ଆଜି ମହାପ୍ରଭୁଙ୍କ ନବଯୌବନ ବେଶ। ଶ୍ରୀଜୀଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଏହା ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରୁହନ୍ତି। ପନ୍ଦର ଦିନ ପାଇଁ ଭକ୍ତମାନେ ତାଙ୍କର ଦର୍ଶନରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି।
ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ। ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ। ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି।
ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷବ୍ୟାପି ପ୍ରତୀକ୍ଷା କରିଥାଆନ୍ତି। କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ। ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ।
Also Read
ନୀତିକାନ୍ତି:
ସ୍ନାନଯାତ୍ରା ହେତୁ ରଥଯାତ୍ରାର ଚାରିଦିନ ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁନଶ୍ଚ ରୂପ ଦେବାର ଆବଶ୍ୟକତା ପଡ଼ିଥାଏ, ଏହାକୁ ଅଙ୍ଗରାଗ କୁହାଯାଏ । ଏହାପରେ ନବଯୌବନର ଦିନର ପ୍ରାତଃକାଳରେ ନେତ୍ରୋତ୍ସବ ପାଳନ କରାଯାଏ।
ଠାକୁରମାନଙ୍କୁ ଅର୍ଦ୍ଧ-ସମାନ୍ତର ସ୍ଥିତିରେ ରଖାଯାଇ ସେମାନଙ୍କୁ ଉପଯୁକ୍ତ ଭାବେ ଚିତ୍ରିତ କରାଯାଏ। ଏହି ସେବା ସରିବା ପରେ ନେତ୍ରୋମିଳନ ନୀତି ପାଳିତ ହୁଏ। ଏଥିରେ ପ୍ରତ୍ୟେକ ଠାକୁରଙ୍କ ଉଭୟ ଚକ୍ଷୁରେ ତୁଳସୀ ପତ୍ର ସାହାଯ୍ୟରେ ଔଷଧ ପ୍ରୟୋଗ କରାଯାଇଥାଏ ।
ଏହାପରେ କଜ୍ୱଳ ଲାଗି କରାଯାଏ। ଶ୍ରୀଜୀଉମାନଙ୍କୁ ଭୋକ ହେବାରୁ ସ୍ନାନଯାତ୍ରା ପରେ ସେମାନେ ପ୍ରଥମଥର ପାଇଁ ରାଜଭୋଗ ଗ୍ରହଣ କରିଥାନ୍ତି । ଏହାପରେ ଜନସାଧାରଣ ନବଯୌବନ ବେଶ ସହ ନିଜ ଆରାଧ୍ୟଙ୍କ ପ୍ରଥମ ଦର୍ଶନ ଲାଭ କରିଥାନ୍ତି।
ଏପରି ମନୋରମ ବେଶ ଦର୍ଶନ ଅଭିପ୍ରାୟେ ନେତ୍ରମାନଙ୍କର ସମାଗମ ତଥା ଉତ୍ସବ କାରଣରୁ ଏହି ନୀତିକୁ ନେତ୍ରୋତ୍ସବ ମଧ୍ୟ କୁହାଯାଇଥାଏ।