• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ କି ଦୁଇ କିଲୋମିଟର ନୁହେଁ । ୫ କି ୧୦ ବି ନୁହେଁ । ଏକାଥରକେ ୪୦୦୦ କିଲୋମିଟର ସାଇକେଲ ଚଲାଇ ୪ରୁ ୫ଟି ଦେଶ ଅତିକ୍ରମ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି ଜଣେ ଛାତ୍ର । ଜଣେ ବାଳକ ଏମିତି କିଛି କାର୍ଯ୍ୟ କରିଛନ୍ତି ଯେ, ତାକୁ ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି । ଆଉ ସମସ୍ତେ ତାଙ୍କର ଏଭଳି ପ୍ରୟାସ ଓ ନିଷ୍ଠାକୁ ସ୍ୱାଗତ କରୁଛନ୍ତି । ଏହି ବାଳକ ଜଣକ ହେଉଛନ୍ତି ୨୫ ବର୍ଷିୟ ମାମାଦୁ ସଫାୟୁ ।

ତେବେ ପୁରା କାହାଣୀଟି ହେଲା, ବାଳକ ଜଣଙ୍କର ସ୍ୱପ୍ନର ବିଶ୍ୱବିଦ୍ୟାଳୟ ହେଉଛି ଇଜିପ୍ଟରେ ଥିବା ଅଲ୍ ଅଜ୍‌ହର୍ ଅଲ୍‌ ସରିଫ୍‌ ବିଶ୍ୱବିଦ୍ୟାଳୟ । ସୁନି ଇସ୍‌ଲାମିକ୍‌ ପାଠ ପାଇଁ ସାରା ବିଶ୍ୱରେ ଏହା ଅତ୍ୟନ୍ତ ସମ୍ମାନ ଜନକ ବିଶ୍ୱବିଦ୍ୟାଳୟ । ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଆଉ ଏହି ବିଶ୍ୱ ବିଦ୍ୟାଳୟରେ ପଢ଼ିବା ପାଇଁ ମାମାଦୁଙ୍କର ଭାରି ଆଗ୍ରହ । ତେଣୁ ସେ ଘରୁ ବାହାରିଗଲେ ସାଇକେଲ ଧରି।

ଆଉ ସାଇକେଲରେ ସେ ୪ ମାସରେ ୪ଟି ଦେଶ ଅତିକ୍ରମ କରି ପହଞ୍ଚିଥିଲେ ନିଜ ଲକ୍ଷ୍ୟ ସ୍ଥଳରେ । ଏହି କଥା ଯେତିକି ଆଶ୍ଚର୍ଯ୍ୟଜନକ, ତାଙ୍କ ପାଇଁ ସେତିକି କଠିନ ମଧ୍ୟ ଥିଲା । ତାଙ୍କୁ ରାସ୍ତାରେ ଅନେକ ବିପଦର ସାମ୍ନା କରିବାକୁ ପଡ଼ିଛି । ଆକ୍ରୋଶର ଶିକାର ହେବାକୁ ମଧ୍ୟ ପଡ଼ିଛି । ସେ ୩ ଥର ଜେଲ ମଧ୍ୟ ଯାଇଛନ୍ତି । କାରଣ ବିଭିନ୍ନ ଦେଶ ତଥା ରାଜ୍ୟ ଅତିକ୍ରମ କରିବା ବେଳେ ସେଠାକାର ରାଜନୈତିକ ପରିସ୍ଥିତି ଭଲ ନଥିଲା । ଏମିତିକି ଦଙ୍ଗା ଆଦି ଚାଲିଥିଲା । ଯାହାଫଳରେ ମାମାଦୁଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡ଼ିଛି । ବୁରକା ଫାସୋ ଏବଂ ଟୁଗୋରେ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଥିଲା ।

ଅନ୍ୟପଟେ ଖରା ବର୍ଷା ମଧ୍ୟ ତାଙ୍କୁ ଅନେକ କଷ୍ଟ ଦେଇଛି । ଏହାସହ ସ୍ଥାନୀୟ ଲୋକଙ୍କ ଦ୍ୱାରା ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ମାମାଦୁ । ହେଲେ ଏତେ ସବୁ ସତ୍ତ୍ୱେ ବି ସେ ହାର ମାନିନଥିଲେ । ସେ ନିଜ ଲକ୍ଷ୍ୟସ୍ଥଳ ଅଭିମୁଖେ ଆଗେଇ ଚାଲିଥିଲେ ।

ବିବିସି କୁ ଏକ ସାକ୍ଷାତକାର ଦେବା ବେଳେ ମାମାଦୁ କହିଛନ୍ତି, ତାଙ୍କ ସ୍ୱପ୍ନର ବିଶ୍ୱ ବିଦ୍ୟାଳୟରେ ପଢ଼ିବା ପାଇଁ କିମ୍ବା ସେଠାରେ ପହଞ୍ଚିବା ପାଇଁ ତାଙ୍କ ପାଖରେ ପଇସା ନଥିଲା । ତେଣୁ ସେ ଫ୍ଲାଇଟ୍‌ ଟିକେଟ କରିପାରିଲେ ନାହିଁ । ମାଲି, ବୁରକିନା ଫାସୋ, ଟୋଗୋ, ବେନିନ, ନାଇଜର, ଚାଡ୍‌ ଭଳି ସ୍ଥାନ ସେ ସାଇକେଲରେ ଅତିକ୍ରମ କରିଛନ୍ତି । ଏହି ସମୟରେ ଇସ୍‌ଲାମିକ୍‌ ମିଲିଟାଣ୍ଟଙ୍କ ଦ୍ୱାରା ଆକ୍ରମଣର ଶିକାର ମଧ୍ୟ ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା ସେ ଚାଡ୍‌ରେ ପହଞ୍ଚିବା ପରେ ଏହି ଖବର ଚାରିଆଡ଼େ ବ୍ୟାପିଯାଇଥିଲା । ଖବର ପାଇ ଜଣେ ସହୃଦୟ ବ୍ୟକ୍ତି ତାଙ୍କ ପାଇଁ ଫ୍ଲାଇଟ୍‌ ଟିକଟ କରିଦେଲେ । ଆଉ ତାପରେ ସେ ଇଜିଫ୍ଟରେ ପହଞ୍ଚିଥିଲେ । ସେତେବେଳକୁ ଏହି ଖବର ନିଆଁ ଭଳି ବ୍ୟାପି ସାରିଥିଲା । ସ୍ୱପ୍ନର ବିଶ୍ୱବିଦ୍ୟାଳରେ ପହଞ୍ଚିବା ପରେ ମାମାଦୁ ଖୁବ୍‌ ଖୁସି ହୋଇଥିବା କହିଛନ୍ତି । ଆଉ ତାଠାରୁ ବଡ଼ କଥା ହେଲା, ମାମାଦୁଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଡ୍‌ମିଶନ ଦେଲେ । ଏହାସହ ପାଠ ସରିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍କଲାରସିପ୍‌ର ବ୍ୟବସ୍ଥା ମଧ୍ୟ କରିଦେଲେ ।