Advertisment

ମାଟିପାତ୍ରରେ ରୋଷେଇ, ଖାଇବାର ଫାଇଦା କଣ: ଯିଏ ଖାଇଛି ସିଏ ଜାଣିଛି

ମଣିଷ ଯେତେ ଆଗକୁ ବଢୁଛି, ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ସେତେ ପରମ୍ପରାକୁ ଭୁଲୁଛି, ରୋଗ କିଣୁଛି।

author-image
Chandan Shishu
Clay Pot

Clay Pot

ବିନା ଧାତବ ପାତ୍ରରେ ରୋଷେଇ, ଖିଆପିଆ। ସେ ନିପଟ ମଫସଲ ହେଉ କି ସହର ଆଜିକାର ଦିନରେ ସତରେ କଣ ଏହା ସମ୍ଭବ ? ସତରେ କଣ ଏମିତି ଘରଟିଏ ଆପଣଙ୍କୁ ମିଳିବ, ଯାହାଙ୍କ ରୋଷେଇ ଘରେ କେବଳ ମାଟି ପାତ୍ର ଛଡ଼ା ଆଉ କିଛି ବି ବାସନକୁସନ ନଥିବ ? ହଁ, ଆମେ କିନ୍ତୁ ବ୍ରହ୍ମପୁର ମହାନଗରରେ ପାଇଛୁ ସେମିତି ଏକ ଘର, କେବଳ ସେତିକି ନୁହେଁ ବଲାଙ୍ଗିରର ଏକ ଗାଁରେ ଆୟୋଜିତ ଭୋଜିରେ କେମିତି ୧୨ ଶହ ଲୋକଙ୍କୁ କେବଳ ମାଟିପାତ୍ରରେ ହିଁ ଖାଦ୍ୟ ପରଷା ଯାଇଛି, ଏସବୁକୁ ନେଇ ଦେଖନ୍ତୁ ଓଟିଭିର ବିଶେଷ ରିପୋର୍ଟ।

Advertisment

ବ୍ରହ୍ମପୁରର ସମାଜସେବୀ ସରିତା ପଣ୍ଡା। ରୋଷେଇ ଘରେ ହାଣ୍ଡି, ମାଠିଆ,ତାଓ୍ୱା ପ୍ରେସର କୁକର, ଥାଳି, ଥାଳିଆ, ପାଣିପାତ୍ର, ଗ୍ଲାସ୍ ପରି ଭଳିକି ଭଳି ବାସନକୁସନ ଖଞ୍ଜା ହେଇଛି ହେଲେ ସବୁତକ ମାଟି। ଷ୍ଟିଲ୍, ଆଲୁମିନିୟମ୍, ରସ, ହେଉ କି ନନଷ୍ଟିକ୍‌ ଅବା ପ୍ଲାଷ୍ଟିକ୍-ଅନ୍ୟ କୌଣସି ବାସନକୁସନର ଚିହ୍ନବର୍ଣ୍ଣ ବି ନାହିଁ ଘରେ। ଖାଲି କାଠର ଖଡ଼ିକା ଚାମଚ ଯାହା। ଚୁଲି ଉପରେ ଭଳିକି ଭଳି ମାଟି ପାତ୍ରରେ ରୋଷେଇ। ଡାଇନିଂରେ ଖିଆପିଆ ବି ସେଇ ମାଟି ପାତ୍ରରେ।

କେବଳ ସେତିକି ନୁହେଁ ଆଜିକାଲି ନୁହେଁ, ମାଟିପାତ୍ରରେ ରୋଷେଇ ଓ ଖାଦ୍ୟଗ୍ରହଣର ଫାଇଦା ଜାଣିବା ପରେ ଗତ ୮ ବର୍ଷ ତଳୁ ଏମିତି ଜୀବନ ଶୈଳୀ ଆପଣେଇଛନ୍ତି ସରିତାଙ୍କ ପରିବାର। ସ୍ବାମୀ ପ୍ରଫେସର ଦେବାଶିଷ ପଣ୍ଡାଙ୍କ କହିବା ଅନୁଯାୟୀ, ମାଟିପାତ୍ର ରନ୍ଧା ଖାଦ୍ୟ ଟେଷ୍ଟି ଯେମିତି, ହେଲ୍ଦି ବି ସେମିତି। ଏପରିକି ମାଟିପାତ୍ର ବ୍ୟବହାର ପରଠୁ ପରିବାରର କୌଣସି ସଦସ୍ୟ ସେମିତି ବଡ଼ ବେମାରିରେ ପଡ଼ି ନଥିବା କୁହନ୍ତି ଦେବାଶିଷ।

Advertisment

ଏପଟେ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ର ଛୋଟିଆ ଗାଁ ସମରାର ଭୋଜିରେ ସମସ୍ତଙ୍କ ସାମ୍ନାରେ ବଢ଼ା ହୋଇଛି ମାଟିପାତ୍ର। ମାଟିପାତ୍ରରେ ଖାଦ୍ୟ ଇଚ୍ଛା ଥିଲେ, ଶୁଦ୍ଧ ଓ ପରିବେଶ ଅନୁକୂଳ ଭୋଜିଭାତର ଯେ ଆୟୋଜନ ସମ୍ଭବ- ତାହା ପ୍ରମାଣିତ କରିଛନ୍ତି କୌଳିକ କୁମ୍ଭାର ବୃତ୍ତିକୁ ଧରି ରଖିଥିବା ଗାଁର ଚକା ରଣାଙ୍କ ପରିବାର। ନିଜ ପୁଅ ବାହାଘରର ଭୋଜିରେ ୧୨ ଶହ ନିମନ୍ତ୍ରିତ ଅତିଥିଙ୍କ ପାଇଁ ଖନ୍ଦାଶାଳଠୁ ନେଇ ଖାଦ୍ୟ ପରଶିବା ଯାଏଁ ସବୁ କିଛି ମାଟି ପାତ୍ରରେ ହିଁ କରିଛନ୍ତି।

ମଣିଷ ଯେତେ ଆଗକୁ ବଢୁଛି, ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ସେତେ ପରମ୍ପରାକୁ ଭୁଲୁଛି, ରୋଗ କିଣୁଛି, ପରିବେଶ ନଷ୍ଟ କରି ବିପଦ ବି ବରୁଛି। ଏଭଳି ସ୍ଥିତିରେ ବ୍ରହ୍ମପୁର ଓ ବଲାଙ୍ଗିର ସମାରୁ ଗାଁର ଏ ଚିତ୍ର, ଅନେକଙ୍କୁ ପୁଣି ମାଟି ମନଷ୍କ କରେଇବାର ସମ୍ଭାବନା ରଖୁଛି।

ରିପୋର୍ଟ: ଘଟେଶ୍ୱର ମିଶ୍ର ଓ ଜଗନ୍ନାଥ ସାହୁ

Clay Pots
Advertisment
Advertisment