• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୋଗ, ଆୟୁର୍ବେଦ ଓ ବ୍ରିଟେନର ନୂଆ ରାଜା ଚାର୍ଲସ ତୃତୀୟ । ଶରୀରକୁ ସୁସ୍ଥ ଓ ମନକୁ ସ୍ଥିର ରଖିବା ଲାଗି ଭାରତର ଏହି ଦୁଇ ପାରମ୍ପରିକ ପଦ୍ଧତିରେ ଦୃଢ଼ ବିଶ୍ୱାସ ରଖନ୍ତି ଚାର୍ଲସ । କେବଳ ଭାରତୀୟ ସଂସ୍କୃତି ଓ ପରମ୍ପରା ନୁହେଁ, ଚାର୍ଲସ ଭାରତର ଜଣେ ଦୃଢ଼ ସମର୍ଥକ । ଭାରତରୁ ଦାରିଦ୍ର୍ୟ ଦୂର ଲାଗି ୨୦୦୭ରେ ପ୍ରତିଷ୍ଠା କରିଥିବା ବ୍ରିଟିଶ ଏସିଆନ୍ ଟ୍ରଷ୍ଟ ଜରିଆରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଚାର୍ଲସ୍ । କୋଭିଡ୍ ଦ୍ୱିତୀୟ ଲହର ଭାରତରେ ସାଂଘାତିକ ହେବା ପରେ ଚିନ୍ତିତ ହୋଇପଡିଥିଲେ ସେ । ମହାମାରୀର ମୁକାବିଲା ଲାଗି ମୁକ୍ତ ହସ୍ତରେ ଦାନ କରିବାକୁ ସେ ଅପିଲ କରିଥିଲେ, ଯାହା ଦ୍ୱାରା କୋଭିଡ୍ ପାଣ୍ଠିକୁ ବିପୁଳ ପରିମାଣର ଅର୍ଥ ମିଳିଥିଲା ।

ଭାରତର ସଂସ୍କୃତି ଓ ପରମ୍ପରାକୁ ବେଶ୍ ପସନ୍ଦ କରନ୍ତି କିଙ୍ଗ ଚାର୍ଲସ ତୃତୀୟ । ସେଥିଲାଗି ବହୁବାର ସେ ଭାରତ ଏପରିକି ଓଡ଼ିଶା ମଧ୍ୟ ଆସିଛନ୍ତି । ଏଠିକାର ପାଣି ପବନ ତାଙ୍କୁ ବେଶ ଭଲ ଲାଗେ ବୋଲି ଆଗରୁ ବହୁବାର କହିଛନ୍ତି ଚାର୍ଲସ । ଶରୀର ଓ ମନକୁ ସୁସ୍ଥ ରଖିବା ଲାଗି ଉଦ୍ଦିଷ୍ଟ ଦୁଇ ଭାରତୀୟ ପରମ୍ପରା ଯୋଗ ଓ ଆୟୁର୍ବେଦରେ ବି ଗଭୀର ବିଶ୍ୱାସ ରଖନ୍ତି । ସଂପୂର୍ଣ୍ଣ ପ୍ରାକୃତିକ, ମାନସିକ ବିଷାଦ ଦୂର ଏବଂ ମସ୍ତିଷ୍କକୁ ଚଳଚଞ୍ଚଳ ରଖିବାରେ ଉଭୟ ପଦ୍ଧତି ବେଶ ଉପଯୋଗୀ ବୋଲି ତାଙ୍କର ଧାରଣା । ଚାର୍ଲସଙ୍କ ପତ୍ନୀ କାମିଲା ପାର୍କର୍ ବାଓ୍ୱଲ ମଧ୍ୟ ଯୋଗାଭ୍ୟାସରେ ବିଶ୍ୱାସ କରନ୍ତି । ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଣ୍ଡନର ସାଇନ୍ସ ମ୍ୟୁଜିୟମରେ ଆୟୁର୍ବେଦ ସେଣ୍ଟରର ଉଦଘାଟନ କରିବା ଅବସରରେ ଉପସ୍ଥିତ ରହିଥିଲେ ଚାର୍ଲସ ।

