• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା। ସାରା ବିଶ୍ୱ ଆଜି ଭକ୍ତମୟ। ସମସ୍ତେ ଚାହିଁ ବସିଛନ୍ତି ରଥ ଉପରେ କାଳିଆ ଠାକୁରକୁ ଦର୍ଶନ କରି ଚର୍ମ ଚକ୍ଷୁକୁ ପବିତ୍ର କରିବେ। କାଳିଆର ପ୍ରେମରେ ମଗ୍ନ ହେବେ ଆଉ ଚକାଆଖିରେ ନିଜକୁ ହଜେଇଦେବେ। ଏହିଅବସରରେ ଆସନ୍ତୁ ରଥଯାତ୍ରାର କେତେକ ବିଧିବିଧାନ ଜାଣିନେବା।

ଶ୍ରୀଗୁଣ୍ଡିଚାର ଠିକ ପୂର୍ବ ଦିନ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାଠାରେ ଥିବା ତିନିରଥ ସୁସଜ୍ଜିତ ପୂର୍ବକ ଅପରାହ୍ନରେ ଟଣା ହୋଇ ସିଂହଦ୍ୱାରଠାରେ ରଖାଯାଏ। ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଜଗନ୍ନାଥ ପରେ ସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ।

ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟ ପୂଜା, ଇତ୍ୟାଦି ନୀତି ସେହି ଦିନର ପାଳିଆ ସେବକମାନଙ୍କ ଦ୍ୱାରା ହୋଇଥାଏ। ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚେଡି ଭୋଗ) ପୂଜା ହୁଏ।

ଅପରପକ୍ଷରେ ଶ୍ରୀମନ୍ଦିର ପୁରୋହିତ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥାଏ। ତା’ପରେ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ନୀତି ଅନୁଷ୍ଠିତ ହେବା ପୂର୍ବରୁ ବିଜେ କାହାଳି ବାଜି ମଙ୍ଗଳାପର୍ଣ ନୀତି ବଢ଼ିଥାଏ।

ପହଣ୍ଡି ବିଜେ:

ପୁରୁଷୋତ୍ତମ କ୍ଷେତ୍ରରେ କେଉଁ ପ୍ରାଚୀନ କାଳରୁ ଶ୍ରୀବିଗ୍ରହମାନଙ୍କର ଏହି ପହଣ୍ଡି ବିଜୟ ହୋଇଆସୁଛି, ତାହା ଏବେ ମଧ୍ୟ ଅଜ୍ଞାତ ରହିଛି। ପହଣ୍ଡି ଶବ୍ଦଟି ସଂସ୍କୃତରେ ‘ପାଦହୁଣ୍ଡନ’ ବା ‘ପାଦ ହୁଣ୍ଡ’ ଶବ୍ଦରୁ ଆସିଛି। ପାହୁଣ୍ଡ ପାହୁଣ୍ଡ ହୋଇ ଚାଲିବାକୁ ବା ଆକ୍ଷରିକ ଅର୍ଥରେ ଗୋଟିଏ ଗୋଟିଏ ପାଦ ପକାଇ ଚାଲିବାକୁ ‘ପହଣ୍ଡି’ କୁହାଯାଏ। କେତେକ ଗବେଷକଙ୍କ ମତରେ ଏହା ପାହୁଣ୍ଡ ଶବ୍ଦର ଅପଭ୍ରଂଶ।

ସମ୍ଭବତଃ ସ୍ନାନ ଓ ରଥଯାତ୍ରାର ଆରମ୍ଭ କାଳରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଆସୁଛି। ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ରତ୍ନ ସିଂହାସନରେ ମହାପ୍ରଭୁମାନଙ୍କର କେବଳ ମଙ୍ଗଳାର୍ପଣ କରାଯାଇ ସର୍ବ ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥାଏ। ଚତୁର୍ଧାମୂର୍ତ୍ତୀ ଧାଡି ପହଣ୍ଡିରେ ବିଜେ ହୋଇଥାନ୍ତି।

ଛେରାପହଁରା:

ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରାର ଅନ୍ୟତମ ମୂଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜାଙ୍କ ତିନି ରଥ ଉପରେ ଛେରାପହଁରା ସେବା। ଏହି ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କ ସମାଗମ ହୋଇଥାଏ।

‘ଛେରା’ ଓ ‘ପହଁରା’ ଦୁଇଟି ଶବ୍ଦର ମିଶ୍ରଣରେ ‘ଛେରା ପହଁରା’ର ସୃଷ୍ଟି। ‘ଛେରା’ ଶବ୍ଦର ଅର୍ଥ ତରତଳା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ‘ପହଁରା’ ଶବ୍ଦର ଅର୍ଥ ‘ଓଳାଇବା’। ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ,ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ।

ରଥଟଣା:

ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର (ତାଳ ଓ ନଡିଆ ଗଛ କାଠରେ ଚାରମାର ପ୍ରସ୍ତୁତ ହୋଇଥାଏ ) ଭୋଇ ସେବକମାନଙ୍କ ସହାୟତାରେ ଖୋଲା ଯାଇଥାଏ। ପରେ ସାରଥୀ ଓ ଅଶ୍ୱଙ୍କୁ ରୂପକାର ସେବକମାନେ ଦଉଡି ଦ୍ୱାରା ବାନ୍ଧିଥାନ୍ତି। ଏହା ପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଇଥାଏ। ପ୍ରତି ରଥରେ ୪ଟି ଲେଖାଏଁ ଦଉଡି ବନ୍ଧା ଯାଇଥାଏ।

ରଥଟଣାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡି। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି।

ରଥଟଣା ନୀତି:

ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଟଣାଯାଏ। ଉଭୟ ଭଟିମୁଣ୍ଡା ଓ ପୁରୀ ଘଣ୍ଟୁଆମାନେ ଏହି ସମୟରେ ସମତାଳରେ ଘଣ୍ଟ ବଜାଇଥାନ୍ତି। ଡାହୁକ ରଥ ଉପରେ ଠିଆ ହୋଇ ଯୋଡ଼ି ଲମ୍ବା ବେତ ଧରି ରଥ ବୋଲି ଗୀତ ଗାଇ ଭକ୍ତଜନଙ୍କୁ ଆମୋଦିତ କରିଥାନ୍ତି।

ସର୍ବଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ଆନନ୍ଦରେ ରଥକୁ ଟାଣିଥାନ୍ତି। ଭକ୍ତମାନଙ୍କ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।

ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ତା’ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ। ଏହି ରଥ ଟଣା ସମୟରେ ବିଭିନ୍ନ ମଠ, ଜାଗା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ଏଥିମଧ୍ୟରେ ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ। ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଥିବା ମାଉସୀ ମା’ ମନ୍ଦିରଠାରେ ଠାକୁରମାନଙ୍କୁ ପୋଡ଼ ପିଠା ଭୋଗ ଲାଗିଥାଏ।

ପ୍ରତି ରଥ ଉପରେ ଶ୍ରୀମନ୍ଦିର ପୋଲିସ କର୍ମଚାରୀ ଏକ ନାଲି ରଙ୍ଗର ପତାକା ଧରି ରଥଟଣା ସମୟରେ ଭକ୍ତମାନଙ୍କୁ ଦିଗ ନିର୍ଦ୍ଦେଶ ଦେବା ସହିତ ରଥ ଘେର ମଧ୍ୟରେ ଜଣେ ସରକାରୀ ପୋଲିସ ବିଗୁଲ୍‌ ଓ ନାଲି ରଙ୍ଗର ଏକ ପତାକା ଧରି ରଥଟଣାର ନିୟନ୍ତ୍ରଣରେ ସାହାଯ୍ୟ କରିଥାନ୍ତି।

ଯଦି ଗୋଟିଏ ଦିନରେ ତିନି ରଥ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚି ନ ପାରେ, ତେବେ ପର ଦିନ ସକାଳେ ଏହି ରଥଟଣା ହୋଇ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥାଏ।