• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୪୩ ଦିନ ବିତିଲାଣି, ସରୁନି ରୁଷ-ୟୁକ୍ରେନ୍ ଯୁଦ୍ଧ । ଏବେ ପୁଟିନଙ୍କ ଆଖି ରାଜଧାନୀ କିଭ୍ ଉପରୁ ହଟି ପୂର୍ବାଞ୍ଚଳ ଉପରେ ପଡ଼ିଛି । ଡୋନବାସ ଅଞ୍ଚଳରେ ରୁଷିଆ ଅଧିକ ସେନା ଠୁଳ କରିବା ସହିତ ପୁଣି ଥରେ ଯୁଦ୍ଧ ଆରମ୍ଭ କରିବାକୁ ଯୋଜନା କରୁଥିବା ଆଶଙ୍କା କରୁଛି ୟୁକ୍ରେନ୍ । ସେପଟେ ରୁଷ ଠାରୁ ଭାରତ ତେଲ କିଣିବା ପ୍ରସଙ୍ଗରେ ଆମେରିକା ନିଜ ମତ ରଖିଛି । ଏଥର କୌଣସି ଚେତାବନୀ ନୁହେଁ, ବରଂ ଏକ ପ୍ରସ୍ତାବ ଦେଇଛି ହ୍ୱାଇଟହାଉସ୍ ।

କିଭ୍ ଦଖଲରେ ବିଫଳ ହେବା ପରେ ଋଷ ଫୋକସରେ ପୂର୍ବ ୟୁକ୍ରେନ୍ । କିଭ୍ ଉପକଣ୍ଠରୁ ସୈନ୍ୟ ପ୍ରତ୍ୟାହାର କରି, ପୂର୍ବ ୟୁକ୍ରେନରେ ସେନା ଠୁଳ କରୁଛି ଋଷ । ଲୁହାନସ୍କ ଓ ଡୋନେସ୍କକୁ ନେଇ ଗଠିତ ଡୋନବାସ୍ ଅଞ୍ଚଳରେ ଋଷ ନୂଆ କରି ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ଆଶଙ୍କା କରୁଛି ୟୁକ୍ରେନ୍ । ଏନେଇ ପୂର୍ବରୁ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଭିଡିଓ ବାର୍ତ୍ତା ଜରିଆରେ ଆଶଙ୍କା ଜାହିର କରିଥିଲେ । ତେବେ ୟୁକ୍ରେନର ଆଉ ଏକ ଭୟ ଯେ, ଋଷ ସେନା ଯଦି ଡୋନବାସ ଅଞ୍ଚଳ ଅକ୍ତିଆର କରିନିଏ, ତେବେ ପୂରା ତାକତରେ ପୁଣି କିଭ୍ ଦଖଲ ପାଇଁ ଫେରିବ ।

ଋଷ-ୟୁକ୍ରେନ୍ ଯୁଦ୍ଧ ୪୩ ଦିନରେ ପହଞ୍ଚିଛି । ଗତକାଲି ମାଇକୋଲାଇଭ୍, ଖାରକିଭ୍, ଜାପରିଝିଆ ଓ ଚୁହିବ୍ ସହରର ତୈଳ ଭଣ୍ଡାର ଉପରେ ମିଜାଇଲ୍ ମାଡ଼ କରି ସେଗୁଡ଼ିକ ଧ୍ୱଂସ କରିଥିବା ଦାବି କରିଛି ଋଷ୍ ପ୍ରତିରକ୍ଷା ମନ୍ତ୍ରାଳୟ । ତେଣେ ୟୁକ୍ରେନରେ ଯୁଦ୍ଧ ଲଢ଼ିବାକୁ ଦାବି କରି ୬୦ ଋଷୀୟ ପାରାଟ୍ରୁପର୍ ଜେଲ୍ ଦଣ୍ଡ ଭୋଗିଥିବା ସୂଚନା ମିଳିଛି ।

ଏଭିତରେ ଭାରତ ଋଷଠୁ ତେଲ କିଣିବା ପ୍ରସଙ୍ଗକୁ ନେଇ ପୁଣି ମୁହଁ ଖୋଲିଛି ଆମେରିକା । ପୂର୍ବରୁ ଭାରତକୁ ପରୋକ୍ଷରେ ଚେତାବନୀ ଦେଇଥିବା ଆମେରିକା ଏବେ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତାବ ଦେଇଛି । ହ୍ୱାଇଟହାଉସ୍ ପ୍ରେସ୍ ସଚିବ ଜେନ୍ ସାକି କହିଛନ୍ତି, ଶକ୍ତି ଆମଦାନୀ କ୍ଷେତ୍ରରେ ଋଷ ଉପରୁ ଭାରତର ନିର୍ଭରଶୀଳତାକୁ ଦୂରକରିବା ପାଇଁ ଆମେରିକା ପ୍ରସ୍ତୁତ ଅଛି । ଆମେରିକା ଭାରତ ପାଇଁ ଏକ ଭରସାଯୋଗ୍ଯ ରପ୍ତାନୀକାରୀ ରାଷ୍ଟ୍ର ହୋଇପାରିବ ।

ପୂର୍ବରୁ ଭାରତକୁ ପରୋକ୍ଷରେ ଚେତାବନୀ ଦେଇଥିଲା ଆମେରିକା । ଆମେରିକାର ଡେପୁଟି ଏନ୍ଏସ୍ଏ ଦଲିପ୍ ସିଂ । ରୁଷିଆ ବିରୋଧରେ ଲାଗିଥିବା ଆମେରିକୀୟ କଟକଣାକୁ ଯେଉଁ ଦେଶଗୁଡ଼ିକ ବିଫଳ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ତାର ପରିଣତି ଭୋଗିବାକୁ ପଡ଼ିବ । ଚୀନ୍ LAC ଉଲ୍ଲଂଘନ କଲେ ଭାରତର ସୁରକ୍ଷା ପାଇଁ ରୁଷ ଆଗେଇ ଆସିବ ବୋଲି ଭାବିବା ନିହାତି ଭୁଲ୍ ହେବ ବୋଲି କହିଥିଲେ ଦଲିପ୍ । ତେବେ ନୂଆଦିଲ୍ଲୀ କହିସାରିଛି ଯେ, ତେଲ ଦାମ୍ ବଢ଼ିଲେ ଲୋକଙ୍କ ହିତ ପାଇଁ ଯେକୌଣସି ଦେଶ ବଜାରରେ ଭଲ ଦର ଖୋଜିବା ସ୍ୱାଭାବିକ କଥା ।