/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695369160.jpg)
Asian Games
ଆସନ୍ତାକାଲି ଠାରୁ ଚୀନର ହାଙ୍ଗଝୁ ଠାରେ ଆରମ୍ଭ ହେଉଛି ଏସିୟ କ୍ରୀଡା ମହାକୁମ୍ଭ । ଚଳିତ ଏସିଆନ୍ ଗେମ୍ସରେ ୪୦ଟି କ୍ରୀଡା ବର୍ଗରେ ୪୮୧ ଟି ସ୍ୱର୍ଣ୍ଣ ପଦକ ପାଇଁ ହେବ ବିଗ୍ ଫାଇଟ୍ । ଏଥର ୬୫୫ଜଣ ଆଥଲେଟ୍ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୧୩ଜଣ ଓଡ଼ିଆ ଆଥଲେଟ୍ । ବ୍ୟକ୍ତିଗତ ଇଭେଣ୍ଟରେ କିଶୋର ଜେନା ଓ ଅନୁପମା ସ୍ୱାଇଁ ରହିଛନ୍ତି ।
ଟ୍ରାକ ଆଣ୍ଡ ଫିଲଡ ଇଭେଣ୍ଟରେ ଓଡ଼ିଆ ଜାଭେଲିନ ଫିଙ୍ଗାଳି କିଶୋର ଜେନାଙ୍କ ଉପରେ ମେଡାଲ ଆଶା ରହିଛି। ନିକଟରେ ହଁଗେରିର ବୁଦାପେଷ୍ଟ ଠାରେ ଶେଷ ହୋଇଥିବା ବିଶ୍ୱ ଅଥଲେଟିକସ ଚାମ୍ପିୟନସିପରେ 84.77 ମିଟର ଜାଭେଲିନ ଫିଙ୍ଗି ପଂଚମ ସ୍ଥାନ ଅଧିକାର କରିଥିଲେ କିଶୋର ।
ସେହିପରି ଜୁଜୁତ୍ସୁର ମହିଳା ବର୍ଗରେ ଅନୁପମା ସ୍ୱାଇଁଙ୍କ ଠାରୁ ମେଡାଲ ଆଶା ରହିଛି । ହକିରେ ଭାରତୀୟ ପୁରୁଷ ଦଳ ଓ ମହିଳା ଦଳ ଠାରୁ ମଧ୍ୟ ମେଡାଲ ଆଶା ରହିଛି । ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ଜିଣିବା ସହ ପ୍ୟାରିସ ଅଲିମ୍ପିକ ଟିକଟ ହାତେଇବା ପାଇଁ ପ୍ରୟାସ କରିବ । ପୁରୁଷ ଦଳରେ ରହିଛନ୍ତି ଏକ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ। ସେହିପରି ଭାରତୀୟ ମହିଳା ହକି ଦଳରେ ରହିଛନ୍ତି ନିର୍ଭର ଯୋଗ୍ୟ ଡ଼ିଫେଣ୍ଡର ଦୀପଗ୍ରେସ ଏକ୍କା । ଭାରତୀୟ ମହିଳା ରଗବୀ ଦଳରେ ୪ ଜଣ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି। ସେମାନେ ହେଲେ ହୁମ୍ପି ମାଝୀ,ତରୁଲତା ନାୟକ, ଡୁମୁଣୀ ମାରାଣ୍ଡି ଏବଂ ମାମା ନାୟକ ।
ରୋଇଂରେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ରିତୁ କଉଡ଼ି, ସୋନାଲି ସ୍ୱାଇଁ ଏବଂ ଅଂଶୀକା ଭାରତୀଙ୍କ ଠାରୁ ମେଡାଲ ଆଶା ରହିଛି । ଏସିୟ କ୍ରୀଡାରେ ଭାଗ ନେଇଛି ଭାରତୀୟ ପୁରୁଷ ଓ ମହିଳା ଫୁଟବଲ ଦଳ। ମହିଳା ଦଳରେ ଓଡ଼ିଆ ଝିଅ ପ୍ୟାରୀ ଖାକା ସ୍ଥାନ ପାଇଛନ୍ତି। ୧୫ ଦିନିଆ ଏହି କ୍ରୀଡା ମହାକୁମ୍ଭ ଅକ୍ଟୋବର ୮ତାରିଖରେ ଶେଷ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)