• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶୁଖିଲା ପଡ଼ିଛି ଚିରସ୍ରୋତା ନଦୀ । ଯେଉଁ ନଦୀର ଧାର କେବେ ଶୁଖୁନଥିଲା, ସେହି ନଦୀଶଯ୍ୟା ଏବେ ଶୁଖିଲା ଜମି ଭଳି ଫାଟି ଆଁ କରିଛି । ହ୍ରଦ ଗୁଡ଼ିକର ବି ସମାନ ଅବସ୍ଥା । ଚୀନର ସବୁଠୁ ବଡ଼ ମଧୁର ଜଳ ହ୍ରଦ ପୋୟାଙ୍ଗର ଚିତ୍ର ଦେଖିଲେ ସତ ଅନୁମାନ କରାଯିବ । ମାଛ ଓ ଜଳଚର ପ୍ରାଣୀଙ୍କ ମଡ଼କ ଦେଖାଯାଉଛି । ପଙ୍କ ଓ କାଦୁଅ ତଳୁ ଦୀର୍ଘ ୨ ମାସ ହେଲା ବର୍ଷା ହୋଇନଥିବାରୁ ଦିନକୁ ୧୫ ସେଣ୍ଟିମିଟର ବା ୬ ଇଞ୍ଚ ଜଳସ୍ତର ହ୍ରାସ ପାଇ ଏବେ ଏଭଳି ଉତ୍କଟ ସ୍ଥିତି ଉପୁଜିଛି ।

ନଦୀ, ହ୍ରଦ ସବୁ ଶୁଖିଲା ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ପିଇବା ପାଣି ମଧ୍ୟ ପାଇପାରୁନାହାନ୍ତି । ହ୍ରଦର ମୁହାଣ ଅଞ୍ଚଳରେ ପ୍ରାୟ ୨ ଲକ୍ଷ ୨୭ ହଜାର ଲୋକେ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ଏକ ଦଶନ୍ଧି ଭିତରେ ଚୀନ୍ ଏଭଳି ଦୁଃସ୍ଥିତିର କେବେ ସାମ୍ନା କରିନି । ଚୀନରେ ବହୁଥିବା ପୃଥିବୀର ତୃତୀୟ ବଡ଼ ନଦୀ ଗୁଡ଼ିକରେ ବି ଜଳପ୍ରବାହ ବହୁ ମାତ୍ରାରେ କମିଯାଇଛି । ୟାଂଡ଼ି (Yangtze) ନଦୀରେ ବର୍ଷସାରା ଅଧାବୁଡ଼ା ଅବସ୍ଥାରେ ଦେଖାଯାଉଥିବା ୬୦୦ ବର୍ଷର ବୁଦ୍ଧ ମୂର୍ତ୍ତିର ପୂର୍ଣ୍ଣ ଅବୟବ ଦେଖିବାକୁ ପାଇଛନ୍ତି ଲୋକେ । ଯେଉଁ ସ୍ଥାନକୁ ଲୋକେ ଡଙ୍ଗାରେ ଯାଉଥିଲେ, ଏବେ ନଦୀ ଜଳସ୍ତର କମିଯିବା ଫଳରେ ସେଠାକୁ ଚାଲି ଚାଲି, ନଚେତ ଅଳ୍ପ ପାଣିରେ ପଶି ଯାଉଛନ୍ତି । ଏହି ନଦୀ ଉପରେ ନିର୍ଭର କରନ୍ତି ୪୦ କୋଟି ଲୋକ । ନଦୀର ଜଳସ୍ତର କମିଥିବାରୁ ଅନେକ କୃଷି କ୍ଷେତ୍ର ଓ ଶିଳ୍ପସଂସ୍ଥାରେ କାମ ଠପ୍ ପଡ଼ିଛି ।

ଜଳାଭାବ କାରଣରୁ କୃଷି ଓ ଶିଳ୍ପ ଏତେ ମାତ୍ରାରେ ପ୍ରଭାବିତ ହୋଇଛି ଯେ, ଦେଶର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ବେଜିଂ । ବହୁ ଜଳ ବିଦ୍ୟୁ ପ୍ରକଳ୍ପ ମଧ୍ୟ ବନ୍ଦ ହେବାକୁ ବସିଲାଣି । ସିଚୁଆନ ଓ ୟୁନ୍ନାନ ପ୍ରୋଭିନ୍ସରେ ଚୀନର ବଡ଼ ବଡ଼ ଜଳ ବିଦ୍ୟୁତ୍ ଶକ୍ତି କେନ୍ଦ୍ର ରହିଛି । ସେଠାରେ ମରୁଡି ସ୍ଥିତି ପାଇଁ ଏସବୁ କେନ୍ଦ୍ର ବନ୍ଦ ହେବାକୁ ବସିଲାଣି । ମୁଖ୍ୟତ ଏସବୁ ଅଞ୍ଚଳରେ ଇଲେକ୍ରୋଲାଇଟିକ୍ ଆଲୁମିନିୟମ ଶିଳ୍ପ ଉପରେ ଅଧିକ ପ୍ରଭାବ ପଡିଛି । କେତେକେ ଇଣ୍ଡଷ୍ଟ୍ରିକୁ ବିଦ୍ୟୁତ ଉପଯୋଗ ୧୦ ପ୍ରତିଶତ କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଚୀନରେ ଏଭଳି ସ୍ଥିତି ଯଦି ଜାରି ରୁହେ, ତେବେ ଜଟିଳ ଅର୍ଥନୈତିକ ସଙ୍କଟ ଦେଖାଦେଇପାରେ ବୋଲି ଆକଳନ କଲେଣି ବିଶେଷଜ୍ଞ ।

ମହାମାରୀ କୋଭିଡ ପରେ ପୁଣି ଚୀନବାସୀଙ୍କ ଚିନ୍ତାର କାରଣ ହୋଇଛି ଉତ୍କଟ ମରୁଡ଼ି । ସାଂଘାତିକ ଭାବେ ମରୁଡିରେ କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ରୁତ୍ରିମ ବର୍ଷା କରାଯାଇଛି । ହେଲେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ । ତେବେ ଚୀନର ଏଭଳି ସ୍ଥିତି ପାଇଁ ସାରା ବିଶ୍ୱରେ ଦ୍ରୁତ ଶିଳ୍ପାୟନ ଏବଂ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି ପରିବେଶବିତ୍ ।