• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୀଳଗିରିର ଜନୈକ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ । ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଲା, ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମାନବାଧିକାର କମିଶନ ୧୫ ଦିନ ଭିତରେ ରିପୋର୍ଟ କରିବାକୁ OHRC ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ମେଡିକାଲରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ କହିଲେ ବାଲେଶ୍ୱର ଏସ୍‌ପି । ଘଟଣାରେ ଯେଉଁମାନେ ଦାୟୀ ଅଛନ୍ତି, ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ସୂଚନା ଦେଇଛନ୍ତି । ତେବେ କେତେ ଜଣ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ସ୍ପଷ୍ଟ ସୂଚନା ଦେବାକୁ ମନା କରିଛନ୍ତି ଏସ୍‌ପି ।

ଅନ୍ୟପଟେ ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ପୋଲିସ ବେଡ଼ି ପକାଇବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାମ୍ବାଦିକ । ପୁରୀରେ ସାମ୍ବାଦିକମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ବାଲେଶ୍ୱର ନୀଳଗିରିରେ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ନୀଳଗିରି ପୋଲିସ୍ । ସବୁଠୁ ବଡ଼ କଥା ହେଉଛି, ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଥିଲା ବେଳେ ସଂପୃକ୍ତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା । ସଂପୃକ୍ତ ସାମ୍ବାଦିକ ଜଣେ ହୋମ୍‌ଗାର୍ଡଙ୍କୁ ମାରପିଟ୍ କରିଥିବାର ଅଭିଯୋଗ ଥିଲା । ହୋମ୍‌ଗାର୍ଡଙ୍କ ଏତଲା ଆଧାରରେ ନୀଳଗିରି ପୋଲିସ୍ ତାଙ୍କୁ ଗିରଫ କରିଥିଲା ।

ବୁଧବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ବାଲେଶ୍ୱର ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଉ ଏତିକି ବେଳେ ସାମ୍ବାଦିକଙ୍କ ଗୋଡ଼ରେ ହ୍ୟାଣ୍ଡକପ୍ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ବିରୋଧକୁ ଦେଖି, ପରେ ତାଙ୍କ ବେଡ଼ି ଖୋଲି ଦିଆଯାଇଥିଲା । ଏପଟେ ପୁରା ମାମଲାର ଅନୁଧ୍ୟାନ ପାଇଁ ବାଲେଶ୍ୱର ମାନବାଧିକାର ଜିଲ୍ଲା ବୋର୍ଡ ସଭାପତି ନୀଳଗିରିରେ ପହଞ୍ଚିଛନ୍ତି ।