ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କ ସୁରକ୍ଷା ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା। ଜିନ୍ନାଙ୍କୁ ବେଲୁଚିସ୍ତାନକୁ ପାକିସ୍ତାନରେ ମିଶ୍ରଣ କରିବାକୁ କହିଥିଲେ।
ଅତ୍ୟାଚାର ଆରମ୍ଭ କରିଥିଲା ପାକିସ୍ତାନ
ବେଲୁଚସ୍ତାନର ଲୋକ ନିଜ ସାଂସ୍କୃତିକ ଓ ରାଜନୈତିକ ପରିଚୟକୁ ନେଇ ସଂଘର୍ଷ କରୁଥିଲେ । ୧୯୭୦ରେ ଦଶକରେ ବଲୁଚି ରାଷ୍ଟ୍ରବାଦୀମାନେ ପାକିସ୍ତାନଠାରୁ ଅଲଗା ହେବାକୁ ଅନେକ ପ୍ରୟାସ କରିଥିଲେ । ପାକିସ୍ତାନ ୧୯୭୦ରେ ଏକ ବଡ଼ ସୈନ୍ୟ ଅଭିଯାନ ଆରମ୍ଭ କରିଥିଲେ, ଯେଉଁଥିରେ ବଲୁଚର ଅନେକ ନେତା ଓ ସମୁଦାୟଙ୍କୁ ପ୍ରତାରିତ କରାଯାଉଥିଲା । ଅତ୍ୟାଚାରରେ ଅତିଷ୍ଠ ବଲୁଚିଙ୍କ ସମସ୍ତ ଧୈର୍ଯ୍ୟର ସୀମା ଟପିଯାଇଥିଲା, ସେମାନେ ତତ୍କାଳୀନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ସେବେଠାରୁ ବଲୁଚର କିଛି ସଂଗଠନ ସଶସ୍ତ୍ର ବିଦ୍ରୋହର ରାସ୍ତା ବାଛିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରେ ପାକିସ୍ତାନୀ ସେନା ପାଞ୍ଚ ହଜାରରୁ ଅଧିକ ବଲୁଚଙ୍କୁ ନିଖୋଜ କରିଦେଇଛି। ସେମାନଙ୍କୁ ହତ୍ୟା କରାଯାଇଛି କିମ୍ବା କାରାଗାରରେ ରଖାଯାଇଥିବା କୁହାଯାଏ ।
ରହିଛି ଔରଙ୍ଗଜେବ କନେକ୍ସନ
ଭାରତର ପ୍ରଥମ ମୋଗଲ ଶାସକ ବାବରଙ୍କ ପୁଅ ହୁମାୟୁନ, ବିହାରର ଶେର ଶାହ ସୁରୀଙ୍କ ଦ୍ୱାରା ଯୁଦ୍ଧରେ ପରାସ୍ତ ହୋଇଥିଲେ, ଏହା ପରେ ହୁମାୟୁନ ଭାରତ ଛାଡି ଇରାନରେ ଆଶ୍ରୟ ନେଇଥିଲେ। ତା’ପରେ ଯେତେବେଳେ ୧୫୪୫ ରେ ଶେର୍ ଶାହା ସୁରୀଙ୍କର ମୃତ୍ୟୁ ହୋଇଥିଲା, ହୁମାୟୁନ୍ ଭାରତକୁ ଫେରି ଆସିଥିଲେ । ସେତେବେଳେ ବେଲୁଚିସ୍ତାନର ଆଦିବାସୀ ମୁଖ୍ୟମାନେ ହୁମାୟୁନଙ୍କୁ ଭାରତ ଫେରିବାରେ ସାହାଯ୍ୟ କରିଥିଲେ। ବଲୁଚଙ୍କ ସାହାଯ୍ୟରେ ହୁମାୟୁନ୍ ୧୫୫୫ ମସିହାରେ ଦିଲ୍ଲୀକୁ ପୁଣି ଅକ୍ତିଆର କରିଥିଲେ। ତା’ପରେ ୧୬୫୯ ମସିହାରେ ମୋଗଲ ସମ୍ରାଟ ଔରଙ୍ଗଜେବ ଦିଲ୍ଲୀର ଶାସକ ହୋଇଥିଲେ। ତାଙ୍କର ଶକ୍ତି ପଶ୍ଚିମ ଇରାନର ସୀମା ପର୍ଯ୍ୟନ୍ତ ବିସ୍ତାର କରିଥିଲା । ସେତେବେଳେ ବଲୁଚ ସର୍ଦ୍ଦାରମାନେ ମୋଗଲ ଶାସନ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ ଏବଂ ବଲୁଚି ନେତା ମୀର ଅହମ୍ମଦ ୧୬୬୬ ମସିହାରେ ଔରଙ୍ଗଜେବଙ୍କ ଠାରୁ ବେଲୁଚିସ୍ତାନର ଦୁଇଟି ଅଞ୍ଚଳ - କାଲାଟ ଏବଂ କ୍ୱେଟା ଛଡ଼ାଇ ନେଇଥିଲେ।
କେତେ ଶକ୍ତିଶାଳୀ ବିଏଲଏ ?
ଏକ ଆକଳନ ଅନୁଯାୟୀ ବିଏଲଏରେ ବର୍ତ୍ତମାନ ୬୦୦୦ ସଦସ୍ୟ ଅଛନ୍ତି । ମଜିଦ ବ୍ରିଗେଡ ଏହାର ଏକ ସ୍ୱତନ୍ତ୍ର ଆତ୍ମଘାତୀ ଦଳ, ଯେଉଁଥିରେ ୧୦୦ ରୁ ଅଧିକ ଆତ୍ମଘାତୀ ଆକ୍ରମଣକାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ମଧ୍ୟ ଅଛନ୍ତି । ବିଏଲଏ ଗରିଲା ଯୁଦ୍ଧ କୌଶଳରେ ମାହିର । ଏହା ବିଶେଷ ଭାବରେ ପାକିସ୍ତାନର ସାମରିକ ବାହିନୀ, ସରକାରୀ ପ୍ରତିଷ୍ଠାନ ଏବଂ ଚୀନ୍ ନିବେଶ ପ୍ରକଳ୍ପଗୁଡ଼ିକୁ ଟାର୍ଗେଟ କରେ। ପାକିସ୍ତାନ ସରକାର ଏହାକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛି। ଏହା ବ୍ୟତୀତ ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ମଧ୍ୟ ଏହାକୁ ଏକ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରିଛନ୍ତି।
୨୦୨୨ରେ ବିଏଲଏ ସାମରିକ ଏବଂ ନୌସେନା ଭିତ୍ତିଭୂମି ନିର୍ମାଣ କରିଥିଲା । ଏହି ସଂଗଠନ ମହିଳା ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛି । ନିକଟ ଅତୀତରେ ବିଏଲଏର ଏକ ଦଳ ସକ୍ରିୟ ହୋଇଉଠିଛି । ଏକ୍ସପର୍ଟଙ୍କ ଅନୁସାରେ ବିଏଲଏ କ୍ରମାଗତ ଭାବରେ ସାମରିକ ଦକ୍ଷତା ବୃଦ୍ଧି କରିବା ସହ ନିଯୁକ୍ତି ଦେବା ଜାରି ରଖିଛି । ସେମାନଙ୍କ ପାଖରେ ଆମେରିକୀୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ଅଛି । କିନ୍ତୁ ବିଏଲଏର ସବୁଠାରୁ ବିପଜ୍ଜନକ ୱିଙ୍ଗ ହେଉଛି ଏହାର ଫିଡାଏନ୍ ମାଜିଦ୍ ବ୍ରିଗେଡ୍, ଯାହା ଆତ୍ମଘାତୀ ଆକ୍ରମଣ କରିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)