କେବଳ ଭାରତୀୟ ପରମ୍ପରା ଓ ସଂସ୍କୃତି ନୁହେଁ ଭାରତର ବି ଜଣେ ଦୃଢ ସମର୍ଥକ ହେଉଛନ୍ତି କିଙ୍ଗ ଚାର୍ଲସ ତୃତୀୟ । କୋଭିଡର ଦ୍ୱିତୀୟ ଲହର ଭାରତରେ ଉଗ୍ର ରୂପ ଧାରଣ କରିବା ପରେ ବ୍ୟଥିତ ହୋଇପଡିଥିଲେ ଚାର୍ଲସ । ମହାମାରୀ ମୁକାବିଲା ଲାଗି ପାଣ୍ଠି ସଂଗ୍ରହ ଲାଗି ଏମରଜେନ୍ସି କୋଭିଡ୍ ଅପିଲ ଅର୍ଥାତ୍ ସହାୟତା କରିବାକୁ ସାରା ବିଶ୍ୱକୁ ନିବେଦନ କରିଥିଲେ । ପ୍ରଥମ ଲହର ବେଳେ ଭାରତ ଅନ୍ୟଦେଶକୁ ସହାୟତା କରିଥିବା ଦର୍ଶାଇ ବିପଦ ବେଳେ ସହଯୋଗର ହାତ ବଢାଇବାକୁ ଅପିଲ କରିଥିଲେ ଚାର୍ଲସ। ଫଳରେ ଭାରତରେ କୋଭିଡ୍ ମୁକାବିଲା ଲାଗି ଲକ୍ଷ ଲକ୍ଷ ଡଲାରର ସହାୟତା ରାଶି ମିଳିଥିଲା । ଅନ୍ୟପକ୍ଷରେ କୋଭିଡ୍ ମହାମାରୀ ସମୟରେ ଉତ୍କଣ୍ଠା ଓ ବ୍ୟଗ୍ରତା ପ୍ରଶମିତ ଲାଗି ଯୋଗାଭ୍ୟାସ କରିବା ଲାଗି ବି ସେ ପରାମର୍ଶ ଦେଇଥିଲେ ।

ସେହିପରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାକୁ ନେଇ ତତ୍ପର ଚାର୍ଲସ । ଏକ୍ଷେତ୍ରରେ ଭାରତର ଅବଦାନକୁ ସେ ପ୍ରଶଂସା କରନ୍ତି । ୧୪୦ କୋଟି ଲୋକଙ୍କୁ ନେଇ ବିରାଟ ଦେଶ ଓ ପାରମ୍ପରିକ ଶକ୍ତି ଉତ୍ସ ଉପରେ ମାତ୍ରାଧିକ ନିର୍ଭରଶୀଳତା ସତ୍ତ୍ୱେ ମଣିଷ ଓ ପ୍ରକୃତି ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ଭାରତ ସରକାର ନେଉଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଥିଲେ ଚାର୍ଲସ । ଖାସ୍ କରି ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାର ବଢାଇବା ନେଇ ଭାରତର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ ।

ଅନ୍ୟପକ୍ଷରେ ଭାରତୀୟ ଅର୍ଥନୀତିର ଦୀର୍ଘ ମିଆଦି ବିକାଶରେ ବ୍ରିଟେନ୍ ନିରନ୍ତର ସହଯୋଗ କରିବ ବୋଲି ଗତବର୍ଷ ଜୁଲାଇରେ ଆୟୋଜିତ ଇଣ୍ଡିଆ ଗ୍ଲୋବାଲ ଫୋରମ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଥିଲେ । ସେ ଭାରତକୁ ଯେତେଥର ଆସିଛନ୍ତି, ତାଙ୍କ ଗସ୍ତ ସ୍ମରଣୀୟ ରହିଛି । ଏହି ଅବସରରେ ସେ ଅନେକ ସୁଖଦ ଅନୁଭୂତି ସାଉଣ୍ଟିଥିବା କୁହନ୍ତି ଚାର୍ଲସ । ଭାରତ ପ୍ରତି ତାଙ୍କର ଭଲ ପାଇବାକୁ ପ୍ରକାଶ କରିବା ଲାଗି ସେ କେବେବି ପଛାଇ ନାହାନ୍ତି । ତେଣୁ ବ୍ରିଟେନର ଶାସନ ଗାଦିରେ ବସିବା ପରେ ଦୁଇ ଦେଶ ମଧ୍ୟରେ ଆର୍ଥିକ ଓ ସାଂସ୍କୃତିକ ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି ।