ମହାପ୍ରଭୁଙ୍କ ନବଦିନ ବ୍ୟାପି ଯାତ୍ରାର ଆଜି ଶେଷ ଦିନ ବାହୁଡା ଯାତ୍ରା। ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରିଯିବ ମହାପ୍ରଭୁଙ୍କ ଲୀଳାଖେଳା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି।
ଜଗନ୍ନାଥ ସଂସ୍କୃତିରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ‘ଘୋଷ ପର୍ବ’ ଓ ‘ବାହୁଡା ପର୍ବ’ ଅନ୍ୟତମ। ଆଜି ସେହି ବିଶ୍ୱନିୟନ୍ତା ଲୀଳାମୟ ପ୍ରଭୂ ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଜ୍ୟେଷ୍ଠଭ୍ରାତା ବଳଭଦ୍ରଙ୍କ ମାଉସୀ ମା’ ଘରୁ ଶ୍ରୀମନ୍ଦିର ଅଭିମୂଖେ “ବାହୁଡା ପର୍ବ” ଶ୍ରୀକ୍ଷେତ୍ରଧାମରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାସମାରୋହରେ ବାହୁଡିବେ କାଳିଆ ସାଆନ୍ତ।
ଘୋଷଯାତ୍ରାର ଏକ ମୁଖ୍ୟ ଅଂଶ ହେଉଛି ଏହି ‘ବାହୁଡା ଯାତ୍ରା’। ଏହାର ଅର୍ଥ ‘ପ୍ରତ୍ୟାବର୍ତ୍ତନ’ ବା ଫେରିବା। ପବିତ୍ର ଦଶମୀ ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୁଏ। ଏହିଦିନ ମାଉସୀ ମା’ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଗଣ ରଥ ଟାଣି ଟାଣି ଶ୍ରୀମନ୍ଦିର ଅଭିମୂଖେ ଯାତ୍ରା କରନ୍ତି।
Also Read
ଅଧିକ ପଢ଼ନ୍ତୁ: ବନ୍ଧୁ ମହାନ୍ତିଙ୍କ ବନ୍ଧୁତାରେ ବନ୍ଧା କାଳିଆ ଠାକୁର
ଏହି ଅବସରରେ ଝାଞ୍ଜ, ମୃଦଙ୍ଗ ଓ କରତାଳି ଧ୍ୱନିରେ ଶ୍ରୀକ୍ଷେତ୍ର ଶବ୍ଦାୟିତ ହେବା ସାଙ୍ଗକୁ ହରିବୋଲ ଓ ହୁଳହୁଳି ଶବ୍ଦରେ ଗଗନ-ପବନ ପ୍ରକମ୍ପିତ ହୁଏ। ଭକ୍ତି ଗୀତ, ଜଣାଣ, ସ୍ତୁତି ଓ ସଂକୀର୍ତ୍ତନ ଇତ୍ୟାଦିରେ ଶ୍ରୀକ୍ଷେତ୍ରଧାମ ଉଚ୍ଛୁଳି ଉଠେ। ଏମିତି ଅନେକ ଭକ୍ତ ଅଛନ୍ତି ଯେଉଁମାନେ ନିଜ ଦେହକୁ ମହାପ୍ରଭୁଙ୍କୁ ସମର୍ପି ଦେଇ ପରମ ଭକ୍ତିରେ ଭାବ ପ୍ରବଣ ହୋଇ ବଡ ଦାଣ୍ଡ ଧୂଳିରେ ଗଡିଯାଆନ୍ତି। କେତେକ ଭକ୍ତିରେ ଚକାଆଖିରେ ମିଶିଯାଆନ୍ତି। କେତେକଙ୍କ ଆଖିରୁ ଝରିଆସେ ଭକ୍ତି ମିଶା ଅଶ୍ରୁଧାରା।
ରଥ ଉପରେ ଥିବା ସେବକମାନେ ପୂଜା ବିଧିରେ ବ୍ୟସ୍ତ ରୁହନ୍ତି । ତଳେ ଥାଇ ବହୁ ଭକ୍ତ ସେମାନଙ୍କୁ ଲକ୍ଷ୍ୟକରି ନଡିଆ, କଦଳି ଓ ଦକ୍ଷିଣା ଆଦି ପକାଥାନ୍ତି ଓ ସେବକମାନଙ୍କର ଅଭ୍ୟସ୍ତ ହସ୍ତ ସେସବୁକୁ ଧରିନିଏ। ଶଙ୍ଖ, ଘଣ୍ଟ, ଘଣ୍ଟା, ତୂରୀର ଧ୍ୱନି ସହ ରଥର ଘର ଘର ନାଦରେ କମ୍ପିଉଠେ ଶ୍ରୀକ୍ଷେତ୍ର।
ବଡଦାଣ୍ଡ ଲୋକାରଣ୍ୟ ହୋଇଉଠେ । ସିଂହ ଠାଣିରେ ଗତିକରେ ତିନି ରଥ। ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ମଠବାଡି ଓ ସାଧାରଣ ବ୍ୟକ୍ତିମାନଙ୍କର ଅଟ୍ଟାଳିକାଗୁଡିକରୁ ଅସଂଖ୍ୟ ଆଖି ଚକାଡୋଳାର କରୁଣାସାଗରେ ମିଶିବାକୁ ଚେଷ୍ଟା କରନ୍ତି। କ୍ରମେ ବଡଦେଉଳର ସିଂହଦ୍ୱାର ପାଖରେ ତିନି ରଥ ପହଞ୍ଚିଯାଏ।
ଅଧିକ ପଢ଼ନ୍ତୁ: ପୁରୀରେ କାହିଁକି ଆରମ୍ଭ ହେଲା ମହାବାହୁଙ୍କ ନବଦିନ ଘୋଷଯାତ୍ରା; କ’ଣ କୁହେ ପୁରାଣ
ଉତ୍କଳୀୟ ସଂସ୍କୃତିରେ ଘୋଷଯାତ୍ରା ଏକ ମହାନ ଆଦର୍ଶର ପ୍ରତୀକ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ- ପ୍ରାଚୀନ କାଳରେ ରାଜା ମହାରାଜାମାନେ ଏହି ଯାତ୍ରାରୁ ଏକ ମହତ ଶିକ୍ଷା ପାଉଥିଲେ। ରାଜପରିଷଦ ଓ ରାଜକାର୍ଯ୍ୟ ମଧ୍ୟରେ ଆବଦ୍ଧ ହୋଇ ସେମାନେ ଜନସାଧାରଣଙ୍କୁ ଦର୍ଶନ ଦେବା ନିମନ୍ତେ ବିମୁଖ ହୋଇଥାନ୍ତି। ରାଜ କର୍ମଚାରୀଙ୍କ ମାଧ୍ୟମରେ ସେମାନେ ପ୍ରଜାମାନଙ୍କୁ ଶାସନ କରିଥାନ୍ତି। କିନ୍ତୁ ରଥଯାତ୍ରା ସେମାନଙ୍କୁ ଏହି ଶିକ୍ଷା ଦିଏ ଯେ- ସେମାନେ ବର୍ଷକୁ ଅନ୍ତତଃ ଥରେ ପ୍ରଜାମାନଙ୍କୁ ଦର୍ଶନ ଦେବା ସହିତ ସେମାନଙ୍କ ପରିସ୍ଥିତିକୁ ନିଜ ଆଖିରେ ଥରେ ଦେଖିନେବା ଉଚିତ।