• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଫେରିବ କି ମାସ୍କ ଯୁଗ ? ଆଉଥରେ ବାଧ୍ୟତାମୂଳକ ହେବ କି ସାମାଜିକ ଦୂରତା ? କାରଣ ଦେଶରେ କାୟା ମେଲାଇ ଚାଲିଛି ଥଣ୍ଡା, କାଶ ଓ ଜ୍ୱର କରାଉଥିବା ଇନଫ୍ଲୁଏଞ୍ଜା ଭୂତାଣୁ H3N2 ଭାଇରସ୍ । ଏହାର ମୁକାବିଲା ପାଇଁ ପୁଣି ଥରେ କରୋନା ଭଳି ସତର୍କତା ପାଳିବାକୁ ସବୁ ରାଜ୍ୟକୁ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ଭୂତାଣୁ ଦେଶରେ ଦୁଇ ଦୁଇଟି ଜୀବନ ନେବା ପରେ ଖାଲି ଜନତା ନୁହଁନ୍ତି, ସରକାର ବି ଛାନିଆ । ଆମ ରାଜ୍ୟରେ ବି ୫୯ ଜଣ H3N2 ପଜିଟିଭ୍ ଚିହ୍ନଟ ହେବା ପରେ ଆହୁରି ଚିନ୍ତା ବଢ଼ିଛି ।

ଇନଫ୍ଲୁଏଞ୍ଜା ସନ୍ଦେହରେ ଗତ ଜାନୁଆରୀ ଓ ଫେବ୍ରୁଆରୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୫ଟି ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୯ଟି H3N2, ୫ଟି ଇନଫ୍ଲୁଏଞ୍ଜା-ଏ ଏବଂ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସେହି ୨ଶହରୁ ଅଧିକ ନମୁନା ଭିତରେ ଗୋଟିଏ ବି H1N1 ବା ସ୍ୱାଇନ ଫ୍ଲୁ ଭାଇରସ୍ ନଥିଲା । ଏହି ସୂଚନା ଦେଇଛନ୍ତି ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ ବା RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।

ତେଣେ ଦେଶରେ ବର୍ଦ୍ଧିତ ଫ୍ଲୁ ଭଳି ଅସୁସ୍ଥତା ଏବଂ ଗୁରୁତର ଶ୍ୱାସକ୍ରିୟା ଜନିତ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ବାର୍ଷିକ ସିଜନାଲ୍ ଫ୍ଲୁ ଅଧିକ ବ୍ୟାପିବା ପଛରେ ପାଣିପାଗ ସହିତ ଲୋକଙ୍କ ବ୍ୟବହାରରେ ୩ଟି ପ୍ରମୁଖ ପରିବର୍ତ୍ତନକୁ ମଧ୍ୟ ଦାୟୀ କରାଯାଇଛି । ବ୍ୟକ୍ତିଗତ ସ୍ୱଚ୍ଛତାରେ ଅବହେଳା, କାଶିବା ବା ଛିଙ୍କିବା ବେଳେ ପାଟି ଓ ନାକକୁ ନଢାଙ୍କିବା ଏବଂ ଆବଦ୍ଧ ସ୍ଥାନରେ ଅଧିକ ଗହଳି H1N1, H3N2 ଓ ଆଡିନୋଭାଇରସ୍ ସଂକ୍ରମଣକୁ ସୁହାଉଛି ।

ଏସବୁ ପାଥୋଜେନ୍ ସାଧାରଣତଃ ଥଣ୍ଡା, କାଶ କିମ୍ବା ଜ୍ୱର କରି ଆପେ ଆପେ ଭଲ ହୋଇଯାଏ । ତେବେ ବୃଦ୍ଧ, ଶିଶୁ, ଗର୍ଭବତୀ ଏବଂ ମେଦବହୁଳତା, ମଧୁମେହ, ହୃଦରୋଗ, ଫୁସଫୁସ, ବୃକକ, ଯକୃତ ସମସ୍ୟା ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ସତର୍କ କରାଯାଇଛି ।

H3N2 ସଂକ୍ରମଣ ରୋକିବା ପାଇଁ କୋଭିଡ୍ ବିରୋଧୀ ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଟେଷ୍ଟ, ଟ୍ରାକ, ଟ୍ରିଟ୍, ଟୀକାକରଣ ଜାରି ରଖିବାକୁ ଏବଂ ଲୋକଙ୍କୁ ଅଧିକ ସଚେତନ କରିବାକୁ ଆଡଭାଇଜରି ଜାରି କରାଯାଇଛି । କାଶିବା ବା ଛିଙ୍କିବା ବେଳେ ମୁହଁ ଓ ନାକକୁ ଟିସୁ କିମ୍ବା କହୁଣିରେ ଘୋଡ଼ାଇବାକୁ,ଭିଡ଼ସ୍ଥାନରେ ମାସ୍କ ପିନ୍ଧିବାକୁ, ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ଏବଂ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।

ଏଥିସହ ILI ବା SARI ଲକ୍ଷଣ ଥିଲେ ମନିଟରିଂ ସହ ସାମ୍ପଲ ପରୀକ୍ଷା ଏବଂ ଡାକ୍ତରଖାନାରେ ଔଷଧ ସହ ଅକ୍ସିଜେନ ମହଜୁଦ ରଖିବା ଉପରେ ବି ଦିଆଯାଇଛି ଗୁରୁତ୍ୱ ।

ବ୍ୟୁରୋ ଇନପୁଟ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି